ବଢୁଛି ଟ୍ରାଫିକ୍ ସମସ୍ୟା, ଯାଉଛି ଜୀବନ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ରେଙ୍ଗାଲିକ୍ୟାମ୍ପରୁ ଗୋଡଭଗା ପର୍ଯ୍ୟନ୍ତ ଦିନକୁ ଦିନ ଟ୍ରାଫିକ ସମସ୍ୟା ଉଦ୍ଦେଗ ଜନକ ଭାବେ ବୃଦ୍ଧିପାଉଛି । କିନ୍ତୁ ତାର ପ୍ରତିକାର ପାଇଁ କୌଣସି ବ୍ୟବସ୍ଥା ଆଜି ଯାଏ କରାଯାଇ ପାରୁନାହିଁ । ସାଧାରଣ ଲୋକେ ଏଥିପାଇଁ ଚିନ୍ତାରେ ପଡ଼ୁଥିବାବେଳେ ନିତିଦିନିଆ ଭାବରେ ଛୋଟରୁ ବଡ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଉଛି। ଏପଟେ ରେଙ୍ଗାଲିକ୍ୟାମ୍ପ ଛକ ଓ ଗୋଡଭଗା ଛକ ଉଭୟ ଚାରି ମୁହାଁ ରାସ୍ତା । ରେଙ୍ଗାଲିକ୍ୟାମ୍ପ ଛକ ଜାତୀୟ ରାଜପଥରୁ ଗୋଟିଏ ପଟେ ପତ୍ରାପାଲି ଆଡ଼କୁ ରାସ୍ତା ଯାଇଥିବାବେଳେ ଅନ୍ୟପଟେ ଟାଙ୍ଗରପାଲି ଆଡ଼କୁ ରାସ୍ତାଟି ଲମ୍ବିଯାଇଛି । ଉଭୟ ପଟରୁ ସ୍କୁଲ୍ କଲେଜ ଛାତ୍ରଛାତ୍ରୀ , ପରିବା ଚାଷୀଙ୍କ ସମେତ ହଜାର ହଜାର ଲୋକେ ଯିବା ଆସିବା କରନ୍ତି । କିନ୍ତୁ ଏଠାରେ ଟ୍ରାଫିକ ନ ଥିବାରୁ ଟିକିଏ ଅସାବଧାନତା ହେଲେ ଜୀବନ ଯାଇପାରେ । ଅନେକ ବଡ ବଡ଼ ଦୁର୍ଘଟଣା ଘଟି ମଧ୍ୟ ସାରିଛି । ପୁଣି ଛକର ଉଭୟ ପଟେ କେନାଲ । ଠିକ ସେହିପରି ଗୋଡ଼ଭଗା ଛକରୁ ଗୋଟିଏ ପଟେ ଟୁରୁମ୍ ରାସ୍ତା ଓ ଅନ୍ୟ ପଟେ ଲହଣ୍ଡାକୁ ରାସ୍ତା ସଂଯୋଗ କରିଛି । ଏଠାରେ ବି ଟ୍ରାଫିକ ନାହିଁ । ଛାତ୍ର ଛାତ୍ରୀ ତଥା ବୟସ୍କ ଲୋକଙ୍କୁ ଏହି ରାସ୍ତା ପାରିହେବା ବଡ ମୁସ୍କିଲ ହୋଇ ପଡୁଛି ।
କୌଣସି ଜରୁରୀ କାମ ପାଇଁ କେହି ପଦଚାରୀ ହେଉ ବା ଯାନ ବାହନ ହେଉ , ରାସ୍ତା କରି ଯିବା ପାଇଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି । ସମୟ ତ ନଷ୍ଟ ହେଉଛି, ତା ସହ ଟ୍ରାଫିକ ନ ଥିବାରୁ ଲୋକେ ସୁରକ୍ଷିତ ଭାବରେ ରାସ୍ତା ପାରି ହୋଇପାରୁ ନାହାନ୍ତି । ମଝିରେ ଅତାବିରା ବସ୍ ଷ୍ଟାଣ୍ଡ ଛକ । ଏହି ଛକରେ ଏତେ ମାତ୍ରାରେ ଦୁର୍ଘଟଣା ଘଟି ଚାଲିଛି, ଯାହା ମନରେ ଭୟ ସଂଚାର କରୁଛି ଏହି ଛକ ପାରି ହେବା ପାଇଁ । ଦିନକୁ ଦିନ ଛକରେ ଦୋକାନ ବଜାର ବଢିବା ସାଙ୍ଗକୁ ଲୋକଙ୍କ ଭିଡ ବଢ଼ି ଚାଲିଛି। ତେଣୁ ଦୁର୍ଘଟଣାକୁ ଏଡ଼ାଇବାକୁ ହେଲେ ଟ୍ରାଫିକ ବ୍ୟବସ୍ଥା ନିହାତି ଜରୁରୀ । ଟ୍ରାଫିକ ଓ ଗାଡ଼ି ପାର୍କିଂ ବ୍ୟବସ୍ଥା ନ ଥିବା ଯୋଗୁଁ ରାସ୍ତା ତଥା ସହରର ସୌନ୍ଦର୍ଯ୍ୟ ମଧ୍ୟ ରହି ନାହିଁ। ତେଣୁ ଟ୍ରାଫିକ ବ୍ୟବସ୍ଥା ଓ ପାର୍କିଂ ବ୍ୟବସ୍ଥା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
Comments are closed.