କଟକ : ଚଳିତ ସିଜିନ୍ର ରଣଜୀ ଟ୍ରଫିରେ ଓଡ଼ିଶା ଦଳର ଅଭିଯାନ ଶେଷ ହୋଇଯାଇଛି। ୧୯ ବର୍ଷ ପରେ ୨ୟ ଥର ରଣଜୀ ଟ୍ରଫିର ସେମିଫାଇନାଲ ଖେଳିବାର ସ୍ବପ୍ନ ଦେଖିଥିବା ଓଡ଼ିଶା ଦଳର ସ୍ବପ୍ନ ମଉଳି ଯାଇଛି। ଟାଙ୍ଗୀର ଡ୍ରିମ୍ସ ଗ୍ରାଉଣ୍ଡରେ ସୋମବାର ଶେଷ ହୋଇଥିବା ଓଡ଼ିଶା-ବଙ୍ଗଳା ରଣଜୀ ଟ୍ରଫି କ୍ବାର୍ଟରଫାଇନାଲ ମୁକାବିଲା ବିନା ହାରଜିତ ଫଇସଲାରେ ସମାପ୍ତ ହୋଇଛି। ଖରାପ ଆଲୋକ ଯୋଗୁଁ ସୋମବାର ୫ମ ତଥା ଅନ୍ତିମ ଦିନରେ ଦେଢ଼ଘଣ୍ଟା ଖେଳ ସମ୍ଭବହୋଇଥିଲା। ତେଣୁ ମ୍ୟାଚ୍ରେ ଫଳାଫଳର ଯାହା କିଛି କିଞ୍ଚିତ୍ ସମ୍ଭାବନା ଥିଲା; ତାହା ମଧ୍ୟ ଶେଷ ହୋଇ ଯାଇଥିଲା। ପ୍ରଥମ ଇନିଂସରେ ଆଗୁଆ ଥିବା ବଙ୍ଗଳା ସେମିଫାଇନାଲରେ ପହଞ୍ଚିଛି। ସୋମବାର ପୂରାଦିନ ଖେଳ ହୋଇଥିଲେ; ଓଡ଼ିଶା ପାଇଁ ସେତେ ଫଳପ୍ରଦ ହୋଇନଥା’ନ୍ତା। କାରଣ ସାଢ଼େ ୫ ଘଣ୍ଟାରେ ୪୫୬ ରନ୍ ବିଜୟଲକ୍ଷ୍ୟର ପିଛାକରିବା ପ୍ରାୟ ଅସମ୍ଭବ ଥିଲା।
ସୋମବାର ସକାଳୁ ବଙ୍ଗଳା ଦଳ ୨ୟ ଇନିଂସରେ ୩୭୩ ରନ୍କରି ଅଲ୍ଆଉଟ ହେବା ପରେ ଓଡ଼ିଶାକୁ ମ୍ୟାଚ୍ ଜିତିବା ଲାଗି ୪୫୬ ରନ୍ ବିଜୟଲକ୍ଷ୍ୟ ମିଳିଥିଲା। ଖରାପ ଆଲୋକ ଯୋଗୁଁ ମ୍ୟାଚ୍ ବାତିଲ ହେବା ବେଳକୁ ଓଡ଼ିଶା ୨ୟ ଇନିଂସରେ ବିନା ୱିକେଟରେ ୩୯ ରନ୍ କରିଥିଲା। ଅନୁରାଗ ଷଡ଼ଙ୍ଗୀ ୨୫ ଏବଂ ଶାନ୍ତନୁ ମିଶ୍ର ୧୪ ରନ୍କରି ଅପରାଜିତ ଥିଲେ। ପ୍ରଥମ ଇନିଂସରେ ୮୨ ରନ୍ ଆଗରେ ଥିବା ବଙ୍ଗଳା ୪ର୍ଥ ଦିନର ଖେଳ ଶେଷସୁଦ୍ଧା ୨ୟ ଇନିଂସରେ ୭ ୱିକେଟ ହରାଇ ୩୬୧ ରନ୍ କରିଥିଲା। ସୋମବାର ୫ମ ତଥା ଅନ୍ତିମ ଦିନରେ ଆଉ ମାତ୍ର ୬ ଓଭରରେ ୧୨ ରନ୍ ଯୋଗକରି ବଙ୍ଗଳା ତା’ର ଶେଷ ୩ଟି ୱିକେଟ ହରାଇଥିଲା। ମୁକେଶ କୁମାର ୬ ରନ୍କରି ଆଉଟ ହୋଇଥିଲେ। କ୍ରମାଗତ ୨ୟ ଅର୍ଦ୍ଧଶତକ ହାସଲ କରିଥିବା ଶାହ୍ବାଜ୍ ଅହମ୍ମଦ ଗୋଟିଏ ଛକା ଓ ୫ଟି ଚୌକା ସହ ୬୪ ରନ୍କରି ବିଦାୟ ନେଇଥିଲେ। ଓଡ଼ିଶାର କାମଚଳା ସ୍ପିନର ଗୋବିନ୍ଦ ପୋଦ୍ଦାର ୩ଟି ୱିକେଟ ନେଇଥିବା ବେଳେ ଅନୁରାଗ ଷଡ଼ଙ୍ଗୀ, ସୂର୍ଯ୍ୟକାନ୍ତ ପ୍ରଧାନ ଓ ଦେବବ୍ରତ ପ୍ରଧାନ ୨ଟି ୱିକେଟ ଲେଖାଏଁ ୱିକେଟ ପାଇଥିଲେ। ପ୍ରଥମ ଇନିଂସରେ ୧୫୭ ରନ୍ କରିଥିବା ବଙ୍ଗଳାର ଅନୁଷ୍ଟୁପ ମଜୁମଦାର ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ। ପ୍ରଥମଦିନ ବଙ୍ଗଳା ୪୬ ରନ୍ରେ ୫ଟି ୱିକେଟ ହରାଇବା ପରେ ଏହାକୁ ୩୩୨ ରନ୍ କରିବାକୁ ଦେବା ଏବଂ ପ୍ରଥମ ଇନିଂସରେ ୧ ୱିକେଟରେ ୧୩୫ ରନ୍ କରିବା ସତ୍ତ୍ବେ ୨୫୦ ରନ୍ରେ ଅଲ୍ଆଉଟ ହେବା ଓଡ଼ିଶା ପାଇଁ କାଳ ସାଜିଥିଲା।
ସ୍କୋରବୋର୍ଡ
ବଙ୍ଗଳା (୧ମ ଇନିଂସ ) ୩୩୨
ଓଡ଼ିଶା (୧ମ ଇନିଂସ ) ୨୫୦
ବଙ୍ଗଳା (୨ୟ ଇନିଂସ ) ୩୭୩
କୌଶିକ୍ ବୋ ଅନୁରାଗ ୪୧
ଈଶ୍ବରନ୍ କ୍ୟା ଅତିରିକ୍ତ ବୋ ପୋଦ୍ଦାର ୩୦
ଅଭିଷେକ କ୍ୟା ଧୁପର ବୋ ପୋଦ୍ଦାର ୬୭
ମନୋଜ ଏଲ୍ବି ଦେବବ୍ରତ ୬
ଅନୁଷ୍ଟୁପ କ୍ୟା ଶାନ୍ତନୁ ବୋ ପୋଦ୍ଦାର ୧୦
ଶ୍ରୀବତ୍ସ ଏଲ୍ବି ପ୍ରୀତ୍ ସିଂହ ୭୮
ଶାହ୍ବାଜ୍ କ୍ୟାପ୍ରୀତ୍ ବୋ ସୂର୍ଯ୍ୟକାନ୍ତ ୬୪
ନନ୍ଦୀ ବୋ ଅନୁରାଗ ୪୫
ମୁକେଶ ଏଲ୍ବି ଦେବବ୍ରତ ୬
ପୋରେଲ୍ ଅପରାଜିତ ୦
ନୀଳକଣ୍ଠ େବା ସୂର୍ଯ୍ୟକାନ୍ତ ୦
ଅତିରିକ୍ତ ୨୬
ୱିକେଟ ପତନ: ୧ମ-୬୦, ୨ୟ-୭୬, ୩ୟ-୯୭, ୪ର୍ଥ-୧୧୫, ୫ମ-୨୧୭, ୬ଷ୍ଠ-୨୭୩, ୭ମ-୩୫୧, ୮ମ-୩୬୧, ୯ମ-୩୭୩।
ବୋଲିଂ: ସୂର୍ଯ୍ୟକାନ୍ତ ୨୭-୪-୬୭-୨, ବସନ୍ତ ୧୬-୭-୨୧-୦, ଦେବବ୍ରତ ୨୮-୭-୬୯-୨, ପ୍ରୀତ୍ ସିଂହ ୨୨-୦-୭୦-୧, ପୋଦ୍ଦାର ୩୧-୬-୯୫-୩, ଅନୁରାଗ ୧୩-୨-୨୬-୨, ଶାନ୍ତନୁ ୧-୦-୨-୦।
ଓଡ଼ିଶା (୨ୟ ଇନିଂସ ) ୦/୩୯
ଅନୁରାଗ ଅପରାଜିତ ୨୪
ଶାନ୍ତନୁ ଅପରାଜିତ ୧୪
ଅତିରିକ୍ତ ୧
ବୋଲିଂ: ନୀଳକଣ୍ଠ ୫-୧-୨୦-୦, ମୁକେଶ ୫-୦-୧୮-୦।



