ରାଜଗାଙ୍ଗପୁର : ବିଗତ କିଛି ମାସ ଧରି ରାଜଗାଙ୍ଗପୁର ତହସିଲରେ ଥିବା ବିଭିନ୍ନ ପଥର ଖଣିରୁ ରାତି ଅଧିଆ ବ୍ୟାପକ ଭାବରେ ଚୋରାରେ ପଥର ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିଲା। ବେଆଇନ ଭାବରେ ବ୍ଲାଷ୍ଟିଙ୍ଗ କରି ବିଳମ୍ବିତ ରାତିରେ ଏହି ପଥର ଚୋରା ଚାଲାଣ ହୋଇ ଆସୁଥିଲା। ଏ ସଂକ୍ରାନ୍ତରେ ବାରମ୍ବାର ଅଭିଯୋଗ ପରେ ଶୁକ୍ରବାର ରାତିରେ ମାଟିଗେଟ ଅଞ୍ଚଳରେ ଖଣି ବିଭାଗ, ରାଜଗାଙ୍ଗପୁର ତହସିଲ ଏବଂ ପୁଲିସ ମିଳିତ ଭାବରେ ୪ଟି ଡମ୍ଫରକୁ ଅଟକ ରଖିଥିଲେ। ଏହା ମଧ୍ୟରୁ ୨ଟି ଡମ୍ଫରରେ ପଥର ଥିବାବେଳେ ଅନ୍ୟ ଦୁଇଟି ଗାଡି ପଥର ଖାଲି କରି ଫେରୁଥିଲେ। ଏହି ଘଟଣାକୁ ନେଇ ଶନିବାର ଖଣି ବିଭାଗ ତରଫରୁ ପୁଲିସ ସହାୟତାରେ ପଡା ପଦା ଜାମପାଲିସ୍ଥିତ ଟିଆର ଇସ୍ପାତ ଆଣ୍ଡ ପାୱାର ପ୍ରାଇଭେଟ ଲିମିଟେଡ଼ ନାମକ ପଥର କ୍ରସରକୁ ଯାଞ୍ଚ କରିଥିଲେ। ସେଠାରୁ ବାହାରି ଯାଞ୍ଚ ଟିମ୍ ଜବତ ଗାଡି ରଖାଯାଇଥିବା ସ୍ଥାନକୁ ଯାଇ ଗାଡିର ଯାଞ୍ଚ କରିଥିଲେ। ଚୋରା ପଥର କେଉଁଠୁ ଆସୁଥିଲା ଏବଂ କେଉଁଠାକୁ ଯାଉଥିଲା ଏ ବିଷୟରେ ପୁଲିସ କିମ୍ବା ଯାଞ୍ଚ କରିବାକୁ ଆସିଥିବା ଖଣି ବିଭାଗ ଅଧିକାରୀ ଗଣମାଧ୍ୟମକୁ କୌଣସି ତଥ୍ୟ ଦେବାକୁ ମନା କରି ଦେଇଥିଲେ।
Popular Categories



