ଗଡ଼ିଲା ସୁଭଦ୍ରାଙ୍କ ଦର୍ପଦଳନ ରଥ; ବଡ଼ ଭାଇ ପଛେପଛେ ଯାଉଛନ୍ତି ସାନ ଭଉଣୀ
ପୁରୀ: ବଡ଼ ଦାଣ୍ଡରେ ଗଡ଼ିଲା ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ରଥରେ ସୁଭଦ୍ରାଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପରେ ଭକ୍ତଙ୍କ ଗହଣରେ ଦର୍ପଦଳନ ଗଡ଼ିଛି । ଗଜପତି ମହାରାଜା ରଥରେ ଛେରାପହଁରା କରିବା ପରେ ରଥରୁ ଚାରମାଳ ଫିଟାଯାଇଥିଲା । ପରେ ପରେ ଘୋଡ଼ା ଯୋଖା ଯିବା ପରେ ଭକ୍ତମାନେ ଦର୍ପଦଳନ ରଖକୁ ଟାଣିନେଇଛନ୍ତି । ରଥ ଟାଣିବା ସମୟରେ ହୁଳହୁଳି ଓ ହରିବୋଲ ଶବ୍ଦରେ ଫାଟି ପଡ଼ୁଛି ବଡ଼ଦାଣ୍ଡ ।
ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା ଆରମ୍ଭ ହୋଇଥିବାରୁ ଭକ୍ତଙ୍କ ମଧ୍ୟରେ ବେଶ୍ ଖୁସି ଦେଖିବାକୁ ମିଳିଛି । ଭୋରରୁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସମସ୍ତ ନୀତି ସମ୍ପନ୍ନ ହେବା ପରେ ପ୍ରଥମେ ସକାଳୁ ସକାଳୁ ଗୋଟି ପହଣ୍ଡିରେ ରଥରେ ବିଜେ କରିଥିଲେ ଚକ୍ରରାଜ ସୁଦର୍ଶନ । ଦ୍ୱିତୀୟରେ ବଡ଼ ଭାଇ ବଳଭଦ୍ରଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇ ତାଳଧ୍ୱଜ ରଥରେ ବିଜେ କରିଥିଲେ । ପରେ ପରେ ଭଉଣୀ ସୁଭଦ୍ରାଙ୍କୁ ସେବାୟତ ମାନେ ହାତରେ ଝୁଲାଇ ଝୁଲାଇ ଦର୍ପଦଳନରେ ବିଜେ କରାଇଥିଲେ । ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ନନ୍ଦିଘୋଷ ରଥରେ ବିଜେ କରିଥିଲେ ।
ରଥରେ ମହାପ୍ରଭୁଙ୍କ ସମସ୍ତ ରୀତିନୀତି ସମ୍ପନ୍ନ ହେବା ପରେ ଗଜପତି ମହାରାଜ ଛେରା ପହଁରା କରିବା ପରେ ରଥରୁ ଚାରମାଳ ଫିଟାଯାଇ ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ଆରମ୍ଭ ହୋଇଥିଲା ପରେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ଆରମ୍ଭ ହୋଇଛି । ଏହାପରେ ଗଡ଼ିବ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ହେଉଥିବାରୁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ବଡ଼ ଦାଣ୍ଡରେ ଭକ୍ତଙ୍କ ଉପରେ ପାଣି ଛିଞ୍ଚାଯିବା ସହ ସୁରକ୍ଷା ପାଇଁ ଆମ୍ବୁଲାନ୍ସ ଓ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି ।
Comments are closed.