ରାଜସ୍ୱ ଏବଂ କୃଷି ବିଭାଗ ପକ୍ଷରୁ ମରୁଡି କ୍ଷତିଗ୍ରସ୍ତ ଚାଷ ଜମି ପରିଦର୍ଶନ

ରେଙ୍ଗାଲି: ଚଳିତ ଖରିଫ ଋତୁ ରେ ବର୍ଷ ର ଘୋର ଅଭାବ ଯୋଗ ଭୟାବହ ମରୁଡି ପରିସ୍ଥିତି ଦେଖାଦେଇଛି। ବିଗତ ଦିନରେ ଲଇଡା, ରେଙ୍ଗଲୋଇ, କିନାଲୋଇ ,କତରବଗା ଆଦି ପଞ୍ଚାୟତର କୃଷକ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ କରାଯାଇ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରି ମରୁଡି ଅଞ୍ଚଳ ଘୋଷଣା, ସମ୍ପୂର୍ଣ କୃଷି ଋଣ ଛାଡ, ଫସଲବୀମା କ୍ଷତି ପୂରଣ ଆଦି ଦାବୀ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ରେଙ୍ଗାଲି ତହସିଲଦାର ସୁନିଲ କୁମାର ମେହେର ଏବଂ ଅତିରିକ୍ତ ତହସିଲଦାର ନେପାଳଚନ୍ଦ୍ର ମୁଣ୍ଡା ରାଜସ୍ୱ ଏବଂ କୃଷି ବିଭାଗ ଅଧିକାରୀମାନଙ୍କ ସହିତ ଦୁଇଟି ପୃଥକ୍‍ ଟିମ୍‍ ନେଇ ରେଙ୍ଗାଲି, ଲପଙ୍ଗା, କତରବଗା ଏବଂ ଲଇଡା ସର୍କଲର ବିଭିନ୍ନ ଗ୍ରାମର ମରୁଡି କ୍ଷତିଗ୍ରସ୍ତ ଚାଷ ଜମି ପରିଦର୍ଶନ କରିଥିବା ଜଣାପଡିଛି।

ତହସିଲଦାର ଶ୍ରୀ ମେହେର କୃଷି ସଂପ୍ରସାରଣ ଅଧିକାରୀ, ଗ୍ରାମ୍ୟ କୃଷି କର୍ମଚାରୀ, ରାଜସ୍ୱ ନିରୀକ୍ଷକଙ୍କ ସହିତ ରେଙ୍ଗାଲି ଏବଂ ଲପଙ୍ଗା ସର୍କଲର ବିଭିନ୍ନ ଗ୍ରାମ ମରୁଡି କ୍ଷତିଗ୍ରସ୍ତ ଚାଷ ଜମି ପରିଦର୍ଶନ କରିଥିଲେ। କତରବଗା ପଞ୍ଚାୟୟତର ଗଡପଟିଏନ୍‍ କୃଷକ ସଙ୍ଗଠନ ର ସଭାପତି ଲକ୍ଷ୍ମଣ ଖମାରୀ, ସମ୍ପାଦକ ହେମନ୍ତ ଦାଶ ପ୍ରମୁଖ ଉପସ୍ଥିତି ରହି ମରୁଡି ପରିସ୍ଥିତି ନେଇ ତହସିଲଦାର ଏବଂ କୃଷି ଅଧିକାରୀଙ୍କୁ ଅବଗତ କରାଇଥିଲେ। ଅତିରିକ୍ତ ତହସିଲଦାର ନେପାଳ ଚନ୍ଦ୍ର ମୁଣ୍ଡା ଅତିରିକ୍ତ କୃଷି ସଂପ୍ରସାରଣ ଅଧିକାରୀ, ଗ୍ରାମ୍ୟ କୃଷି କର୍ମଚାରୀ ଏବଂ ରାଜସ୍ୱ ନୀରିକ୍ଷକଙ୍କ ସହିତ କତରବଗା ସର୍କଲର କତରବଗା, ଗୋଲାମାଲ, ବ୍ରହ୍ମଣୀପାଲି ଗ୍ରାମର ଚାଷ ଜମି ପରିଦର୍ଶନ କରିଥିଲେ। ଏହାବ୍ୟତୀତ ଶ୍ରୀ ମୁଣ୍ଡା ଅତିରିକ୍ତ କୃଷି ସଂପ୍ରସାରଣ ଅଧିକାରୀଙ୍କ ସହିତ ଲଇଡା ସର୍କଲର ଲଇଡା ଏବଂ କିନାଲୋଇ ପଞ୍ଚାୟତ ଗସ୍ତ କରି ସଂପୃକ୍ତ ସର୍କଲର ଆର୍‍.ଆଇ ଏବଂ ଗ୍ରାମ୍ୟ କୃଷି କର୍ମଚାରୀଙ୍କ ସହିତ ଜୁନାଡିହି, ଲଇଡା, ରଙ୍ଗଟିକ୍ରା ଗ୍ରାମର ଚାଷ ଜମି ବୁଲି ଦେଖିଥିଲେ। ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରାଯାଇଥିବାର ପ୍ରକାଶ।

Comments are closed.