www.samajalive.in
Monday, December 15, 2025
27.1 C
Bhubaneswar

ଚାଞ୍ଚଲ୍ୟକର ଶୀର୍ଷକ ବ୍ୟବହାର ନକରିବାକୁ ସତର୍କ କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଘରୋଇ ଟିଭି ସମାଚାର ଚ୍ୟାନେଲଗୁଡ଼ିକରେ ମିଛ ଦାବି ଏବଂ ଚାଞ୍ଚଲ୍ୟକର ଶୀର୍ଷକ (ହେଡଲାଇନ୍ସ) ବ୍ୟବହାର କରାଯାଉଥିବାରୁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଗମ୍ଭୀର ଚିନ୍ତା ପ୍ରକଟ କରିଛି। ଏ ସଂକ୍ରାନ୍ତରେ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ପରାମର୍ଶ ସହିତ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିସ୍ତୃତ ମାର୍ଗଦର୍ଶିକାରେ କେବୁଲ ଟେଲିଭିଜନ ନେଟୱର୍କ (ନିୟାମକ) ଆଇନ, ୧୯୯୫ର ଧାରା ୨୦ର ବ୍ୟବସ୍ଥାକୁ ପାଳନ କରିବା ଲାଗି ଆହ୍ୱାନ କରାଯାଇଛି। ଏଥିସହିତ ଏହି ଆଇନ ଅଧୀନରେ ଆସୁଥିବା ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସଂହିତାକୁ ପାଳନ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।
ନିକଟରେ କେତେକ ଟିଭି, ସାଟେଲାଇଟ୍ ଟିଭି ଚ୍ୟାନେଲ ପକ୍ଷରୁ ବିଭିନ୍ନ ଘଟଣା ଏବଂ ଘଟଣା ସଂକ୍ରାନ୍ତ ଖବର ଏପରି ଭାବେ ପ୍ରସାରଣ କରାଯାଇଥିଲା ଯାହାକି ଅସତ୍ୟ, ଭ୍ରମାତ୍ମକ ଓ ଚାଞ୍ଚଲ୍ୟକର ଥିଲା । ଏଥିରେ ବ୍ୟବହୃତ ଭାଷା ଏବଂ ଟିପ୍ପଣୀ ସାମାଜିକ ଦୃଷ୍ଟିରୁ ଗ୍ରହଣୀୟ ନଥିଲା । ଏପରି ଖବର ପ୍ରସାରଣ ଅଶାଳୀନ, ଅଶ୍ଳୀଳ, ଅସମ୍ମାନସୂଚକ ଏବଂ ସାମ୍ପ୍ରଦାୟିକ ସଦ୍ଭାବ ନଷ୍ଟ କରିବା ଭଳି ଥିଲା । ଏଭଳି ଖବର ପ୍ରସାରଣ ଦୃଷ୍ଟିକୁ ଆସିବା ପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ଏ ସଂକ୍ରାନ୍ତରେ ମନ୍ତ୍ରଣାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକାରେ ୟୁକ୍ରେନ-ରୁଷ ଯୁଦ୍ଧ, ଉତର-ପଶ୍ଚିମ ଦିଲ୍ଲୀରେ ଘଟିଥିବା ଘଟଣା ସମ୍ପର୍କରେ ପ୍ରସାରିତ ଖବରର ଉଦାହରଣ ଦିଆଯାଇଛି। ଏସବୁ ଖବର ପ୍ରସାରଣ ସମୟରେ କେତେକ ଟିଭି ଚ୍ୟାନେଲର ବିଷୟବସ୍ତୁ ଏବଂ ବିତର୍କରେ କାର୍ଯ୍ୟକ୍ରମ ସଂହିତାର ଉଲ୍ଲଙ୍ଘନ କରାଯାଇଥିବା ମନ୍ତ୍ରଣାଳୟର ଦୃଷ୍ଟିକୁ ଆସିଛି ।
ୟୁକ୍ରେନ-ରୁଷ ଯୁଦ୍ଧ ଉପରେ ରିପୋର୍ଟିଂ କରିବା ସମୟରେ କେତେକ ଚ୍ୟାନେଲ ଚାଞ୍ଚଲ୍ୟକର ତଥା ନିନ୍ଦନୀୟ ଶୀର୍ଷକ ବ୍ୟବହାର କରୁଥିବା ମନ୍ତ୍ରଣାଳୟର ଦୃଷ୍ଟିକୁ ଆସିଛି । ସେହିପରି ସାମ୍ବାଦିକମାନେ କେତେକ ଆଧାରହୀନ ଓ ମନଗଢ଼ା ଦାବି କରିବା ଏବଂ ଦର୍ଶକମାନଙ୍କୁ ଉତ୍ତେଜିତ କରିବା ଭଳି ଅତିଶୟୋକ୍ତିର ବ୍ୟବହାର କରିଛନ୍ତି । ଦିଲ୍ଲୀ ହିଂସା ଘଟଣାରେ, କେତେକ ଚ୍ୟାନେଲ ଉତ୍ତେଜନା ସୃଷ୍ଟିକାରୀ ଶୀର୍ଷକ ଏବଂ ହିଂସାତ୍ମକ ଭିଡିଓ ଥିବା ସମାଚାର ପ୍ରସାରିତ କରିଛନ୍ତି। ଏପରି ଖବର ପ୍ରସାରଣ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରିବା ସହିତ ଶାନ୍ତି ଏବଂ ଆଇନ-ଶୃଙ୍ଖଳା ନଷ୍ଟ କରି ଦେଇପାରେ। କ୍ଷମତାପ୍ରାପ୍ତ ଅଧିକାରୀମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ସାମ୍ପ୍ରଦାୟିକ ରଙ୍ଗ ଦେଇ ଚ୍ୟାନେଲମାନେ ଅଯଥା ଚର୍ଚ୍ଚା ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି।
ଅଗଣତାନ୍ତ୍ରୀକ, ଉତେଜନା ସୃଷ୍ଟିକାରୀ ଏବଂ ସାମାଜିକ ଭାବେ ଗ୍ରହଣ ହେଉ ନଥିବା ଭାଷା, ସାମ୍ପ୍ରଦାୟିକ ଟିପ୍ପଣୀ ଓ ଅପମାନଜନକ ସନ୍ଦର୍ଭ ପ୍ରସାରଣ କରୁଥିବାରୁ ଘରୋଇ ଟିଭି ଚ୍ୟାନେଲଗୁଡ଼ିକୁ ମନ୍ତ୍ରଣାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି । ଏପରି ଖବର ପ୍ରସାରଣ ଦର୍ଶକମାନଙ୍କ ଉପରେ ନକାରାତ୍ମକ ମନୋବୈଜ୍ଞାନିକ ପ୍ରଭାବ ପକାଇପାରେ ଏବଂ ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରିପାରେ । ସମାଜରେ ବ୍ୟାପକ ଅଶାନ୍ତି ସୃଷ୍ଟିର କାରଣ ହୋଇପାରେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଥିସହିତ କେବୁଲ ଟେଲିଭିଜନ ନେଟୱର୍କ (ନିୟାମକ) ଆଇନ, ୧୯୯୫ ଏବଂ ଏହା ଅଧୀନରେ ଥିବା ନିୟମାବଳୀର ଉଲ୍ଲଂଘନ ନକରିବାକୁ ଦୃଢ଼ ଭାବେ ସତର୍କ କରି ଦିଆଯାଇଛି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories