ପୁରୀ : ଜଗତର ନାଥ ସେ , ବ୍ରହ୍ମାଣ୍ଡର ସ୍ୱାମୀ, ଶ୍ରଦ୍ଧାଳୁଙ୍କ ଡାକରେ ଜଗା କାଳିଆ, ପାଟି ଖୋଲିଲେ ଆପଣା ଯାଏଁ ବାହାରି ଆସେ ଜୟ ଜଗନ୍ନାଥ ସ୍ୱାମୀ ନୟନପଥଗାମୀ ଭବ ତୁମେ। ଜଗାର ଅଭଡ଼ା, ତା ପତିତପାବନ ନେତ, ସିଂହଦ୍ୱାର , ବଡଦାଣ୍ଡର ଧୂଳି ଠାରୁ ଆରମ୍ଭ କରି ଶରଧା ବାଲି। ପ୍ରତିଟିରେ ରହିଛି ଶ୍ରଦ୍ଧାଳୁଙ୍କ ଭକ୍ତି। ମାତ୍ର ଦୀର୍ଘ ୮ ମାସ ଧରି କରୋନା ମହାମାରୀ କାରଣରରୁ ପୁରୀର ଶ୍ରୀମନ୍ଦିର ତଥା ରାଜ୍ୟର ଅନ୍ୟାନ୍ୟ ମନ୍ଦିର ସମସ୍ତ ବନ୍ଦ ରଖାଯାଇଥିବା ସଭିଁଙ୍କୁ ଜଣା। ମାତ୍ର ବର୍ତ୍ତମାନ ପରିସ୍ଥିତି ଓ ଛତିଶା ନିଯୋଗରେ ଆସନ୍ତା ୨୩ରୁ ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଥିବା ନେଇ ଜଣାପଡିଛି। ଏଥିପାଇଁ ଶ୍ରଦ୍ଧାଳୁଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି। ମନ୍ଦିର ଖୋଲିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ସିଂହଦ୍ୱାର ସମ୍ମୁଖରେ ବ୍ୟାରିକେଡ, ଛାଉଣୀ କାମ ଆରମ୍ଭ ହୋଇଛି।
ମନ୍ଦିର ଯିବା ପାଇଁ କେତେକ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି। ଯେପରି ବାହାର ଜିଲାର ଲୋକଙ୍କ ପାଇଁ କୋଭିଡ଼ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ। ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ସହ ସାମାଜିକ ଦୂରତା ପାଳନ କରିବା ମଧ୍ୟ ବାଧ୍ୟତାମୂଳକ। ଜାନୁଆରୀ ୩ ରୁ ସାଧାରଣ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ। ମନ୍ଦିର ବନ୍ଦ ଥିବା ସମୟରେ କିଛି ଦିନ ପୂର୍ବରୁ ଶ୍ରଦ୍ଧାଳୁ କେବଳ ବଡଦାଣ୍ଡରେ ଠିଆ ହୋଇ ପତିତପାବନକୁ ଦର୍ଶନ କରୁଥିଲେ। ମାତ୍ର ଜଗା ଦର୍ଶନ ନକରୁଥିବାରୁ କୋଟି କୋଟି ଶ୍ରଦ୍ଧାଳୁଙ୍କ ଆଖିରେ ଲୁହ ଭରି ଯାଉଥିଲା।



