ଭୁଶୁଡ଼ିଲା ନିର୍ମାଣାଧୀନ କଲଭର୍ଟ, ୫ ମୃତ

ରାୟଗଡା : ରାୟଗଡା କଲ୍ୟାଣସିଂହପୁର ଉପରସାଜା ନିକଟରେ ସୋମବାର ଏକ ବଡ ଅଘଟଣ ଘଟିଛି। ନିର୍ମାଣାଧୀନ କଲଭର୍ଟ ଭୁଶୁଡି ୫ ଜଣଙ୍କ ଜୀବନ ଚାଲିଯାଇଛି। ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ରହିଛନ୍ତି । ଗାଧୋଉଥିବା ବେଳେ କଲଭର୍ଟଟି ଭୁଶୁଡି ପଡିବାରୁ ଏହି ଅଘଟଣ ଘଟିଛି।
ସୂଚନା ଯୋଗ୍ୟ,ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଉପରସଜା ଗ୍ରାମରେ ନିର୍ମାଣାଧିନ କଲଭର୍ଟ ବା ଛୋଟ ବ୍ରିଜ ତଳେ ଗାଧୋଉଥିବା ସମୟରେ ଭୁଶୁଡ଼ି ପଡିବା ଫଳରେ ୪ଜଣ ନାବାଳକ ସମେତ ୫ଜଣଙ୍କର ମୃତ୍ୟୁ ଘଟିଛି । ସେମାନେ ହେଲେ ଲକ୍ଷ୍ମୀଧର ମିଣିଆକା (୪୫), ପ୍ରିନ୍ସ ମିଣିଆକା (୫) , ସୁମାନ ମିଣିଆକା (୫), ସାରନ ମିଣିଆକା (୫) ,ମୋନଜ ମିଣିଆକା (୫) । ଆଜି ସକାଳେ ୮ ଟା ସମୟରେ ଲଗାଣବର୍ଷା ହେଉଥିବାରୁ ବ୍ରିଜତଳେ ୬ଜଣ ଗାଧୋଉଥିବା ବେଳେ ହଠାତ ଭୁଶୁଡ଼ି ପଡିବା କାରଣରୁ ସଭିଏଁ ବ୍ରିଜ ତଳେ ଚାପି ହୋଇ ଯାଇଥିଲେ।
ଖବର ଶୁଣି ଗ୍ରାମବାସୀ ପହଞ୍ଚି ଉଦ୍ଧାର କରିବା ସମୟରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୱେଷ ମିଣିଆକା(୫)ଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମୃତକ ମଧ୍ୟରେ ଲକ୍ଷ୍ମୀଧର ପୁଅ ପ୍ରିନ୍ସ ,ଦୁଇଭାଇ ସୁମନ ଓ ସାରନଙ୍କ ମୃତ୍ୟୁ ହୋଇଛି । ଗ୍ରାମ ଓ ଘଟଣା ସ୍ଥଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଉକ୍ତ ଖବର ପାଇ ମନ୍ତ୍ରୀ ଜଗନ୍ନାଥ ସାରକା ,ଜିଲା ବିଧାୟକ ମକରନ୍ଦ ମୁଦୁଲି , ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାସ ,ଜିଲା ଆରକ୍ଷୀ ବିବେକାନନ୍ଦ ଶର୍ମା , ଏସ ଡିପିଓ ଆର ସେନାପତି  ,ବିଡ଼ିଓ ସୁନିଲ ଖରା ,ତହସିଲଦାର ସୁଧାକର ରଇତ ,ଥାନା ଅଧିକାରୀ ସୁମନ୍ତି ମହାନ୍ତି ,ଅଗ୍ନିଶମ ବିଭାଗ ଅଧିକାରୀ ବଳରାମ ବେହେରା ଘଟଣା ସ୍ଥଳରେ ପହଞ୍ଚି  ମୃତ ପରିବାରକୁ ସମବେଦନା ଜଣାଇଥିଲେ । ଶବ ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି । ଅନ୍ୟ ପଟେ ସ୍ୱାମୀ ସାରନ ଓ ସୁମନଙ୍କ ମୃତ୍ୟୁ ସହି ନପାରି  ମାଆ ଦୀପାଇ ମିଣିଆକା ବିଷ ପାନ କରି ଆହତ ହୋଇଥିଲେ । ତାଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ପୂର୍ବରୁ ସ୍ୱାମୀଙ୍କ ମୃତ୍ୟୁ ହୋଇ ଯାଇଛି । ଏହାର ତଦନ୍ତ କରିବା ପରେ ମୃତ ପରିବାରକୁ ସହାୟତା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ପ୍ରକାଶ ଥାଉ କି ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ କଟଳୁପାଡୁ ଠାରୁ ତାଳସାଜା ଓ ଉପରସାଜା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଉଥିଲା। ଉକ୍ତ ରାସ୍ତାରେ ଉପରସାଜା ଗ୍ରାମ ନିକଟରେ ଏକ ମିନି ପୋଲ ନିର୍ମାଣ କରିବା ପାଇଁ ସେଥିରେ ସେଣ୍ଟ୍ରିଙ୍ଗ ପକାଇ ଦୁଇମାସ ହେବ ଠିକାଦାର ଛାଡ଼ିଦେଇଥିଲେ । ଯାହାଫଳରେ ଏହି ଘଟଣା ଘଟିଥିବା ଗ୍ରାମବାସୀ କହିଛନ୍ତି । ଉକ୍ତ ମୃତ ପରିବାରକୁ ହରିଚନ୍ଦ୍ର ଯୋଜନାରେ ସହାୟତା ଯୋଗାଇ ଦିଆଯିବ ବୋଲି ବିଡ଼ିଓ ସୁନିଲ ଖରା କହିଛନ୍ତି।

Comments are closed.