କ୍ୱାତରକୁ ସାମରିକ କାର୍ଯ୍ୟାନୁଷ୍ଠାନର ଧମକ ଦେଲା ସାଉଦି ଆରବ

0

ପ୍ୟାରିସ୍‍ : ରୁଷଠାରୁ ଅତ୍ୟାଧୁନିକ ଏସ୍‍-୪୦୦ କ୍ଷେପଣାସ୍ତ୍ର କିଣିଲେ କ୍ୱାତର ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶନିବାର ସାଉଦି ଆରବ ଧମକ ଦେଇଛି। ଫ୍ରାନ୍ସ ଏଥିରେ ହସ୍ତକ୍ଷେପ କରି କ୍ୱାତର-ରୁଷ କ୍ଷେପଣାସ୍ତ୍ର ଚୁକ୍ତିକୁ ରଦ୍ଦ କରୁ ବୋଲି ସାଉଦି ଆରବ ଅନୁରୋଧ କରିଛି। ଏନେଇ ରିଆଦରୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ନିକଟକୁ ଏକ ପତ୍ର ଲେଖାଯାଇଛି। ଏହି ପତ୍ରରେ ଦର୍ଶାଯାଇଛି ଯେ କ୍ୱାତର ଏହି କ୍ଷେପଣାସ୍ତ୍ର କିଣିଲେ ଆଞ୍ଚଳିକ ସ୍ଥିରତା ପ୍ରଭାବିତ ହେବ। ଫ୍ରାନ୍ସ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ତତ୍କାଳ କୌଣସି ପ୍ରତିକ୍ରିୟା ମିଳିନାହିଁ। ପ୍ରକାଶ ଯେ ଗତ ବର୍ଷ ଜୁନରେ ସାଉଦି ଆରବ ସମେତ ବାହାରିନ, ୟୁଏଇ ପ୍ରମୁଖ କ୍ୱାତର ସହ ସମସ୍ତ ସମ୍ପର୍କ ଚ୍ଛିନ୍ନ କରିଦେଇଥିଲେ। କ୍ୱାତର ଆଇଏସ୍‍ ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ଅଭିଯୋଗ କରି ଗଲ୍‍ ରାଷ୍ଟ୍ର ସମୂହ ଏଭଳି ନିଷ୍ପତ୍ତି ନେଇଥିଲେ। ସେମାନେ କ୍ୱାତର ବିରୋଧରେ ଆର୍ଥିକ ପ୍ରତିବନ୍ଧକ ଲଗାଇଥିଲେ। ଏକ ଘରିଆ ହେବା ପରେ କ୍ୱାତର ରୁଷ ନିକଟତର ହୋଇଥିଲା। ଚଳିତ ବର୍ଷ ଜାନୁଆରୀଠାର ଉଭୟ ରାଷ୍ଟ୍ର ମଧ୍ୟରେ ଏସ୍‍-୪୦୦ କ୍ଷେପଣାସ୍ତ୍ର ନେଇ ଆଲୋଚନା ଆରମ୍ଭ ହୋଇଥିଲା। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ନିକଟକୁ ଲେଖିଥିବା ପତ୍ରରେ ସାଉଦି ଆରବ ରାଜା ସଲମାନ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି। ଏହି ଚୁକ୍ତି ଚୂଡାନ୍ତ ହେଲେ କ୍ୱାତର ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସାଉଦି ଆରବ ପକ୍ଷରୁ ଧମକ ଦିଆଯାଇଛି।

Leave A Reply