ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ କନ୍ୟା

ରାୟଗଡ଼ା :ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକରପାଇ ଅଞ୍ଚଳରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ଗଛ ବୁଦାମୂଳରୁ ଏକ ନବଜାତ ଶିଶୁକନ୍ୟା ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର ହୋଇଛି। ତେବେ ଶିଶୁକନ୍ୟାକୁ ସେଠାରେ କିଏ ଓ କାହିଁକି ଛାଡ଼ି ଚାଲିଯାଇଛି, ତାହା ଏଯାଏ ଜଣାପଡ଼ିନାହିଁ। ଖବର ଅନୁଯାୟୀ, ଶିକରପାଇ ଝୋଡ଼ିଆ ସାହି ନିକଟରେ ଥିବା ବନ୍ଧ ପାଖରେ ଆଜି ସକାଳୁ ଝୋଡିଆ ସାହିର କିଛି ମହିଳାମାନେ ନବଜାତ ଶିଶୁର କାନ୍ଦ ଶୁଣିଥିଲେ ଓ ବୁଦା ମୂଳରେ ନବଜାତ ଶିଶୁକନ୍ୟାକୁ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେମାନେ ତାକୁ ଉଦ୍ଧାର କରି ପ୍ରଥମେ ଶିକରପାଇ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ସତ୍ୟଜିତ ବେହେରା ଏବଂ ନର୍ସ ପ୍ରମିଳା କାଡ୍ରାକା ନବଜାତ ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ଓ ଶିଶୁଟିର ସ୍ବାସ୍ଥ୍ୟ ଠିକ୍ ଥିବା ଜଣାଇଥିଲେ। ଶିଶୁକନ୍ୟାର ଓଜନ ୨ କିଲୋଗ୍ରାମ୍ ରହିଥିବା କହିଥିଲେ। ଏନେଇ ସ୍ଥାନୀୟ ପୁଲିସ କୁ ସୂଚନା ଦିଆଗଲା ପରେ ଘଟଣାସ୍ଥଳରେ ଥାନାଧିକାରୀ ମୁକୁନ୍ଦ ଦେବ ନାୟକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଓ ଜିଲ୍ଲା ଶିଶୁ ଅଧିକାରୀଙ୍କୁ ଅବଗତ କରିଛନ୍ତି। ଏହି ଘଟଣା କଲ୍ୟାଣସିଂହପୁର ଅଞ୍ଚଳରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ସରକାରଙ୍କ ସଚେତନତା ସତ୍ତ୍ବେ ଏଭଳି କନ୍ୟା ଶିଶୁକୁ ଅବହେଳିତ କରି ଫୋପାଡ଼ିଦେବା କିଛି ଲୋକଙ୍କ ହୀନମନ୍ୟତା ପୁଣି ଥରେ ପଦାରେ ପଡ଼ିଛି ।

Comments are closed.