ସମାଜ ପୋର୍ଟାଲ ଡେସ୍କ: ଦେଶରେ କୋଭିଡ୍-୧୯ରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କର ଆରୋଗ୍ୟ ହାର ଶତକଡ଼ା ୧୯ଦଶମିକ୍ ୩/୬ ଭାଗ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ବର୍ତ୍ତମାନ ସୁଦ୍ଧା ୩ହଜାର ୮୭୦ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟା ଭିତରେ ଆଉ ୧ହଜାର ୩୮୩ ଜଣ ଲୋକ ଭୂତାଣୁରେ ସଂକ୍ରମିତ ହୋଇଥିବାର ଖବର ମିଳିଛି। ମନ୍ତ୍ରଣାଳୟ କହିଛି, ଦେଶରେ ବର୍ତ୍ତମାନ ୧୯ହଜାର ୯୮୪ ଜଣ ବ୍ୟକ୍ତି ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଗତ ୨୪ ଘଣ୍ଟା ଭିତରେ ଆଉ ୫୦ଜଣ ସଂକ୍ରମିତ ଲୋକଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ – ଆଇସିଏମଆର ର୍ୟାପିଡ୍ ଆଣ୍ଟିବଡି ଟେଷ୍ଟପାଇଁ ରାଜ୍ୟଗୁଡ଼ିକୁ ନିୟମାବଳୀ ଜାରି କରିଛି।
ମନ୍ତ୍ରଣାଳୟ କହିଛି, ଆଣ୍ଟିବଡି ର୍ୟାପିଡ୍ ଟେଷ୍ଟ୍ ବିଶେଷ କରି ତଦାରଖ ଉଦ୍ଦେଶ୍ୟରେ କରାଯାଇଥାଏ। ଏହି ପରୀକ୍ଷା ବ୍ୟବସ୍ଥା ସମଗ୍ର ବିଶ୍ୱରେ ଗ୍ରହଣ କରାଯାଉଛି ଓ ବର୍ତ୍ତମାନ ଏହାକୁ ଜଣେ ବ୍ୟକ୍ତିଙ୍କ ଶରୀରର ପ୍ରତିରୋଧକ ଶକ୍ତି ଜାଣିବା ପାଇଁ ବ୍ୟବହାର କରାଯାଉଛି। ପରୀକ୍ଷାର ଫଳାଫଳ ପରୀକ୍ଷା କରାଯାଉଥିବା ଅଞ୍ଚଳ ଉପରେ ନିର୍ଭର କରେ। ଆଇସିଏମଆର କହିଛି, ଏହି ପରୀକ୍ଷା କୋଭିଡ୍-୧୯ ଭୂତାଣୁ ସଂକ୍ରମଣ ବିଷୟରେ ଜାଣିବା ପାଇଁ କରାଯାଉଥିବା RT-PCR ପରୀକ୍ଷାର ଏକ ବିକଳ୍ପ ନୁହେଁ। ଏ ସଂକ୍ରାନ୍ତରେ ଆଇସିଏମଆର ରାଜ୍ୟଗୁଡ଼ିକୁ ପରାମର୍ଶ ଦେବା ଜାରି ରଖିବ। ମନ୍ତ୍ରଣାଳୟ କହିଛି, ଏହି ପରୀକ୍ଷା କରିବା ପାଇଁ ଥିବା ନିୟମାବଳୀଗୁଡ଼ିକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି।



