ପୁରୁଲିଆରେ ପୁଣି ଜଣେ ବିଜେପି କର୍ମୀଙ୍କୁ ହତ୍ୟା

0

କଲକାତା : ପଶ୍ଚିମବଙ୍ଗର ସୁପୁର୍ଦିଠାରେ ଜଣେ ବିଜେପି କର୍ମୀଙ୍କୁ ହତ୍ୟା ଘଟଣାର ତିନି ଦିନ ପରେ ଦଳର ଅନ୍ୟ ଜଣେ କର୍ମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୁରୁଲିଆ ଅନ୍ତର୍ଗତ ଡାଭା ଗ୍ରାମସ୍ଥିତ ଏକ ବିଦ୍ୟୁତ୍‍ ଖୁଣ୍ଟରେ ଝୁଲୁଥିବା ଅବସ୍ଥାରେ ଦୁଲାଲ୍‍ କୁମାର ନାମକ ୩୧ ବର୍ଷ ବୟସ୍କ ଯୁବକଙ୍କ ମୃତଦେହ ଶନିବାର ଉଦ୍ଧାର କରାଯାଇଛି। ଦୁଲାଲ ଦଳୀୟ କର୍ମୀଓ ତାଙ୍କୁ ହତ୍ୟା କରାଯାଇଛି ବୋଲି ବିଜେପି ନେତାମାନେ ଦାବି କରିଛନ୍ତି। ଦୁଲାଲଙ୍କ ହତ୍ୟା ଘଟଣାରେ ଶାସକ ଦଳ ତୃଣମୂଳ କଂଗ୍ରେସ(ଟିଏମ୍‍ସି)ର ହାତ ଥିବା ସନ୍ଦେହ କରି ସିବିଆଇ ତଦନ୍ତ ନିମନ୍ତେ ବିଜେପି ପକ୍ଷରୁ ଦାବି କରାଯାଇଛି। ପୁଲିସ ଦୁଲାଲ୍‍ଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ବାସ୍ତବ କାରଣ ଜଣାପଡିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।
ତିନି ଦିନ ପୂର୍ବେ ତ୍ରିଲୋଚନ ମାହାତୋ ନାମକ ୧୮ ବର୍ଷ ବୟସ୍କ ଜଣେ ଯୁବକଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ବଳରାମପୁର ଅନ୍ତର୍ଗତ ସୁପୁର୍ଦି ଗ୍ରାମର ଏକ ବୃକ୍ଷରେ ଟାଙ୍ଗି ଦେଇଥିଲେ। ମାହାତୋଙ୍କୁ ଯେଉଁ ଭଳି ଢଙ୍ଗରେ ହତ୍ୟା କରାଯାଇଥିଲା ଦୁଲାଲଙ୍କୁ ମଧ୍ୟ ଠିକ୍‍ ସେହିଭଳି ହତ୍ୟା କରାଯାଇଛି ବୋଲି ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାସ ବିଜୟ ଟ୍ୱିଟର୍‍ରେ ଉଲ୍ଲେଖ କରିଛନ୍ତି। ଏହି ଦୁଇ ହତ୍ୟା ଘଟଣା ପାଇଁ ବିଜେପି ନେତା ରାହୁଲ ସିହ୍ନା ଟିଏମ୍‍ସିକୁ ଦାୟୀ କରିଛନ୍ତି। ପଞ୍ଚାୟତ ନିର୍ବାଚନରେ ପୁରୁଲିଆରେ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ପରେ ଟିଏମ୍‍ସି ଏବେ ମାଓବାଦୀଙ୍କ ସହିତ ହାତ ମିଳାଇ ବିଜେପି କର୍ମୀଙ୍କୁ ହତ୍ୟା କରାଉଛି ବୋଲି ସେ ଅଭିଯୋଗ ଦର୍ଶାଇ ସିବିଆଇ ତଦନ୍ତ ଦାବି କରିଛନ୍ତି। ମାହାତୋଙ୍କ ମୃତଦେହ ମିଳିଥିବା ବୃକ୍ଷ ନିକଟରୁ ଏକ ପୋଷ୍ଟର ମିଳିଥିଲା। ବିଜେପି ସମର୍ଥକ ହୋଇଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସେଥିରେ ଉଲ୍ଲେଖ କରାଯାଇଥିଲା। ପୁଲିସ ଅପହରଣ ଏବଂ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ହତ୍ୟାକାଣ୍ଡ ପ୍ରତିବାଦରେ ପଶ୍ଚିମବଙ୍ଗର ଶତାଧିକ ବିଜେପି କର୍ମୀ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏବେ ଦୁଲାଲଙ୍କ ମୃତ୍ୟୁ ପରେ ଏହି ବିକ୍ଷୋଭ ଉଗ୍ର ରୂପ ନେଇଛି।

Leave A Reply