୮ଜିଲାକୁ ବର୍ଷା ସତର୍କତା

ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଗୁରୁବାର ସାରା ରାଜ୍ୟରେ ବର୍ଷା ହୋଇଛି। କେଉଁଠି ହାଲୁକା ବର୍ଷା ରେକର୍ଡ ହୋଇଛି ତ ଆଉ କେଉଁ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ଯୋଗୁଁ ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ପଶ୍ଚିମ, ଉପକୂଳ, ଦକ୍ଷିଣ ଏବଂ ଆଭ୍ୟନ୍ତରୀଣର କେତେକ ଜିଲାରେ ବର୍ଷା ସମ୍ଭାବନା ରହିଛି। ଗୁରୁବାର ଦାରିଙ୍ଗବାଡିରେ ସର୍ବାଧିକ ବର୍ଷା ୫୪ ମି.ମି. ରେକର୍ଡ କରାଯାଇ ଥିବାବେଳେ ଭଦ୍ରକ ୫୨.୮ମି.ମି., ହୀରାକୁଦ ୩୧.୨ମି.ମି., କୋରାପୁଟ ୨୩ ମି.ମି., ମାଲକାନଗିରି ୨୨.୨ ମି.ମି., ବୌଦ୍ଧ ୨୨ ମି.ମି., ଝାରସୁଗୁଡ଼ା ୨୨.୨ମି.ମି., କେନ୍ଦୁଝର ୧୦.୨ମି.ମି., ଦେବଗଡ଼ ୧୨ ମି.ମି. ଏବଂ ନବରଙ୍ଗପୁରରେ ୧୪ମି.ମି. ବର୍ଷା ହୋଇଛି। ନୟାଗଡ଼, ରାଉରକେଲା, ଜଗତସିଂହପୁର, ଖୋର୍ଦ୍ଧା, ରାୟଗଡ଼ା, କଟକ, ପୁରୀ ଏବଂ ଅନୁଗୋଳରେ ହାଲୁକା ବର୍ଷା ହୋଇଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଗୁରୁବାର ଗାଙ୍ଗେୟ-ପଶ୍ଚିମବଙ୍ଗ ଉପତ୍ୟକା ପାର୍ଶ୍ବବର୍ତ୍ତୀ ଉତ୍ତର ଓଡିଶା ଅଞ୍ଚଳ ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ମୌସୁମୀ ନିମ୍ନ ଚାପରେଖା ରାଜସ୍ଥାନର ବିକାନେରରୁ ବାହାରି ଓଡ଼ିଶାର ବାଲେଶ୍ୱରରୁ ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି। ଏହାର ପ୍ରଭାବରେ ରାଜ୍ୟରେ ବିକ୍ଷିପ୍ତ ବର୍ଷା ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜର କିଛି ଅଞ୍ଚଳରେ ପ୍ରବଳବର୍ଷା ସମ୍ଭାବନା ଥିବାରୁ ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Comments are closed.