www.samajalive.in
Saturday, December 6, 2025
16.1 C
Bhubaneswar

ପାଡିକଲ୍‍, କୋହଲି ଆର୍‍ସିବିକୁ ୩ୟ ବିଜୟ ଦେଲେ

ଆବୁଧାବି : ଚଳିତ ଆଇପିଏଲ୍‍ରେ ପ୍ରଥମ ଦଳ ଭାବେ ୩ଟି ମ୍ୟାଚ୍‍ ଜିତିପାରିଛି ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‍ସିବି)। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଶନିବାର ଖେଳା ଯାଇଥିବା ଅପରାହ୍‍ଣ ମ୍ୟାଚ୍‍ରେ ରାଜସ୍ଥାନ ରୟାଲ୍‍ସକୁ ସହଜରେ ୮ ୱିକେଟରେ ଆର୍‍ସିବି ପରାସ୍ତ କରିଛି। ରାଜସ୍ଥାନର ଉପର ଅର୍ଡର ବିଫଳ ହୋଇଥିବା ବେଳେ ମହିପାଳ ଲୋମରର ଓ ରାହୁଲ ତିୱତିଆଙ୍କ ସାହସିକ ଇନିଂସ ବଳରେ ଏହା ୬ ୱିକେଟରେ ୧୫୪ ରନ୍‍ କରିଥିଲା। ତେବେ ଦେବଦତ୍ତ ପାଡିକଲ ଓ ବିରାଟ କୋହଲି ଅର୍ଦ୍ଧଶତକ ମାରିବାରୁ ୫ଟି ବଲ୍‍ ବାକିଥାଇ ୨ ୱିକେଟ ହରାଇ ଆର୍‍ସିବି ମ୍ୟାଚ୍‍ ଜିତି ନେଇଥିଲା। ରାଜସ୍ଥାନ ରୟାଲ୍‍ସ ପ୍ରଥମ ୨ଟି ମ୍ୟାଚ୍‍ ଜିତିବା ପରେ କ୍ରମାଗତ ୨ୟ ମ୍ୟାଚ୍‍ରେ ପରାସ୍ତ ହୋଇଛି।
ଟସ୍‍ ଜିତି ରାଜସ୍ଥାନ ରୟାଲ୍‍ସ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ତେବେ ପ୍ରଥମ ୨୫ଟି ବଲ୍‍ରେ ରାଜସ୍ଥାନ ତା’ର ୩ ପ୍ରମୁଖ ବ୍ୟାଟ୍‍ସମ୍ୟାନ୍‍ଙ୍କୁ ହରାଇଥିଲା। ଅଧିନାୟକ ଷ୍ଟିଭେନ୍‍ ସ୍ମିଥ୍‍ ୫ ରନ୍‍କରି ପ୍ରଥମେ ଆଉଟ ହୋଇଥିଲେ। ଆରମ୍ଭରୁ ଚମତ୍କାର ଷ୍ଟ୍ରୋକ୍‍ ଖେଳିଥିବା ଅନ୍ୟ ଓପ୍‍ନର ଜୋସ୍‍ ବଟ୍‍ଲର ୧୨ ବଲ୍‍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୨ ରନ୍‍କରି ବିଦାୟ ନେଇଥିଲେ। ଫର୍ମରେ ଥିବା ସଞ୍ଜୁ ସାମ୍‍ସନ ମାତ୍ର ୪ ରନ୍‍ କରି ପାରିଥିଲେ। ୬ ଓଭରର ପାୱରପ୍ଲେରେ ରାଜସ୍ଥାନ ୩୮ ରନ୍‍ କରିଥିଲା। ୩୧ ରନ୍‍ରେ ରାଜସ୍ଥାନ ୪ଟି ୱିକେଟ ହରାଇବା ପରେ ଯୁବ ବ୍ୟାଟ୍‍ସମ୍ୟାନ୍‍ ମହିପାଳ ଲୋମରର ଓ ଅଭିଜ୍ଞ ରବିନ୍‍ ଉଥପ୍ପା ସ୍ଥିତି ସୁଧାରିବାର ପ୍ରୟାସ କରିଥିଲେ। ଏକ ବେପରୁଆ ସଟ୍‍ ଖେଳି ଆଉଟ ହେବା ପୂର୍ବରୁ ଉଥପ୍ପା ୨୨ ବଲ୍‍ରୁ ୧୭ ରନ୍‍ କରିଥିଲେ। ଅନ୍ୟ ଯୁବ ବ୍ୟାଟ୍‍ସମ୍ୟାନ୍‍ ଆସାମର ରିୟାନ୍‍ ପରାଗ ୧୮ ବଲ୍‍ରୁ ୧୬ ରନ୍‍ କରି ପାରିଥିଲେ। ଚମତ୍କାର ଇନିଂସ ଖେଳିଥିବା ମହିପାଳ ଲୋମରର ୩୯ ବଲ୍‍ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୪୭ ରନ୍‍ କରିଥିଲେ। ଶେଷ ୨୦ ବଲ୍‍ରୁ ରାହୁଲ ତିୱତିଆ ଓ ଜୋଫ୍ରା ଆର୍ଚର ୪୦ ରନ୍‍ ନେଇଥିଲେ। ଆର୍ଚର ୧୦ ବଲ୍‍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୬ ରନ୍‍କରି ଅପରାଜିତ ଥିଲେ। ତିୱତିଆ ୧୨ ବଲ୍‍ରୁ ୩ଟି ଛକା ସହ ୨୪ ରନ୍‍କରି ଅପରାଜିତ ଥିଲେ। ୟୁଜବେନ୍ଦ୍ର ଚହଲ ୩ଟି ଓ ଇସୁରୁ ଉଦାନା ୨ଟି ୱିକେଟ ପାଇଥିଲେ।
ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୫୫ ରନ୍‍ର ପିଛା କରିଥିବା ବେଳେ ଆରୋନ୍‍ ଫିଞ୍ଚ୍‍ ୮ ରନ୍‍କରି ବିଦାୟ ନେଇଥିଲେ। ତେବେ ଅନ୍ୟ ଓପ୍‍ନର ଦେବଦତ୍ତ ପାଡିକଲ ଓ ଅଧିନାୟକ ବିରାଟ କୋହଲି ୨ୟ ୱିକେଟ ପାଇଁ ୯୯ ରନ୍‍ର ଭାଗିଦାରୀ କରି ଦଳର ବିଜୟ ନିଶ୍ଚିତ କରିଥିଲେ। ଆରମ୍ଭରୁ ବାମହାତି ପାଡିକଲ ଅକ୍ରମଣ କରିଥିବା ବେଳେ ପରେ କୋହଲି ମଧ୍ୟ ଲୟରେ ନଜର ଆସିଥିଲେ ଏବଂ କିଛି ଦର୍ଶନୀୟ ଷ୍ଟ୍ରୋକ୍‍ ଖେଳିଥିଲେ। ୩୪ ବଲ୍‍ରେ କର୍ଣ୍ଣାଟକର ପାଡିକଲ ଚଳିତ ଆଇପିଏଲ୍‍ରେ ୪ର୍ଥ ମ୍ୟାଚ୍‍ରେ ୩ୟ ଅର୍ଦ୍ଧଶତକ ପୂରଣ କରିଥିଲେ। ୧୬ଶ ଓଭରରେ ଆଉଟ୍‍ ହୋଇଥିବା ଦେବଦତ୍ତ ପାଡିକଲ ୪୫ ବଲ୍‍ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୬୩ ରନ୍‍ କରିଥିଲେ। ପରେ ଦୁଇ ବ୍ୟାଟିଂ ମହାରଥୀ ବିରାଟ କୋହଲି ଓ ଏବି ଡି’ଭିଲିଅର୍ସ ଆର୍‍ସିବିକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। ଡି’ଭିଲିଅର୍ସ ୧୦ ବଲ୍‍ରୁ ୧୨ ରନ୍‍କରି ଅପରାଜିତ ଥିଲେ। ୪୧ ବଲ୍‍ରେ ଚଳିତ ସିଜିନ୍‍ରେ ପ୍ରଥମ ଏବଂ ୩୭ତମ ଆଇପିଏଲ୍‍ ଅର୍ଦ୍ଧଶତକ ହାସଲ କରିଥିବା କୋହଲି ୫୩ ବଲ୍‍ରୁ ୨ଟି ଛକା ଓ ୭ଟି ଚୌକା ସହ ୭୨ ରନ୍‍କରି ଅପରାଜିତ ଥିଲେ। ବୋଲିଂ ସଫଳତା ପାଇଁ ୟୁଜୁବେନ୍ଦ୍ର ଚହଲ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories