ନୂଆଦିଲ୍ଲୀ : ଦେବାଳିଆ ଆଇନ ଦ୍ୱିତୀୟ ସଂଶୋଧନ ବିଲ୍ ୨୦୨୦ ଶନିବାର ରାଜ୍ୟସଭାରେ ପାସ୍ ହୋଇଛି। ୨୦୧୬ ଦେବାଳିଆ ଆଇନରେ ଏହି ବିଲ୍ କିଛି ସଂଶୋଧନ ଆଣିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଲ୍କୁ ଉପସ୍ଥାପନ କରିଥିଲେ। ବ୍ୟକ୍ତିବିଶେଷ ଓ କମ୍ପାନିମାନେ ଯେତେବେଳେ ସେମାନଙ୍କର ବକେୟା ଋଣ ପରିଶୋଧ କରିନପାରନ୍ତି, ସେତେବେଳେ
ସେମାନଙ୍କୁ ଦେବାଳିଆ ଘୋଷଣା କରାଯାଇଥାଏ। ଏହି ବିଲ୍ ଦେବାଳିଆ ସଂଶୋଧନ ଅଧ୍ୟାଦେଶ ୨୦୨୦ ସ୍ଥାନରେ ଲାଗୁ ହେବ। ସେହି ଅଧ୍ୟାଦେଶ ଗତ ଜୁନ୍ ମାସରେ ଜାରି ହୋଇଥିଲା। ଗତ ମାର୍ଚ୍ଚ ୨୫ ତାରିଖ ପରଠାରୁ ଯେଉଁମାନେ ଋଣ ଖିଲାପ କରିଛନ୍ତି, ସେମାନଙ୍କ ବିରୁଦ୍ଧରେ ଦେବାଳିଆ ଆଇନ ଲାଗୁ କରାଯିବ ନାହିଁ ବୋଲି ଏହି ସଂଶୋଧନରେ ଉଲ୍ଲେଖ ରହିଛି। କେନ୍ଦ୍ର ସରକାର ଏହି ସମୟସୀମାକୁ ବିଜ୍ଞପ୍ତି ଜାରି ମାଧ୍ୟମରେ ବର୍ଷେ ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ।
ଆଲୋଚନାରେ ଅଂଶଗ୍ରହଣ କରି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ, ଦେବାଳିଆ ଆଇନ ବ୍ୟବସାୟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ବିଲ୍ ଯୋଗୁଁ କମ୍ପାନି ଓ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ବିବାଦର ସମାଧାନ ପାଇଁ ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ୍-ଏନ୍ସିଏଲ୍ଟିକୁ ଯିବାକୁ ପଡ଼ିବ ନାହିଁ। ସେ କହିଛନ୍ତି, କୋବିଡ୍-୧୯ ଦୃଷ୍ଟିରୁ ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ସୁରକ୍ଷା ଦେବା ଲକ୍ଷ୍ୟରେ ଏହି ସଂଶୋଧନ ଅଣାଯାଇଛି। ଦେବାଳିଆ ଆଇନ ପରିଶୋଧ ହେଇପାରୁ ନଥିବା ଋଣ ଗୁଡ଼ିକର ଆଦାୟରେ ବ୍ୟବସାୟିକ ବ୍ୟାଙ୍କଗୁଡ଼ିକୁ ବହୁମାତ୍ରାରେ ସାହାଯ୍ୟ କରିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ୨୦୧୮-୧୯ରେ ୪୨.୫% ବକେୟା ଋଣ ଆଦାୟ ହୋଇ ପାରିଛି ତେଣୁ ଏ ବାବଦରେ ୭୭ ହଜାର କୋଟିରୁ ଅଧିକ ଟଙ୍କା ଆଦାୟ କରାଯାଇଛି। ନିଯୁକ୍ତି କ୍ଷେତ୍ରରେ ୨୫୮ଟି କମ୍ପାନିକୁ ସହାୟତା କରାଯାଇଥିବା ମଧ୍ୟ ସେ ଜଣାଇଛନ୍ତି।
ରାଜ୍ୟସଭାରେ ଏ ସଂକ୍ରାନ୍ତୀୟ ବିତର୍କ ଆରମ୍ଭ କରି କଂଗ୍ରେସର ବିବେକ ତନ୍ଖା ବିଲ୍ର ବିଭିନ୍ନ ନିୟମ ଉପରେ ପ୍ରଶ୍ନବାଚୀ
ଉଠାଇଥିଲେ ଓ ସର୍ବସାଧାରଣଙ୍କ ହିତ ଦୃଷ୍ଟିରୁ ସେଗୁଡ଼ିକର ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ ଦେବାଳିଆ ଆଇନର ଅନେକ ନିୟମ ବଡ଼ବଡ଼ କମ୍ପାନିମାନଙ୍କୁ ଲାଭ ପହଞ୍ଚାଇବ ଓ ଛୋଟଛୋଟ କମ୍ପାନି ଏବଂ କ୍ଷୁଦ୍ର, ଛୋଟ ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ କ୍ଷତି ପହଞ୍ଚାଇବ। ଟିଏମ୍ସିର ଦିନେଶ ତ୍ରିବେଦୀ କହିଛନ୍ତି, ଏହି ବିଲ୍କୁ ଏତେ ତରବରିଆ ଭାବେ ଉପସ୍ଥାପନ କରିବା ଉଚିତ ନଥିଲା, ଏହାର ଉପସ୍ଥାପନ କରାଯିବା ପୂର୍ବରୁ ସବୁ ପକ୍ଷଗୁଡ଼ିକ ସହ ପୁଙ୍ଖାନାପୁଙ୍ଖ ଆଲୋଚନା
କରିବାର ଥିଲା। ସାଧାରଣ ଓ ଗରିବ ଲୋକଙ୍କ ହାତରେ ସରକାର ଅର୍ଥ ଦେବାକୁ ସେ ମତାମତ ଦେଇଥିଲେ ଯାହାଫଳରେ ଦେଶରେ ଚାହିଦା ବଢ଼ିବା ସହ ସରକାରଙ୍କୁ ଟିକସ ମିଳିପାରିବ।
ସମାଜବାଦୀ ପାର୍ଟିର ରବି ପ୍ରସାଦ ବର୍ମା କହିଥିଲେ, ପରିଶୋଧ ହୋଇପାରି ନଥିବା ଋଣ ପରିମାଣ ବୃଦ୍ଧି ପାଇବାରେ ଲାଗିଛି ଓ ଜାଣିଶୁଣି ଋଣ ପରିଶୋଧ କରୁନଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି।
ଏନ୍ସିପିର ପ୍ରଫୁଲ୍ଲ ପଟେଲ କହିଥିଲେ, ଋଣ ପରିଶୋଧ ସହ ସଂପୃକ୍ତ କର୍ମଚାରୀମାନଙ୍କୁ ସମସ୍ତ କ୍ଷମତା ହସ୍ତାନ୍ତର କରାଯାଇ ନଥିବାରୁ ଏହା ଦ୍ୱାରା ସମାଧାନ ସମୟରେ ଦୁର୍ନୀତି ଘଟୁଛି। ସେହିପରି ଶିବସେନାର ଅନୀଲ ଦେଶାଇ କହିଥିଲେ କୋଭିଡ୍ ସଂକ୍ରମଣ ସମୟରେ ଅସାଧୁ ବ୍ୟକ୍ତିମାନେ ଯେପରି ସାଧାରଣ ଲୋକଙ୍କୁ ଠକି ନ ପାରିବେ, ସରକାର ତାହା ନିଶ୍ଚିତ କରିବା ଉଚିତ।
ଅନ୍ୟପକ୍ଷରେ ବିଜେପିର ଅରୁଣ ସିଂହ, ଦେବାଳିଆ ଆଇନକୁ ଏକ ସାହସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଏନ୍ଡିଏ ସରକାରଙ୍କ ଅମଳରେ ବ୍ୟବସାୟ ସୁଗମତା ତାଲିକାରେ ଭାରତର ସ୍ଥାନରେ ଉନ୍ନତି ଘଟିଛି।



