ରେଙ୍ଗାଲି ଜୋନ୍(୨) ପଞ୍ଚାୟତ ନିର୍ବାଚନ: ବିଜେଡି-ବିଜେପି-କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା

ଜମିକୁ ଜଳ, ପିଇବା ପାଣି, ସ୍ୱାସ୍ଥ୍ୟ ଏବଂ ଉପାନ୍ତ ଅଞ୍ଚଳର ରାସ୍ତାଘାଟ ମୁଖ୍ୟ ସମସ୍ୟା

ରେଙ୍ଗାଲି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୟୀ ହେବାକୁ ରେଙ୍ଗାଲି ଜୋନ୍(୨)ରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ଦଳୀୟ ନେତା ଏବଂ ସମର୍ଥକମାନଙ୍କୁ ଧରି ଜୋରସୋର ପ୍ରଚାର ଚଳାଇ ନିୟମିତ ଜନସମ୍ପର୍କ ଅଭିଯାନ ଜାରି ରଖିଛନ୍ତି। ଏହି ଜୋନ ଲଇଡା, ରେଙ୍ଗଲୋଇ, କିନାଲୋଇ, ଝାଙ୍କରପାଲି, କତରବଗା, ଟାମ୍ପରକେଲା ଏବଂ ତବଡାବାହାଲ ଆଦି ୭ଟି ପଞ୍ଚାୟତକୁ ନେଇ ଗଠିତ। ଜୋନ୍‌ର ମୋଟ୍ ଭୋଟର ସଂଖ୍ୟା ୨୯,୨୮୮ ସେଥିରୁ ମହିଳା ଭୋଟର ସଂଖ୍ୟା ୧୪୮୬୪ ଏବଂ ପୁରୁଷ ଭୋଟରଙ୍କ ସଂଖ୍ୟା ୧୪,୪୨୪। ଏଥର ନିର୍ବାଚନରେ ବିଜେପି ଦଳରୁ ପ୍ରାର୍ଥୀ ହୋଇଛନ୍ତି ବିଦାୟୀ ଜିଲ୍ଲାପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ। ରାଧେଶ୍ୟାମ ବାରିକ ପଞ୍ଚାୟତ ନିର୍ବାଚନରେ ଏପର୍ଯ୍ୟନ୍ତ ଅପରାଜୟ ନେତା। ଓ୍ବାର୍ଡମେମ୍ବର ନିର୍ବାଚନରୁ ଜୟଯାତ୍ରା ଆରମ୍ଭ କରି ମାନେଶ୍ୱର ବ୍ଳକ୍ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦ ନିର୍ବାଚନରେ ବିଜୟୀ ହୋଇ ଜିଲ୍ଲାପରିଷଦ ଅଧ୍ୟକ୍ଷ ହୋଇପାରିଛନ୍ତି। ବିଜେଡି ଟିକେଟରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି ସେନାବାହିନୀର ସେବାନିବୃତ୍ତ ପାରାଟ୍ରୁପର୍ କମାଣ୍ଡୋ ଦେନାରାୟଣ ତିୱାରୀ । ସେନାବାହିନୀରେ କାର୍ଯ୍ୟରତ ଥିବା ସମୟରେ ଅନେକ ସର୍ଜିକାଲ୍ ଷ୍ଟ୍ରାଇକର ନେତୃତ୍ତ୍ୱ ନେଇ ନିଜର ଦକ୍ଷତା ଓ ବୀରତ୍ୱର ପରିଚୟ ଦେଇ ଶତୃପକ୍ଷକୁ ପରାଜିତ କରି ପ୍ରଶଂସିତ ହୋଇଛନ୍ତି। ସେନା ବାହିନୀରେ ରହି ଦେଶର ସୁରକ୍ଷା ପାଇଁ ନିଜକୁ ସମର୍ପିତ କରି ଅବସର ପରେ ଜନସାଧାରଣଙ୍କ ସେବା ପାଇଁ ଶ୍ରୀ ତିୱାରୀ ପ୍ରଥମ ଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। କଂଗ୍ରେସ ଦଳର ଟିକେଟରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି ଜିଲ୍ଲା କଂଗ୍ରେସ କମିଟିର ସମ୍ପାଦକ ସରୋଜ ପୂଜାରୀ । ସେ ଛାତ୍ର ଜୀବନରୁ ରାଜନୀତି ଜୀବନ ଆରମ୍ଭ କରି କଳେଜ ଛାତ୍ର ସଂସଦର ସଭାପତି ପରେ ସିପିଆଇ ଜୋନ୍ ସମ୍ପାଦକ ଥିଲେ। ଲଇଡା କୃଷକ ସଙ୍ଗଠନର ସଭାପତି ଥିବା ସମୟରେ କରାମାଡ କ୍ଷତିପୂରଣ, ମରୁଡି ଅଞ୍ଚଳ ଘୋଷଣା, ଫସଲବୀମା କ୍ଷତିପୂରଣ, ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ଆଦି ସମସ୍ୟାକୁ ନେଇ ହୋଇଥିବା ଆନ୍ଦୋଳନରେ ସେ ନେତୃତ୍ୱ ନେଇଥିଲେ।

prayash

ରେଙ୍ଗାଲି ଜୋନ୍ (୨) ର ଅଧିବାସୀ ମୁଖ୍ୟତଃ କୃଷି ଉପରେ ନିର୍ଭଶୀଳ। ତେବେ ଜଳ ସେଚନର ସୁବିଧା ନଥିବାରୁ ଚାଷୀ ବର୍ଷାଜଳ ଉପରେ ନିର୍ଭର କରି ଚାଷ କରିବାକୁ ବାଧ୍ୟ ହେଉଛନ୍ତି। ଏଣୁ ପ୍ରାୟ ପ୍ରତିବର୍ଷ ମରୁଡି ସମସ୍ୟା ଦେଖାଦେଉଛି। ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ଏ ଅଞ୍ଚଳର ମୁଖ୍ୟ ପ୍ରସଙ୍ଗ ଅଟେ। ଭେଡେନ ନଦୀରେ ମେଗା ଜଳ ସେଚନ ଯୋଜନା, ସୁଖୁପଡା ଜଳସେଚନ ଯୋଜନା ଆଦି ଜଳସେଚନ ଯୋଜନା କାର୍ଯ୍ୟକ୍ଷମ କରାଯିବା ପାଇଁ ବହୁବର୍ଷ ହେଲା ଦାବୀ ହେଉଛି। ଏହି ଜୋନର ଟାମ୍ପରକେଲା ଓ ତବଡାବାହାଲ ପଞ୍ଚାୟତ ଅଞ୍ଚଳରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ସୁବିଧା ନଥିବାରୁ ଉଭୟ ପଞ୍ଚାୟତର ଜନସାଧାରଣଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ ସେବାକୁ ସୁନିଶ୍ଚିତ କରିବା ପାଇଁ ଅଞ୍ଚଳରେ ଏକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରିବାକୁ ଲୋକେ ଦୀର୍ଘ ବର୍ଷ ହେଲା ଦାବୀ କରୁଛନ୍ତି। କୁସୁମଡିହି, ଗୁମଲୋଇ, ଚନ୍ଦନିମାଲ, ଟାଙ୍ଗରପାଲି, ସହସିଆମାଲ, ଫଟାଙ୍ଗର, କଦମମାଲ, ସାଲେଡୁଙ୍ଗୁରି, ବଡମାଲ ଆଦି ଅନେକ ଗ୍ରାମରେ ଗ୍ରାଷ୍ମ ଋତୁ ନ ହେଉଣୁ ପିଇବା ଏବଂ ଗାଧୋଇବା ପାଣି ସମସ୍ୟା ଅସମାହିତ ହୋଇ ରହିଛି। ଝାଙ୍କରପାଲି ପଞ୍ଚାୟତର ସହସିଆମାଲ ଏବଂ ଟାଙ୍ଗରପାଲି ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ପଡୁଥିବା ନାଳା ଉପରେ ଗତ ଦେଢ ଦଶନ୍ଧି ହେଲା କଲଭର୍ଟ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡିରହିଥିବା ବେଳେ ଫଟାଟାଙ୍ଗର ଗ୍ରାମକୁ ଗମନାଗମନ ପାଇଁ ସବୁଦିନିଆ ରାସ୍ତା ନାହିଁ । ଲୋକେ ଧର୍ସାରେ ଯାତାୟାତ କରୁଛନ୍ତି। ଏସବୁ ଗାଁକୁ ଆମ୍ବୁଲାନ୍ସ ଯାଇପାରେ ନାହିଁ। ଗୁରୁତର ଅସୁସ୍ଥଙ୍କୁ ଖଟରେ ବୋହି ଆଣିବାକୁ ପଡୁଛି। ଏହି ଜୋନ୍ ଅନେକ ପଡାଗ୍ରାମକୁ ମଧ୍ୟ ରାସ୍ତା ନାହିଁ । ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଏହି ଜୋନର ଅନେକ ଗ୍ରାମକୁ ପହଞ୍ଚିପାରି ନାହିଁ । ଭାଗିପାଲି ଗ୍ରାମରେ ଦୀର୍ଘବର୍ଷ ହେଲା ପାଇପ୍ ଲାଇନ୍ କାମ ଶେଷ ହୋଇ ଓଭରହେଡ୍ ଟାଙ୍କି ନିର୍ମାଣ ହୋଇ ସାରିଥିଲେ ମଧ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ । କ୍ରୀଡାର ବିକାଶ ପାଇଁ ପ୍ରତି ରାଜସ୍ୱ ଗ୍ରାମରେ ଖେଳ ପଡିଆ ଏବଂ ପଞ୍ଚାୟତ ସଦର ମହକୁମାରେ ଷ୍ଟାଡିୟମ କରାଯିବ ବୋଲି ସରକାର କରିଥିବା ଘୋଷଣାର ଏପର୍ଯ୍ୟନ୍ତ ସଫଳ ରୂପାୟନ ହୋଇନାହିଁ। ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କ ପାଇଁ ଏସବୁ ଜନସମସ୍ୟାର ସମଧାନ କରିବା ବଡ ଆହ୍ୱାନ ହୋଇ ରହିବ।

kalyan agarbati

Comments are closed.