www.samajalive.in
Saturday, December 6, 2025
14.1 C
Bhubaneswar

ଶ୍ରୀମନ୍ଦିର ପରିଚାଳନା କମିଟି ପାଇଁ ଲମ୍ବୁଛି ଆଶାୟୀଙ୍କ ତାଲିକା

ପୁରୀ: ଖୁବ୍‌ଶୀଘ୍ର ଘୋଷଣା ହେବ ଶ୍ରୀଜଗନ୍ନାଥ ମନ୍ଦିର ନୂଆ ପରିଚାଳନା କମିଟି। ସ୍ବାଧୀନତା ଦିବସ ଅବସରରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏ ବିଷୟରେ ସୂଚନା ଦେଇଥିଲେ। ସାତଦିନ ମଧ୍ୟରେ ନୂଆ କମିଟି ଗଠନ କରାଯିବ ବୋଲି ସେ କହିଛନ୍ତି। ଏହାପରେ ରତ୍ନଭଣ୍ଡାର ମୂଲ୍ୟବାନ ଅଳଙ୍କାରଗୁଡ଼ିକର ଗଣତି ମଣତି କରାଯିବ। ତେବେ କମିଟିରେ ସାମିଲ ହେବାକୁ ଆଶାୟୀଙ୍କ ତାଲିକା ଦିନକୁ ଦିନ ଲମ୍ବିବାରେ ଲାଗିଛି। ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ କିଛି ସେବକ ଓ ମଠ ମହନ୍ତଙ୍କ ନାମ ଜଉମୁଦ ଲଫାପାରେ ଆଇନ ବିଭାଗକୁ ପଠାଯାଇଛି।
ସୂଚନା ଅନୁଯାୟୀ ମନୋନୟନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ ପାଇବ। ବିଜେପି ସମର୍ଥିତ କିଛି ସେବକଙ୍କୁ ସେଥିରେ ସୁଯୋଗ ମିଳିବା ସମ୍ଭାବନା ରହିଛି। ପୂଜାପଣ୍ଡା, ପ୍ରତିହାରୀ, ସୁଆର ମହାସୁଆର, ଦଇତାପତି ଓ ପୁଷ୍ପାଳକ ନିଯୋଗ ପ୍ରତିନିଧିଙ୍କ ସମେତ ଜଣେ ମଠ ମହନ୍ତ ନୂଆ କମିଟିରେ ସ୍ଥାନ ପାଇବେ। ଖୁଣ୍ଟିଆ ନିଯୋଗ ପ୍ରତିନିଧିଙ୍କୁ ସେଥିରେ ସାମିଲ ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ କରାଯାଇଛି। ଏହାଛଡ଼ା କଳା ସ୍ଥାପତ୍ୟ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ଜଣେ ବ୍ୟକ୍ତି ପରିଚାଳନା କମିଟି ସଭ୍ୟ ହେବେ। ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ପ୍ରାକ୍ତନ ପ୍ରଶାସକ କିମ୍ବା ଶିକ୍ଷାବିତଙ୍କୁ ନୂତନ କମିଟିରେ ସ୍ଥାନ ମିଳିବ। ମୁକ୍ତିମଣ୍ଡପ ପଣ୍ଡିତ ସଭାରୁ କାହାକୁ ସେଥିରେ ସଭ୍ୟ ଭାବରେ ଗ୍ରହଣ କରାଯିବ ସେଥିନେଇ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯିବାର ସମ୍ଭାବନା ରହିଛି। ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ପରିଚାଳନା କମିଟିର ସ୍ଥାୟୀ ଅଧ୍ୟକ୍ଷ ରହିବେ। ଏହାଛଡ଼ା ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ, ବିଧି ବିଭାଗ ସଚିବ, ରାଜ୍ୟ ଦେବୋତ୍ତର କମିସନର, ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ପ୍ରତ୍ନତତ୍ତ୍ବ ଅଧୀକ୍ଷକ, ପୁରୀ ଜିଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ପରିଚାଳନା କମିଟିରେ ସରକାରୀ ସଭ୍ୟ ରହିବା ବ୍ୟବସ୍ଥା ରହିଛି। ଏହି କମିଟିର କାର୍ଯ୍ୟକାଳ ତିନିବର୍ଷ ରହିବ। ସେବକ ନିଯୋଗଗୁଡ଼ିକର ପ୍ରତିନିଧିତ୍ବକୁ ନେଇ ଛକାପଞ୍ଝା ଲାଗି ରହିଛି। ଆଶାୟୀମାନେ ରାଜନେତାଙ୍କ ପାଖରେ ଲବି ଚଳାଇଛନ୍ତି। ପୂର୍ବ କମିଟିରେ ଏକାଧିକବାର ସଭ୍ୟ ଥିବା କିଛି ସେବକ ପୁଣିଥରେ ଆଶାୟୀ ଥିବା ସୂଚନା ମିଳିଛି। ଶ୍ରୀମନ୍ଦିର ପରିଚାଳନାରେ କମିଟିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରାୟ ବର୍ଷେ ଧରି ବିନା ପରିଚାଳନା କମିଟିରେ ମନ୍ଦିର ପ୍ରଶାସନ ଚାଲିଛି। ତେଣୁ ନୂତନ ପରିଚାଳନା କମିଟି ଯଥାଶୀଘ୍ର ଗଠନ ପାଇଁ ଦାବି ହୋଇ ଆସୁଛି। ନୂଆ କମିଟିରେ ଶିକ୍ଷିତ, ଦକ୍ଷ ଓ ଅଭିଜ୍ଞ ବ୍ୟକ୍ତିଙ୍କୁ ସ୍ଥାନ ଦେବାପାଇଁ ଦାବି ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories