ଗଣମାଧ୍ୟମରେ ଆସିବା ପାଇଁ ଚାଷୀ କରୁଛନ୍ତି ବିରୋଧ ପ୍ରଦର୍ଶନ : କେନ୍ଦ୍ର କୃଷିମନ୍ତ୍ରୀ

0

ନୂଆଦିଲ୍ଲୀ/ଭୋପାଳ : ୩୨ ଦଫା ଦାବି ନେଇ ଶୁକ୍ରବାରଠାରୁ କୃଷକମାନେ ଆରମ୍ଭ କରିଥିବା ଦେଶବ୍ୟାପୀ ଆନ୍ଦୋଳନ ଶନିବାର ଦ୍ୱିତୀୟ ଦିନରେ ପହଞ୍ଚିଛି। କୃଷକଙ୍କ ଆନ୍ଦୋଳନକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଣମାଧ୍ୟମରେ ଆସିବା ପାଇଁ କେତେକ ଚାଷୀ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି। ଦେଶରେ କୋଟି କୋଟି କୃଷକ ଅଛନ୍ତି; ମାତ୍ର କେତେକ ଗୃଷକଙ୍କ ଆନ୍ଦୋଳନ କୌଣସି ଅର୍ଥ ରଖେନାହିଁ। କୃଷିମନ୍ତ୍ରୀଙ୍କ ଏହି ବୟାନୁ ବିଭିନ୍ନ ସଂଗଠନ ନିନ୍ଦା କରିଛନ୍ତି। ପ୍ରକାଶ ଯେ କୃଷକଙ୍କ ଆନ୍ଦୋଳନ ୧୦ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ବିଭିନ୍ନ ସ୍ଥାନରେ କୃଷକମାନେ ପ୍ରତିବାଦ ସ୍ୱରୂପ ଉତ୍ପାଦିତ ଫସଲ, ପନିପରିବା ଓ କ୍ଷୀର ରାସ୍ତାରେ ଢ଼ାଳିଛନ୍ତି। ଏହାଛଡ଼ା ପନିପରିବା ବିକ୍ରି ଓ ରପ୍ତାନୀ ମଧ୍ୟ ବନ୍ଦ କରିଦେଇଛନ୍ତି। ଆସନ୍ତା ୧୦ତାରିଖରେ କୃଷକମାନେ ଭାତ ବନ୍ଦ ଡାକରା ମଧ୍ୟ ଦେଇଛନ୍ତି। ଶନିବାର ବିରୋଧ ପ୍ରଦର୍ଶନ ନେଇ ମଧ୍ୟପ୍ରଦେଶରେ ୯ଟି ମାମଲା ରୁଜୁ କରାଯାଇ ୧୬ କୃଷକଙ୍କୁ ଗିରଫ କରାଯାଇଛି। ରାଷ୍ଟ୍ରୀୟ କିଶାନ୍‍ ମଜଦୁର ମହାସଂଘ (ଆରକେଏସ୍‍) ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ କୃଷକ ବିଭିନ୍ନ ରାଜ୍ୟ ରାଜଧାନୀ ଓ ଜିଲା ସଦର ମହକୁମାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଗୁଜରାତ, ରାଜସ୍ଥାନ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ କୃଷକ ଆନ୍ଦୋଳନକୁ ବେଶୀ ପ୍ରଭାବିତ ହୋଇଛି। ୧୭ଟି କୃଷକ ସଂଗଠନ ମିଳିତ ଭାବେ ଭୋପାଳଠାରେ ଆର୍‍କେଏସ୍‍ ଗଠନ କରିଥିଲାବେଳେ ପରେ ପ୍ରାୟ ୧୭୨ ସଂଗଠନ ଏଥିରେ ସାମିଲ ହୋଇ ଆନ୍ଦୋଳନ ଚଳାଇଛନ୍ତି। କୃଷକଙ୍କ ଦାବି ମଧ୍ୟରେ କେନ୍ଦ୍ର ସରକାର କୃଷି ଋଣ ଛାଡ଼, ଫସଲର ଉପଯୁକ୍ତ ସହାୟକ ମୂଲ୍ୟ ପ୍ରଦାନ(ଇନ୍‍ପୁଟ୍‍ ମୂଲ୍ୟର ସର୍ବନିମ୍ନ ୫୦ପ୍ରତିଶତରୁ ଅଧିକ), କୃଷକଙ୍କ ପାଇଁ ସ୍ୱତନ୍ତ୍ର ଫସଲ ଉତ୍ପାଦନ ଭତ୍ତା ଧାର୍ଯ୍ୟ ବା ନିଶ୍ଚତ ରୋଜଗାର ବ୍ୟବସ୍ଥା ସହିତ ସ୍ୱାମୀନାଥନ୍‍ କମିଶନ୍‍ଙ୍କ ସୁପାରିସ କାର୍ଯ୍ୟକରିବା ଆଦି ଅନ୍ତର୍ଭୁକ୍ତ।

Leave A Reply