ଶ୍ରୀ ରଘୁନାଥ ଜୀଉଙ୍କ ରାମଲୀଳା ଉଦ୍‍ଯାପିତ

ଆଠଗଡ :  ଆଠଗଡର ୭୫ବର୍ଷ ପୁରାତନ ଶ୍ରୀ ଶ୍ରୀ ରଘୁନାଥ ଜୀଉ ରାମଲୀଳା ନାଟ୍ୟସଂଘ ପକ୍ଷରୁ ଚାଲିଥିବା ରାମଲୀଳା ସୋମବାର ରାଜ୍ୟ ଅଭିଷେକ ସହିତ ଉଦ୍‍ଯାପନ ହୋଇଯାଇଛି । ରାମନବମୀଠାରୁ ୧୩ଦିନ ପର୍ଯ୍ୟନ୍ତ ଚାଲିଥିବା ଏହି ରାମଲୀଳା ଉତ୍ସବର ପ୍ରଥମ ଦିନ ରାମଜନ୍ମଠାରୁ ଆରମ୍ଭ ହୋଇ ସୀତା ବିବାହ, ରାମ ବନବାସ, ଭରତ ଭେଟ, ସୀତାଚୋରୀ, ବାଳିବଧ, ଲଙ୍କାପୋଡି, ସେତୁବନ୍ଧ ପ୍ରତିଷ୍ଠା, ମହୀରାବଣ ବଦ୍ଧ, ରାବଣ ବଦ୍ଧ ସହିତ ରାମଙ୍କ ରାଜ୍ୟାଭିଷେକ ଗୀତିନାଟ୍ୟ ପରିବେଷଣ କରାଯାଇଥିଲା। ସ୍ଥାନୀୟ କଳାକାରଙ୍କର ନିଖୁଣ ଅଭିନୟ ପ୍ରତିଦିନ ଶତାଧିକ ଦର୍ଶକଙ୍କର ମନ ମୋହିଥିଲା। ଗୁରୁ ସଦାନନ୍ଦ ସାହୁଙ୍କ ନିର୍ଦ୍ଦେଶନାରେ ସ୍ଥାନୀୟ କଳାକାରମାନେ ଦୀର୍ଘ ବର୍ଷ ଧରି ରାମଲୀଳା ନାଟ୍ୟ ପରିବେଷଣ କରିଆସୁଛନ୍ତି। ରଘୁନାଥ ଜୀଉ ରାମଲୀଳା ନାଟ୍ୟସଂଘର ସଭାପତି ପ୍ରଭାକର ପଟ୍ଟନାୟକ, ସଂପାଦକ ଶିବଶଙ୍କର ଜେନା, ବରିଷ୍ଠ ସଭ୍ୟ ପ୍ରଦୀପ୍ତ କୁମାର ଦାସ, ରତିକାନ୍ତ ସାମନ୍ତ, ହୃଷିକେଶ ବେହେରା, ମନୋଜ ଦାସ ପ୍ରମୁଖଙ୍କ ସମେତ ଅନ୍ୟସଦସ୍ୟ ଏହି ରାମଲୀଳା ନାଟ୍ୟ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସୋମବାର ସକାଳେ ରାମଙ୍କ ରାଜ୍ୟାଭିଷେକ ସରିବା ପରେ ଶ୍ରୀରାମ, ଶ୍ରୀଲକ୍ଷ୍ମଣ, ମାତା ସୀତା ଓ ଶ୍ରୀ ହନୁମାନଙ୍କ ସମେତ ଭରତ, ଶତୃଘ୍ନ ଆଦି ନଗର ପରିକ୍ରମା କରିଥିଲେ। ନଗର ପରିକ୍ରମା କାଳରେ ଆଠଗଡ ସହରର ସମସ୍ତ ସାହିରେ ସେମାନଙ୍କୁ ମହିଳାମାନେ ବନ୍ଦାପନା କରିଥିଲେ।

Comments are closed.