ରେଙ୍ଗାଲି: ଦିନରାତି ଜଳୁଛି ‘କଳାହୀରା’। ଆଖପାଖର ତାତି ବଢ଼ୁଛି। ଏପରିକି ଏହି ପ୍ରଚଣ୍ଡ ତାତିରେ ମାଟି ଫାଟି ଭୂସ୍ଖଳନର ଆଶଙ୍କା ମଧ୍ୟ ରହୁଛି। ଏହା ସତ୍ତ୍ବେ ଏହି ଜାତୀୟ ସମ୍ପତ୍ତି ସୁରକ୍ଷା ଦିଗରେ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ତାଙ୍କର ନୈତିକ ଦାୟିତ୍ବ ନିର୍ବାହ କରୁନାହାନ୍ତି। ଫଳରେ ସମ୍ବଲପୁର ଜିଲା ଖିଣ୍ଡା ପଞ୍ଚାୟତ ସ୍ଥିତ ତଲାବିରା-୧ କୋଇଲା ଖଣିରେ ଗଚ୍ଛିତ ଥିବା ପ୍ରାୟ ୯ ମିଲିୟନ ଟନ୍ ମୂଲ୍ୟବାନ ‘କଳାହୀରା’ (କୋଇଲା) ଅକାରଣରେ ଜଳି ପାଉଁଶ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି। ସମ୍ପ୍ରତି ତଲାବିରା-୧ କୋଇଲାଖଣିକୁ ଲିଜ୍ରେ ନେଇଥିବା କମ୍ପାନୀ ୯ ବର୍ଷ ପରେ ମଧ୍ୟ କୋଇଲା ଖନନ କରୁନାହିଁ। ଏପଟେ ତଲାବିରା ଖଣିରେ କୋଇଲା ଜଳୁଛି ା ଏହାକୁ ନେଇ କମ୍ପାନୀ କର୍ତ୍ତୃପକ୍ଷ ଏବଂ ପ୍ରଶାସନ ମୂକ ଦର୍ଶକ କାହିଁକି ସାଜିଛନ୍ତି ବୋଲି ସାମାଜିକ କର୍ମୀ ମନବୋଧ ବିଶ୍ବାଳ, ସୁରେନ୍ଦ୍ର ସାଏ ସ୍ମୃତି ସଂସଦର କାର୍ଯ୍ୟକାରୀ ସଭାପତି ପିତାମ୍ବରୀ ବିଶ୍ବାଳ, ସାମାଜିକ କର୍ମୀ ଅଶୋକ ରାଉତ ପ୍ରମୁଖ ପ୍ରଶ୍ନ କରିଛନ୍ତି ା ଏହି ଖଣିରେ ୯ ମିଲିୟନ ଟନ୍ କୋଇଲା ଗଚ୍ଛିତ ଥିବା କୁହାଯାଉଛି। ତେଣୁ ଏହି ସମସ୍ତ ମୂଲ୍ୟବାନ କୋଇଲା ପୋଡ଼ି ପାଉଁଶ ହେବା ଦେଶର କ୍ଷତି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି।
ତଲାବିରା-୧ କୋଇଲାଖଣି ପାଇଁ ୪୨୦ ଏକର ଜମି ଅଧିଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୨୨୫ ଏକର ଜମିରେ କୋଇଲା ଖନନ କରାଯାଇଛି। ହିଣ୍ଡାଲକୋ ଏବଂ ଜି.ଏମ୍.ଆର୍. କମ୍ପାନୀ ୧୦୦ ଏକରରୁ ଊର୍ଦ୍ଧ୍ବ ଅଞ୍ଚଳରେ ୬୦/୭୦ ଫୁଟ ଗଭୀରତା ଖୋଳି କୋଇଲା ଉତ୍ତୋଳନ କରିଥିଲେ। କୋଇଲା ଉତ୍ତୋଳନ ପରେ ସରକାରୀ ନିୟମାନୁଯାୟୀ ଡମ୍ପିଂୟାର୍ଡର ମାଟି ଆଣି ସେଠାରେ ପୋତି ସମତଳ ପରେ ଚାରା ରୋପଣ କରିବା କଥା। କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ସମ୍ପୂର୍ଣ୍ଣ ଉପେକ୍ଷା କରିଛନ୍ତି ା ଫଳରେ ପରିବେଶ ପ୍ରଦୂଷିତ ହେବାସହ ବ୍ୟାପକ ମୃତ୍ତିକା କ୍ଷୟ ହୋଇ ଜନସାଧାରଣଙ୍କ ପାଇଁ ବିପଦର କାରଣ ସାଜିଛି। ସମ୍ପୃକ୍ତ ଅଞ୍ଚଳକୁ ଖାଦ୍ୟ ଅନ୍ବେଷଣରେ ଯାଉଥିବା ଗାଈଗୋରୁ, ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ସବୁବେଳେ ବିପଦ ରହିଛି। କୋଇଲା ଖନନ ସମୟରେ ହୀରାକୁଦ ଜଳଭଣ୍ଡାର ପାର୍ଶ୍ବରେ ମାଟିର ଏକ ଉଚ୍ଚ ହିଡ଼ ଦିଆଯାଇଥିଲା। ଉକ୍ତ ହିଡ଼ରେ ଘଞ୍ଚ ଅରମା ଜଙ୍ଗଲ ସୃଷ୍ଟି ହୋଇ ତଳେ ଥିବା କୋଇଲା ଦିନରାତି ଜଳୁଥିବା ପ୍ରତ୍ୟକ୍ଷଦର୍ଶୀ ପୀତାମ୍ବର ବିଶ୍ବାଳ ଓ ଅଶୋକ ରାଉତ ଜଣାଇଛନ୍ତି ା ଜାତୀୟ ସଂପତ୍ତି ନଷ୍ଟ ହେଉଥିଲେ ମଧ୍ୟ ଖଣି ବିଭାଗ ଏବଂ କମ୍ପାନୀ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଛନ୍ତି ା ତେଣୁ ସରକାର ଏଥିପ୍ରତି ଗୁରୁତ୍ବ ଦେଇ ଜାତୀୟ ସମ୍ପଦ ପୋଡ଼ି ପାଇଁ ଦାୟୀ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି ା ଏ ସମ୍ପର୍କରେ ମତାମତ ପାଇଁ ଖଣି ବିଭାଗର ଉପନିର୍ଦେଶକ ଅଜୟ ପ୍ରଧାନଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ ା



