www.samajalive.in
Monday, December 8, 2025
14.1 C
Bhubaneswar

ରାଜ​ସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶରେ ଆର୍ଥିକ ସଂକଟ

ନୂଆଦିଲ୍ଲୀ : ସଦ୍ୟସମାପ୍ତ ବିଧାନସଭା ନିର୍ବାଚନ ଜିତି ସରକାର ଗଠନ କରିବା ପରେ ନିର୍ବାଚନ ପ୍ରତିଶ୍ରୁତି ପୂରଣ ପୂର୍ବକ କଂଗ୍ରେସ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କୃଷିଋଣ ଛାଡ କରିଛି ସତ; ମାତ୍ର ଏହା ଦ୍ୱାରା ଏହି ରାଜ୍ୟ ସରକାରଗୁଡିକ ଏବେ ଅର୍ଥାଭାବର ସମ୍ମୁଖୀନ ହେବାର ଆଶଙ୍କା ସୃଷ୍ଟି ହୋଇଛି। ତିନି ରାଜ୍ୟରେ ୨୦୧୮-୧୯ ଆର୍ଥିକବର୍ଷ ଲାଗି ଆବଣ୍ଟିତ ମୋଟ ପାଣ୍ଠିର ୭୦% ପୂର୍ବତନ ବିଜେପି ସରକାର ୭ ମାସ ମଧ୍ୟରେ ଖର୍ଚ୍ଚ କରିଛନ୍ତି। ବଳକା ଅର୍ଥରେ ନୂତନ ସରକାର ଚଳିତ ଆର୍ଥିକ ବର୍ଷ ମଧ୍ୟରେ ନିଜର ଅନ୍ୟ କୌଣସି ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବା ସମ୍ଭବ ହେବ ନାହିଁ।
ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କୃଷିଋଣ ଛାଡ଼ ସମେତ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ୧୦,୦୦୦ ଏବଂ ୩୫୦୦ ଟଙ୍କା ଲେଖାଏଁ ବେରୋଜଗାର ଭତ୍ତା ପ୍ରଦାନ କରିବାକୁ କଂଗ୍ରେସ ନିର୍ବାଚନ ରଣାଙ୍ଗନରେ ପ୍ରତିଶ୍ରୁତି ଦେଇଥିଲା। ସେହିଭଳି ଛତିଶଗଡ଼ରେ ଅଘୋଷିତ ପରିମାଣର ବୃତ୍ତି ପ୍ରଦାନ କରିବାକୁ ଦଳ ଭୋଟରଙ୍କୁ ଭରଶା ଦେଇଥିଲା। ଏଥିସହ ଦରିଦ୍ରଙ୍କୁ ବିଦ୍ୟୁତ୍‌ ଦେୟ ଛାଡ ଏବଂ ଅନ୍ୟମାନଙ୍କ ପାଇଁ ବିଦ୍ୟୁତ୍‌ ତାରିଫ୍‌ରେ ୫୦% ହ୍ରାସ କରିବାକୁ ମଧ୍ୟ କଂଗ୍ରେସ କହିଥିଲା। ଏତଦ୍‍ଭିନ୍ନ ବିନାମୂଲ୍ୟରେ ଶିକ୍ଷା ଏବଂ ଔଷଧ ଓ କୃଷି ପାଇଁ ସର୍ବନିମ୍ନ ସହାୟତା ଯୋଗାଇ ଦେବାକୁ ଦଳ ପ୍ରତିଶ୍ରୁତି ଦେଇଥିଲା। ସରକାର ଗଠନ ପରେ ଦଳର କୃଷିଋଣ ଛାଡ଼ ଘୋଷଣା ଯୋଗୁଁ ମଧ୍ୟପ୍ରଦେଶରେ ୩୫,୦୦୦ରୁ ୩୮,୦୦୦ କୋଟି ଟଙ୍କା, ରାଜସ୍ଥାନରେ ୧୮,୦୦୦ କୋଟି ଟଙ୍କା ଏବଂ ଛତିଶଗଡ଼ରେ ୬,୧୦୦ କୋଟି ଟଙ୍କା କ୍ଷତି ସହିବାକୁ ହେଉଛି। ୨୦୧୯ ଏପ୍ରିଲରୁ ମେ’ ମଧ୍ୟରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପୂର୍ବରୁ ଫେବୃଆରୀ-ମାର୍ଚ୍ଚ ମଧ୍ୟରେ ଏହି ତିନି ରାଜ୍ୟରେ ବଜେଟ ଉପସ୍ଥାପନ ହେବ। ନୂତନ ବଜେଟ ପୂର୍ବରୁ ନିଜର ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବା କଂଗ୍ରେସ ସରକାର ପାଇଁ କଷ୍ଟକର ହେବ; ଫଳରେ ରାଜ୍ୟବାସୀଙ୍କୁ ଆଗାମୀ ଲୋକସଭା ନିର୍ବାଚନ ପର୍ୟ୍ୟନ୍ତ ବାନ୍ଧି ରଖିବା ନେଇ କଂଗ୍ରେସର ଯୋଜନାକୁ ଧକ୍କା ଲାଗିବା ଆଶଙ୍କା ଦେଖାଯାଉଛି। ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କମଳ ନାଥ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅର୍ଥାଭାବ ନେଇ ପୂର୍ବତନ ବିଜେପି ସରକାରକୁ ଦାୟୀ କରିଛନ୍ତି। ଏଥିସହ ରାଜସ୍ୱ ଯୋଗାଡ଼ର ବିକଳ୍ପ ଉପାୟ ଉପରେ ବିଚାରବିମର୍ଶ ଚଳାଇଛନ୍ତି; କିନ୍ତୁ ବିଜେପି ଭିନ୍ନ କଥା କହୁଛି। କଂଗ୍ରେସ ନେତୃତ୍ୱାଧୀନ ରାଜ୍ୟ ସରକାରମାନେ ନିଜର ପ୍ରତିଶ୍ରୁତି ପୂରଣ କରିବାକୁ ଚାହିଁଲେ କୋଷାଗାରରେ ପର୍ୟ୍ୟାପ୍ତ ପାଣ୍ଠି ରହିଛି ବୋଲି ବିଜେପି ଦର୍ଶାଇଛି।
ମଧ୍ୟପ୍ରଦେଶରେ କୃଷିଋଣ ଛାଡ ପରିମାଣ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆବଣ୍ଟିତ ୧,୮୬,୬୮୩ କୋଟି ଟଙ୍କା ପାଣ୍ଠିର ଏକ ପଞ୍ଚମାଂଶ ହୋଇଥିବାବେଳେ ଅକ୍ଟୋବର ସୁଦ୍ଧା ସେଥିମଧ୍ୟରୁ ୧,୨୫,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ସେହିଭଳି ରାଜସ୍ଥାନରେ କୃଷିଋଣ ଛାଡ ପାରିମାଣ ମୋଟ ବଜେଟ ୧,୦୭,୮୬୫ କୋଟି ଟଙ୍କାର ଏକ ଷଷ୍ଠାଂଶ ହୋଇଥିବାବେଳେ ସେଥିମଧ୍ୟରୁ ୭୭,୦୦୦ କୋଟି ଟଙ୍କା ଖର୍ଚ୍ଚ ସରିଛି। ଛତିଶଗଡ଼ରେ କୃଷିଋଣ ଛାଡ, ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୨,୫୦୦ ଟଙ୍କାକୁ ବୃଦ୍ଧି କରିବା ଦ୍ୱାରା ରାଜ୍ୟ ସରକାରଙ୍କୁ ଯେଉଁ ମୂଲ୍ୟ ଦେବାକୁ ପଡିବ ତାହା ଚଳିତ ଆର୍ଥିକ ବର୍ଷର ମୋଟ ଖର୍ଚ୍ଚ ୮୩,୧୭୯ କୋଟି ଟଙ୍କାର ଏକ ଦଶମାଂଶ। ଏଭଳିସ୍ଥିତିରେ କଂଗ୍ରେସ ସରକାର ଯଦି ନିଜର ପ୍ରତିଶ୍ରୁତି ପୂରଣ ଦିଗରେ ରାଜସ୍ୱ ବ୍ୟୟ କରନ୍ତି ତା’ହେଲେ ଆର୍ଥିକ ନିଅଣ୍ଟର ସମ୍ମୁଖୀନ ହେବା ଆଶଙ୍କା ରହିଛି। ଆର୍ଥିକ ନିଅଣ୍ଟ ଭଳି ପରିସ୍ଥିତି ଯେଭଳି ସୃଷ୍ଟି ନ ହୁଏ ତାହାକୁ ଦୃଷ୍ଟିରେ ରଖି ପ୍ରତିଶ୍ରୁତି ପୂରଣ ଦିଗରେ କାର୍ୟ୍ୟ କରାଯିବ ବୋଲି ଛତିଶଗଡ଼ ଅର୍ଥବିଭାଗ ଅଧିକାରୀମାନେ କହିଛନ୍ତି। ଅନ୍ୟପଟେ ୨୦୧୯ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ଆନ୍ଧ୍ରପ୍ରଦେଶ, ଓଡିଶା ଓ ହରିୟାଣା ସରକାର ଯଦି ନିଜନିଜ ରାଜ୍ୟରେ କୃଷି ଋଣଛାଡ ନିଷ୍ପତ୍ତି ନିଅନ୍ତି ତା’ହେଲେ ୬୦,୦୦୦ ଏବଂ ୭୦,୦୦୦ କୋଟି ଟଙ୍କାର ସାମୁହିକ ଆର୍ଥିକ ବୋଝ ଲଦି ହୋଇପଡିବ ବୋଲି ଏସ୍‍ବିଆଇ ଗ୍ରୁପ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସୌମ୍ୟକାନ୍ତୀ ଘୋଷ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories