ତ୍ରିକୋଣୀୟ ପ୍ରେମରୁ ଜଘନ୍ୟ ହତ୍ୟାକାଣ୍ଡ; ପ୍ରେମୀ ଯୁଗଳଙ୍କୁ ଛୁରୀ ଭୁସି ଯୁବକ ଫେରାର

ସମାଜ ଡିଜିଟାଲ ଡେସ୍କ: ତ୍ରିକୋଣୀୟ ପ୍ରେମରୁ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଘରେ ପଶି ଯୁବକ ଯୁବତୀକୁ ଛୁରୀ ଭୁସି ଫେରାର ହୋଇଯାଇଛି ଯୁବକ। ଚିକିତ୍ସା ସମୟରେ ଉଭୟଙ୍କ ମୃତ୍ୟୁ ଘଟିଛି। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ତୁନମୁରା ପଞ୍ଚାୟତ କାଶୀପଡାରେ। ମୃତ ଯୁବକ ରାଜଗାଙ୍ଗପୁର କୁନମୁରୁ ବ୍ଲକର ରୁମବାହାଲ ଗ୍ରାମର ପ୍ରତାପ ଲାକ୍ରା(୨୬) ଏବଂ ଯୁବତୀ କୁତ୍ରା ଥାନା ତୁନମୁରା ପଞ୍ଚାୟତର କାଶୀପଡା ଗ୍ରାମର ଲିପ୍ସା କେର୍କେଟା(୨୪) ବୋଲି ଜଣାପଡ଼ିଛି। ରବିବାର ରାତିରେ ଘଟିଛି ଏହି ହତ୍ୟାକାଣ୍ଡ। ଉଭୟ ମୃତକ ପ୍ରେମିକ-ପ୍ରେମିକା ବୋଲି କୁହାଯାଉଛି। ଅଭିଯୁକ୍ତ ରାଜଗାଙ୍ଗପୁର ଜଅରୁମାଲ ଅଞ୍ଚଳର ରାଜୁ ନାଗ ବୋଲି ସୂଚନା ମିଳିଛି। ହତ୍ୟାକାଣ୍ଡ ଭିଆଇ ରାଜୁ ଫେରାର ହୋଇଯାଇଥିବାବେଳେ କୁତ୍ରା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସୂଚନା ମୁତାବକ, ତୁନମୁରା କାଶୀପଡା ନିବାସୀ ଜନ କେରକେଟାଙ୍କ ଘରେ ରାଜୁ ନାଗ ବୋଲି ଜଣେ ଯୁବକ ଡ୍ରାଇଭର ଭାବରେ କାମ କରୁଥିଲେ। ତେବେ ରାଜୁ ଜନ କେରକେଟାଙ୍କ ଝିଅ ଲିପ୍ସାଙ୍କୁ ଏକ ତରଫା ପ୍ରେମ କରୁଥିଲା। ଗତ ରାତି ପ୍ରାୟ ୧୦ଟା ସମୟରେ ରାଜୁ ହଠାତ ଘରେ ପଶି ଗୃହ କର୍ତା ଜନ କେରକେଟା ଏବଂ ଏବଂ ତାଙ୍କ ପତ୍ନୀ ମେରୀ ସୁଷମା କେରକେଟାଙ୍କୁ ଏକ କୋଠରୀରେ ଭର୍ତ୍ତି କରି ଝିଅ ଥିବା କୋଠରୀକୁ ପଶିଥିଲେ। ଏହାପରେ ଝିଅକୁ ଏବଂ ତାର ସହପାଠୀ ତଥା ପ୍ରେମିକ ବୋଲି କୁହାଯାଉଥିବା ପ୍ରତାପ ଲାକ୍ରାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଉଭୟଙ୍କୁ ଏକାଧିକ ବାର ଆକ୍ରମଣ କରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେଠାରୁ ଫେରାର ମାରିଥିଲେ ରାଜୁ। ଘଟଣାପାରେ ଖବର ପାଇ ଝିଅର କକା ରାଜେଶ କେରକେଟା ଅନ୍ୟମାନଙ୍କ ସାହାଯ୍ୟରେ ଉଭୟ ଆହତଙ୍କୁ କୁତ୍ରା ଡାକ୍ତରଖାନା ନେଇଥିଲେ। ସେଠାରେ ଲିପ୍ସାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ପ୍ରତାପ ଲାକ୍ରାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା। ତେବେ ରାସ୍ତାରେ ପ୍ରତାପଙ୍କର ମୃତ୍ୟୁ ଘଟିଥିଲା।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଜରୁମାଲ ନିବାସୀ ରାଜୁ ଅସ୍ଥାୟୀ ଭାବରେ ଜନ କେରକେଟାଙ୍କ ଗାଡ଼ି ଚଲାଉଥିଲେ। ଇତି ମଧ୍ୟରେ ତାଙ୍କ ଝିଅ ଲିପ୍ସା ଯିଏ ରାଉରକେଲା ରିମ୍ସରେ ପାଠ ପଢୁଥିଲେ, ତାଙ୍କୁ ଏକ ତରଫା ପ୍ରେମ କରୁଥିଲେ। ଲିପ୍ସା ସହିତ ରାଜଗାଙ୍ଗପୁର କୁନମୁରୁ ବ୍ଲକର ରୁମବାହାଲ ଗ୍ରାମର ପ୍ରତାପ ଲାକ୍ରା ମଧ୍ୟ ରିମ୍ସରେ ପାଠ ପଢୁଥିଲେ। କଲେଜ ପକ୍ଷରୁ ଏମସିଏଲରେ ପ୍ରାକ୍ଟିକାଲ ଟ୍ରେନିଂ ନେବାକୁ ଉଭୟ ସମ୍ବଲପୁର ଯାଇଥିଲେ। ମାସେ ପରେ ଗତ ୧୩ ତାରିଖ ଉଭୟ ଲିପ୍ସା ଏବଂ ପ୍ରତାପ ସାଙ୍ଗ ହୋଇ ଲିପ୍ସା ଘରକୁ ଫେରିଥିଲେ। ସେଠାରୁ ପ୍ରତାପ ରବିବାର ରୁମା ବାହାଲ ଫେରିବା କଥା, ମାତ୍ର ଗାଡ଼ି ଖରାପ ହେବାରୁ ପ୍ରତାପ ଲିପ୍ସାଙ୍କ ଘରେ ରହିଯାଇଥିଲେ। ଲିପ୍ସା ଏବଂ ପ୍ରତାପ ସାଙ୍ଗ ହୋଇ ଟ୍ରେନିଂ ଯିବା ଏବଂ ସାଙ୍ଗ ହୋଇ ଫେରି ରାତିରେ ରହିଯିବା ଘଟଣା ଏକତରଫା ପ୍ରେମ କରୁଥିବା ରାଜୁକୁ ପସନ୍ଦ ଆସି ନଥିଲା। ଗତକାଲି ରାତିରେ ରାଜୁ ଲିପ୍ସା ଘର ପାଖକୁ ଯାଇ ଫୋନରେ ବାହାରକୁ ଆସିବାକୁ କହିଥିଲେ। ଝିଅ ଏକଥା ପିତା ଜନକୁ କହିବାରୁ ରାତିରେ କିପରି ବାହାରକୁ ଝିଅକୁ ପଠାଇବି, ତୁ ଭିତରକୁ ଆସେ ବୋଲି କହିଥିଲେ। ରାଜୁ ଭିତରକୁ ଆସି ଲିପ୍ସାକୁ ବାହାହେବାର ପ୍ରସ୍ତାବ ଦେଇଥିଲେ। ଏଥିରେ ଜନ ଏହା କିପରି ହେବ ପ୍ରଥମେ ତୋର ମାତାପିତା ଆସି କଥାବାର୍ତ୍ତା ହୁଅନ୍ତୁ ବୋଲି କହିଥିଲେ। ଏହାପରେ ରାଜୁ ଲିପ୍ସା ସହିତ କଥା ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏଥିରେ ରାଜି ହେବାରୁ ରାଜୁ ଲିପ୍ସା ରୁମ୍‌କୁ ଯାଇ ତାଙ୍କ ସହିତ କଥାବାର୍ତ୍ତା ଏବଂ ପରେ ବଚସା ହୋଇଥିଲା। ଏହାପରେ ଉତ୍‌କ୍ଷିପ୍ତ ହୋଇ ଲିପ୍ସାକୁ ଏକ ଚାପୁଡ଼ା ମାରିବାରୁ ସେ ପାଟି କରିବାରୁ ବାପା ମାଆ ଦୌଡ଼ି ଆସିଥିଲେ। ମାତ୍ର ରାଜୁ ଉଭୟଙ୍କୁ ଏକ କୋଠରୀରେ ଭର୍ତ୍ତି କରି ବାହାରୁ କବାଟ ବନ୍ଦ କରିଦେଇଥିଲେ। ଏହାପାରେ ଏକ ଧାରୁଆ ଅସ୍ତ୍ରରେ ଲିପ୍ସାକୁ ବାରମ୍ବାର ଆଘାତ କରିଥିଲେ। ପାଟି ଶୁଣି ଅନ୍ୟ ରୁମରେ ଥିବା ପ୍ରତାପ ବାହାରି ଆସି ରାଜୁଙ୍କୁ ବାଧା ଦେବାରୁ ରାଜୁ ତାଙ୍କ ପେଟ ଏବଂ ଛାତିରେ ଆଘାତ କରିଥିଲେ। ପ୍ରତାପ ପ୍ରାଣ ବିକଳରେ ବାହାରକୁ ବାହାରି ପଳାଉଥିବାବେଳେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଥିଲେ ରାଜୁ। ହୋ ହାଲ୍ଲା ଶୁଣି ନିକଟରେ ରହୁଥିବା ଜନ କେରକେଟାଙ୍କ ଭାଇ ରାଜେଶ ଓ ତାଙ୍କ ପରିବାର ବାହାରକୁ ଆସିବାରୁ ରାଜୁ ସେଠାରୁ ଫେରାର ମାରିଥିଲେ। ରାଜଗାଙ୍ଗପୁର ପୁଲିସ ଏବଂ କୁତ୍ରା ପୁଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ସୁନ୍ଦରଗଡ଼ରୁ ସାଇଣ୍ଟିଫିକ ଟିମ୍ ଆସି ମଧ୍ୟ ତଦନ୍ତ କରିଛନ୍ତି।

Comments are closed.