www.samajalive.in
Sunday, December 14, 2025
19.1 C
Bhubaneswar

ସିଜିମାଳି ଖଣି ଖନନ ନେଇ ଜନ ଶୁଣାଣି ; ସମର୍ଥନ କମ୍, ବିରୋଧ ଅଧିକ

ରାୟଗଡା/କାଶୀପୁର/ଟିକିରି :  ରାୟଗଡା ଜିଲା କାଶୀପୁର ଅଂଚଳରେ ଥିବା ସିଜିମାଳି ବକ୍ସାଇଟ୍ ଖଣି ଖନନ ନେଇ ସୋମବାର ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଗୋ ବ୍ୟାକ୍ ମୈତ୍ରୀ, ଗୋ ବ୍ୟାକ୍ ବେଦାନ୍ତ କମ୍ପାନୀ ନାରାରେ କମ୍ପିଥିଲା ସୁଙ୍ଗେର ଅଂଚଳ ଓ ଜନଶୁଣାଣି ସ୍ଥଳ। ଏହି ଜନଶୁଣାଣିରେ ସମର୍ଥକ କମ୍ ବିରୋଧୀଙ୍କୁ ଅଧିକ ମାତ୍ରାରେ ଦେଖିବାକୁ ମିଳିଥିଲା।
ସକାଳ ୧୦ଟା ବେଳେ କାଶୀପୁର ବ୍ଲକ ସୁଙ୍ଗେରସ୍ଥିତ ତ୍ରିନାଥ ଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ଜନ ଶୁଣାଣି ଆରମ୍ଭ ହୋଇଥିଲା। ଅତିରିକ୍ତ ଜିଲାପାଳ ରାମେଶ୍ୱର ପ୍ରଧାନ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ ଅଶୋକ କୁମାରଙ୍କ ଉପସ୍ଥିତିରେ ଏହି ଜନ ଶୁଣାଣି ହୋଇଥିଲା । ଏଥିରେ ଖଣି ପ୍ରଭାବିତ କାଶୀପୁର ବ୍ଲକର ତଳଝିରି, ସୁଙ୍ଗେର, ସିନ୍ଦୁରଘାଟି ଆଦି ପଂଚାୟତର ୪୦ରୁ ଅଧିକ ଗ୍ରାମର ହଜାର ହଜାର ପୁରୁଷ ଓ ମହିଳା ଯୋଗ ଦେଇଥିଲେ। ଖଣି ପ୍ରଭାବିତ ଅଂଚଳର ଭାରତୀ ନାୟକ, କାଂଚନ ମାଝି, ଜିତେନ୍ଦ୍ର ସାହୁ, କାର୍ତିକ ନାୟକ, ଦିବାକର ସାହୁଙ୍କ ସମେତ ପ୍ରାୟ ୧୦-୧୨ ଜଣ ସେମାନଙ୍କର ମତାମତ ବେଦାନ୍ତ ଓ ମୈତ୍ରୀ କମ୍ପାନୀ ବିରୋଧରେ ରଖିଥିଲେ। ଏହି ସିଜିମାଳି ଖଣି ଆମର ମାଆ। ଆଉ ଆମ ମାଆର କୌଣସି କ୍ଷତି ହେଲେ ଆମେ କାହାରିକୁ ଛାଡିବୁ ନାହିଁ। ସିଜିମାଳିର ପାଣି ପବନରେ ଆମେ ବଢିଛୁ ତେଣୁ ତାହାକୁ ଆମେ କଦାପି କମ୍ପାନୀ ହାତକୁ ଟେକି ଦେବୁ ନାହିଁ। ଆମେ ମରିବୁ ପଛେ କମ୍ପାନୀକୁ ଏଠାରେ ପୁରାଇ ଦେବୁ ନାହିଁ ବୋଲି ରୋକଠୋକ୍ ଚରମ ବାଣୀ ଶୁଣାଇଥିଲେ। ଗ୍ରାମସଭା, ପଲ୍ଲୀସଭା ନକରି କିଭଳି ପ୍ରଶାସନ ଏଠାରେ ଖଣି ଖନନ କରିବ ବୋଲି ପ୍ରଶ୍ନ କରିଥିଲେ।

- Advertisement -

ପୁଲିସର ଜୁଲମ ଏଠାରେ ମାତ୍ରାଧିକ। ବହୁ ଲୋକ ଏବେ ବି ପୁଲିସର ଗିରଫଦାରୀ ଭୟରେ ଜଙ୍ଗଲରେ ଲୁଚି ରହୁଛନ୍ତି। ସେମାନେ ଗାଁକୁ ଫେରି ପାରୁନଥିବା କହିଥିଲେ । ମିଥ୍ୟା ମାମଲାରେ ପୁଲିସ ଲୋକଙ୍କୁ ଆତଙ୍କବାଦୀ ଆଖ୍ୟା ଦେଇ ଜେଲରେ ଭର୍ତ୍ତି କରୁଥିବା ବନ୍ତେଜିର କାର୍ତ୍ତିକ ନାୟକ ଅଭିଯୋଗ କରିଛନ୍ତି । ସିଜିମାଳି ଆମର ଦେବତା। ସେ ଆମର ଜଗନ୍ନାଥ, ଲିଙ୍ଗରାଜ ମହାପ୍ରଭୁ। ତେଣୁ ତାକୁ ଆମେ ଛାଡିପାରିବୁ ନାହିଁ । ଏହି ସିଜିମାଳିରେ ୩୫୦ ଝରଣା ରହିଛି । ବହୁ ଔଷଧୀୟ ବୃକ୍ଷ ରହିଛି । ୧୦ ହଜାର ପଶୁପକ୍ଷୀ ଏଠାରେ ରହନ୍ତି । ଏହି ଖଣି ଖନନ ହେଲେ ସେମାନେ କୁଆଡେ ଯିବେ ବୋଲି ପ୍ରଶ୍ନ କରିଥିଲେ। ଖଣି ପ୍ରଭାବିତ ଅଂଚଳରେ ଲୋକମାନେ ନିଜର ଅସନ୍ତୋଷ ଜାହିର କରୁଥିବା ବେଳେ ବେଦାନ୍ତ କମ୍ପାନୀର ଜଣେ ଅଧିକାରୀ ମାଇକ୍ ଧରି କିଛି କହିବାକୁ ଚେଷ୍ଟା କରିବା ସମୟରେ ଲୋକେ ତାହାକୁ ବିରୋଧ କରିଥିଲେ। ତାପରେ ହୋହାଲ୍ଲା ହୋଇଥିଲା। ଆଉ ଶେଷରେ ଏହି ଜନ ଶୁଣାଣିକୁ ବନ୍ଦ ଘୋଷଣା କରିଥିଲେ ଅତିରିକ୍ତ ଜିଲାପାଳ। ଯାହାକୁ ନେଇ ଏଠାରେ ଏକତ୍ରିତ ହୋଇଥିବା ଲୋକେ ବେଦାନ୍ତ ଗୋ ବ୍ୟାକ୍, ମୈତ୍ରୀ କମ୍ପାନୀ ଗୋ ବ୍ୟାକ୍ ନାରା ଦେଇ ଏକ ଶୋଭାଯାତ୍ରା କରିଥିଲେ । ଏହି ଜନଶୁଣାଣିରେ କମ୍ପାନୀ ବିରୋଧରେ ଅଧିକାଂଶ ଲୋକ ମତାମତ ଦେଇଥିବା ବେଳେ ମାତ୍ର ଜଣେ ଦୁଇ ଜଣ ସପକ୍ଷରେ କହିଥିଲେ। ତେବେ ସପକ୍ଷବାଦୀମାନେ ନିଜର ମତାମତ ଲିଖିତ ଭାବେ ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରିଥିବା ଜଣାଯାଇଛି । ସେଭଳି ବିପକ୍ଷବାଦୀମାନେ ମଧ୍ୟ ଦୁଇ ହଜାରରୁ ଅଧିକ ଲୋକଙ୍କ ଦସ୍ତଖତ ଥିବା ଅଭିଯୋଗପତ୍ର ରାୟଗଡା ଉପଜିଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଯେ, ରାୟଗଡା ଜିଲାର କାଶୀପୁର ବ୍ଲକ ଓ କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ସୀମାବର୍ତ୍ତି ଅଂଚଳରେ ବେଦାନ୍ତ କମ୍ପାନୀ ୧୫୪୯.୦୨୨ ସ୍ଥାନରେ ବକ୍ସାଇଟ ଖଣି ଖନନ କରିବ। ପ୍ରସ୍ତାବିତ ୯.୦୦ଏମଟିପିଏସ ବକ୍ସାଇଟ୍ ଉତ୍ପାଦନ କରିବ। ଏଥିସହ ୦.୧୮ଏମଟିପିଏ ଟପ୍ ସଏଲ, ୭.୪୦ ଏମଟିପିଏ ବର୍ଜ୍ୟ, ୧.୪୨ ଏମଟିପିଏ ସବଗ୍ରେଡ କରିବା ସହିତ ୨ ଗୁଣନ ୧୨୦୦ ଟିପିଏଚ୍ କ୍ଷମତା ବିଶିଷ୍ଟ କ୍ରସର ନିମନ୍ତେ ଏହି ଜନ ଶୁଣାଣି ହୋଇଥିଲା ।

ସିଜିମାଳି ପାଇଁ ହୋଇଥିବା ଜନଶୁଣାଣି ଅତି ସୁନ୍ଦର ଭାବେ ଆଜି ସମାପନ ହୋଇଛି। ସେମାନଙ୍କର ମତାମତ, ମନ୍ତବ୍ୟ ଓ ପ୍ରସ୍ତାବ ଆମେ ଗ୍ରହଣ କରିଛୁ। ସ୍ଥାନୀୟ ଲୋକମାନେ କହିଥିବା କଥାକୁ ରେକଡିଂ କରାଯାଇଛି ଏବଂ ସେମାନେ ଲେଖିକରି ଦେଇଥିବା ପ୍ରସ୍ତାବକୁ ଆମେ ସରକାରଙ୍କ ନିକଟକୁ ପଠାଇବୁ। ପରବର୍ତି ସମୟରେ ସରକାର ଯାହା ନିଷ୍ପତି ନେବେ ବୋଲି କହିଛନ୍ତି ଅତିରିକ୍ତ ଜିଲାପାଳ ରାମେଶ୍ୱର ପ୍ରଧାନ। ସେପଟେ ଏହି ଜନଶୁଣାଣିରେ ଯେଉଁମାନେ ବିରୋଧ କରିଛନ୍ତି ସେମାନଙ୍କ ଗାଁ ଆମର ଖଣି ଅଂଚଳରେ ଆସୁନାହିଁ । ଆଉ ଯେଉଁ ଅଂଚଳ ପ୍ରଭାବିତ ହେବ ସେ ସବୁ ଗ୍ରାମବାସୀ ଆମକୁ ସମର୍ଥନ କରୁଛନ୍ତି । କଂଟାବାଡ ଗ୍ରାମବାସୀ ଅଧେ ଆମକୁ ସମର୍ଥନ କରୁଥିବା ବେଳେ ଅଧେ ଆମକୁ ବିରୋଧ କରୁଛନ୍ତି । ତେବେ ଏହି ଜନଶୁଣାଣି ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ବୋଲି କହିଛନ୍ତି ମୈତ୍ରୀ କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସତ୍ୟନାରାୟଣ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ରାୟଗଡା ଏସପି ବିବେକାନ୍ଦ ଶର୍ମାଙ୍କ ନେତୃତ୍ୱରେ ସୁଙ୍ଗେର ଅଂଚଳ ପୁଲିସ ଛାଉଣୀରେ ପରିଣତ ହୋଇଥିଲା। ରାସ୍ତାଘାଟରେ ବି ପୁଲିସର କଡା ପହରା ଦେଖିବାକୁ ମିଳିଥିଲା।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories