ରେଙ୍ଗାଲି: ସମ୍ବଲପୁର-ରାରକେଲା ୧୦ ନମ୍ବର ରାଜ୍ୟ ରାଜପଥର ଖିଣ୍ଡା-ଧୁବେନଛାପଲ ଛକରେ ଆଜି ଅପରାହ୍ନରେ ଏକ କୋଇଲା ପରିବହନକାରୀ ଟ୍ରକ୍ ଚାପାରେ ନିସାନଭଙ୍ଗା ଗ୍ରାମର ଉତ୍ତମ ପଧାନ (୩୭) ନାମକ ଜନୈକ ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଯାଇଛି। ମୃତ ଉତ୍ତମଙ୍କ ସହିତ ବାଇକରେ ବସିଥିବା ନିସାନଭଙ୍ଗା ଗ୍ରାମର ସରୋଜ ବିଶ୍ୱାଲ ଗୁରୁତର ଆହତ ହୋଇଛନ୍ତି।
ମୃତ ଉତ୍ତମ ପଧାନ ତାଙ୍କ ବାଇକରେ ସରୋଜଙ୍କ ସହିତ ଝାରସୁଗୁଡାରୁ ଏକ ବିବାହ ଉତ୍ସବରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ଖିଣ୍ଡା-ଧୁବେନଛାପଲ ଛକ ପାଖରେ କୋଇଲା ପରିବହନ ଟ୍ରକ୍ ଧକ୍କା ଦେଇ ତାଙ୍କ ଚାପି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା।



