www.samajalive.in
Monday, December 15, 2025
16.1 C
Bhubaneswar

ଲଗାଣବର୍ଷାରେ ଉବୁଟୁବୁ କେନ୍ଦୁଝର ସହର,ଜନଜୀବନ ପ୍ରଭାବିତ

କେନ୍ଦୁଝରଗଡ଼ : ଦୁଇଦିନ ଧରି ଲଗାଣବର୍ଷା ଯୋଗୁଁ ସମଗ୍ର କେନ୍ଦୁଝର ସହରବାସୀ ଜଳବନ୍ଦୀ ଘେରରେ ରହିଛନ୍ତି । ସହରର ଜଗନ୍ନାଥପୁର, କାଶୀପୁର, ସ୍ପଞ୍ଜ କଲୋନୀ, ବଳଦେବଜୀଉ କଲୋନୀ, ବୈତରଣୀବିହାର, ଧୋବାଡିହା, ପବିତ୍ରଡିହା, ବଡହଳ, କମାରଗୋଡା, ମାଗୁରଗାଡିଆ, ମାଧପୁର, ଜନାର୍ଦ୍ଦନପୁର ଶାସନ, ଆଟୋପୁର, ସାହୁ କଲୋନୀ, ସାତସିଂଘା ସମେତ ସହରର ବହୁ ତଳିଅଞ୍ଚଳ ବର୍ଷାଜଳରେ ବୁଡି ରହିଛି। ବିଶେଷକରି ଜଗନ୍ନାଥପୁର, ସ୍ପଞ୍ଜ କଲୋନୀ, କାଶୀପୁର ଜେନାସାହି, ବଳଦେବଜୀଉ କଲୋନୀ, ଜେଲରୋଡ ନିକଟସ୍ଥ ବିହାରୀ ସାହି, ବୁଲାଦ୍ୱାରସାହି, ଭାଲୁକିପତଳା, ନିହାଲସିଂ ଛକ, ସାତସିଂଘା, ମାଗୁରଗାଡିଆ ଆଦି ଅଞ୍ଚଳ ସମ୍ପୂର୍ଣ୍ଣ ବର୍ଷାଜଳରେ ବୁଡି ରହିଥିବା ବେଳେ ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି। ଏହି ଲଗାଣବର୍ଷା ଯୋଗୁଁ କେନ୍ଦୁଝର ସହର ସମେତ ଆଖପାଖ ବହୁ ଅଞ୍ଚଳ ଜଳମଗ୍ନ ହୋଇରହିଛି । ପ୍ରବଳ ବର୍ଷା ଯୋଗୁଁ ଘରୁ ପଦାକୁ କେହି ବାହାରି ପାରୁ ନଥିବାବେଳେ ବିଶେଷକରି ଗୃହପାଳିତ ପଶୁମାନେ ଦୟନୀୟ ଅବସ୍ଥାରେ ଅଛନ୍ତି । ପୌରପାଳିକା ପକ୍ଷରୁ ଅଗ୍ନିଶମ ବାହିନୀ ଏବଂ ପୌର କର୍ମଚାରୀଙ୍କ ମିଳିତ ସହାୟତାରେ ସହରର ବିଭିନ୍ନ ସ୍ଥାନରେ ପମ୍ପ ଯୋଗେ ବର୍ଷାଜଳ ନିଷ୍କାସନ କାର୍ଯ୍ୟକ୍ରମ ଜାରି ରହିଛି। ଏଥିସହ ବର୍ଷା ଯୋଗୁଁ ପ୍ରଭାବିତ ଲୋକ ଏବଂ ବିପଦସଙ୍କୁଳ ଅବସ୍ଥାରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ନିରାପଦ ଭାବେ ଆଶ୍ରୟ ନିମନ୍ତେ ସହରର ବିଭିନ୍ନ ବିଦ୍ୟାଳୟକୁ ଅସ୍ଥାୟୀ ଆଶ୍ରମସ୍ଥଳୀ ଭାବେ ଚିହ୍ନଟ କରାଯାଇ ଆବଶ୍ୟକସ୍ଥଳେ ରନ୍ଧା ଖାଦ୍ୟ ଯୋଗାଣ ଭଳି ପଦକ୍ଷେପ ଗ୍ରହଣ ନିମନ୍ତେ ପୌର ପ୍ରଶାସନ ପ୍ରସ୍ତୁତ ରହିଛି। ବର୍ଷାଜଳ ଜିଲା ରକ୍ତଭଣ୍ଡାରରେ ପଶିବା ଫଳରେ ଅସ୍ୱାସ୍ଥ୍ୟକର ପରିବେଶ ସାଙ୍ଗକୁ ବିପଦସଙ୍କୁଳ ଥିବାରୁ ରକ୍ତଭଣ୍ଡାରକୁ ଅସ୍ଥାୟୀ ଭାବେ ଜିଲା ମୁଖ୍ୟ ଚିକିତ୍ସାଳୟ ନୂତନ ଗୃହକୁ ସ୍ଥାନାନ୍ତର କରାଯାଇଛି।

- Advertisement -

ଲଗାଣ ବର୍ଷା ଯୋଗୁଁ ସହର ଉପକଣ୍ଠ ମଣ୍ଡୁଆ ପଞ୍ଚାୟତ ଟିକରଗୁମୁରା ଗ୍ରାମର କାର୍ତ୍ତିକ ମୁଣ୍ଡା, ଶୁକଲାଲ ମୁଣ୍ଡା, ରଞ୍ଜନ ମୁଣ୍ଡା ଓ ବନି ମହାରଣାଙ୍କ ଘର କାନ୍ଥ ଭାଙ୍ଗି ପଡିଥିବା ବେଳେ ଘର ଛାତ ଉପରେ ପଲିଥିନ ଟାଣି ଭାଗ୍ୟକୁ ଆଦରି ରହିଛନ୍ତି। ସେହିଭଳି ସଦର ବ୍ଲକ ଜନାର୍ଦ୍ଦନପୁର ପଞ୍ଚାୟତ ବାଲିଆଗୋଡା ଠାରୁ ଭାଲିଆଡିହିକୁ ସଂଯୋଗ କରୁଥିବା ରାସ୍ତା ବର୍ଷାଜଳରେ ଧୋଇ ନେଇଯିବା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। କେନ୍ଦୁଝର ସହର ଉପକଣ୍ଠ ୪୯ନଂ ଜାତୀୟ ରାଜପଥ ଜୁଡିଆ ଘାଟିରେ ବର୍ଷା ଯୋଗୁଁ ଭୁସ୍ଖଳନ ଘଟି ପାହାଡରୁ ବଡ ବଡ ପଥର ଖଣ୍ଡ ଖସି ଜାତୀୟ ରାଜପଥରେ ପଡି ରହିବା ସହ ବିପଦ ସୃଷ୍ଟି କରିଛି। ବର୍ଷା ଯୋଗୁଁ କ୍ଷୟକ୍ଷତି ସମ୍ପର୍କିିତ ରିପୋର୍ଟ ସଦର ତହସିଲ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଥିବା ବେଳେ ପରବର୍ତ୍ତୀ ସମୟରେ ତୁରନ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଛି।
ବିନା ମାଷ୍ଟର ପ୍ଲାନରେ ନିର୍ମିତ କେନ୍ଦୁଝର ସହରରେ ବର୍ଷାଜଳ ନିଷ୍କାସନ ପାଇଁ ମାଷ୍ଟର ଡ୍ରେନ ନଥିବା ଏବଂ ସହରରେ ଥିବା ପ୍ରମୁଖ ଡ୍ରେନ ଗୁଡିକୁ ପୋତି ଅବରୋଧ କରି ଗୃହ ନିର୍ମାଣ କରି ବ୍ୟବସାୟ କରିବା ଦ୍ୱାରା ସାମାନ୍ୟ ବର୍ଷାରେ କେନ୍ଦୁଝର ସହରରେ କୁତ୍ରିମ ବନ୍ୟା ପରିସ୍ଥିତି ବର୍ଷାଋତୁରେ ଗତ କିଛିବର୍ଷ ଧରି ସହରବାସୀଙ୍କ ନିଦ ହଜାଇ ଦେଇଛି। ବର୍ଷା ଋତୁ ଶେଷ ପରେ ସହରବାସୀ ପରିସ୍ଥିତିକୁ ଭୁଲି ଯାଉଥିବା ବେଳେ ପ୍ରଶାସନ ମଧ୍ୟ ଏହାର ସ୍ଥାୟୀ ନିରାକରଣ ନେଇ କୌଣସି ପଦକ୍ଷେପ ଗ୍ରହଣ ନକରିବା ସହରବାସୀଙ୍କୁ ନିରାଶ କରିଛି। ଲଗାଣବର୍ଷା ଯୋଗୁଁ କେବଳ କେନ୍ଦୁଝର ସହର ନୁହେଁ ସହର ଉପକଣ୍ଠ ରାଙ୍କି, ସରାସ, ଗୋବିନ୍ଦପୁର, ଘୁଟୁରୁ, ଟିକରଗୁମୁରା, ଧୃପଦା, ବାଲିଆଗୋଡା ଆଦି ଅଞ୍ଚଳ ବର୍ଷାଜଳ ଯୋଗୁଁ ବୁଡି ରହିବା ସହ ସହରର ତଳିଅଞ୍ଚଳର କେତେକ ସ୍ଥାନରେ କାନ୍ଥ ପଡି ବାସଗୃହ ଭାଙ୍ଗି ଯାଇଥିବାରୁ କ୍ଷତିଗ୍ରସ୍ତ ଲୋକେ ନିରାଶ୍ରୟ ହୋଇପଡିଛନ୍ତି। ଲଗାଣବର୍ଷା ଯୋଗୁଁ ପ୍ରତିବର୍ଷ ସହରବାସୀଙ୍କ ବ୍ୟାପକ ଜନଜୀବନ ପ୍ରଭାବିତ ହୋଇଥିଲେ ହେଁ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ ନକରିବା ସହରବାସୀଙ୍କ ମନରେ ଥିବା ଅସନ୍ତୋଷ କ୍ରମଶଃ ଆନ୍ଦୋଳନର ରୂପ ନେବାକୁ ଯାଉଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories