ପୁଣି ଲଘୁଚାପ ; ୫ରୁ ବଢ଼ିବ ବର୍ଷା

0

ଭୁବନେଶ୍ୱର : ଉତ୍ତର ବଙ୍ଗୋପ ସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ଆସନ୍ତା ୫ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ହସ୍ତଗତ ସୂଚନା ଅନୁସାରେ ଗତ ସପ୍ତାହରେ ସୃଷ୍ଟ ଲଘୁଚାପ ଦୁର୍ବଳ ହେବା ପରେ ଉତ୍ତର ବଙ୍ଗୋପ ସାଗରରେ ଆଉଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖା ଦେଇଛି। ଏହାର ପ୍ରଭାବରେ ଆସନ୍ତା ୫ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ। ବିଶେଷକରି ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସାତ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏହାପର ଠାରୁ ଲଘୁଚାପ ଦୁର୍ବଳ ହେଲେ ବର୍ଷାର ପ୍ରକୋପ ହ୍ରାସ ପାଇବ।
ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ନିର୍ଦେଶକ ଏଚ୍‍.ଆର ବିଶ୍ୱାସ କହିଛନ୍ତି ବଙ୍ଗୋପ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ। ଉତ୍ତର ଓ ଉପକୂଳ ଓଡ଼ିଶା ସହ ଦକ୍ଷିଣ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ଲାଗି ରହିବ। ତେବେ ଏହା ଲଘୁଚାପରେ ପରିଣତ ହେଲେ ବର୍ଷାର ମାତ୍ରା ବୃଦ୍ଧି ପାଇବ। ୭ ତାରିଖ ସୁଦ୍ଧା ଲଘୁଚାପ ଦୁର୍ବଳ ହେଲେ ବର୍ଷା ପରିମାଣ କମିବ ବୋଲି କୁହାଯାଇଛି।

Leave A Reply