www.samajalive.in
Sunday, December 14, 2025
26.1 C
Bhubaneswar

ଜବରଦଖଲରେ ଦଶାବତାର ମଠ

ପୁରୀ: ଐତିହ୍ୟ ସହର ପୁରୀରେ ପ୍ରାଚୀନ ଐତିହ୍ୟକୁ ଉପେକ୍ଷା କରୁଛନ୍ତି ରାଜ୍ୟ ସରକାର। ଏଭଳି ସ୍ଥିତି ଦେଖିବାକୁ ମିଳିଛି ଦଶାବତାର ମଠ କ୍ଷେତ୍ରରେ। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ରହିଛି ଏହି ପ୍ରସିଦ୍ଧ ଐତିହ୍ୟ। ସେଠାରେ ପ୍ରଭୁ ଶ୍ରୀରାମ (ରଘୁନାଥ) ଏବଂ ସୀତାଙ୍କ ସମେତ ଶ୍ରୀଜଗନ୍ନାଥ, ଶ୍ରୀନୃସିଂହନାଥ, ରାଧାକୃଷ୍ଣ, ବରାହନାଥ, ଗଣେଶନାଥ, ମହାବୀର, ବାମନ ଏବଂ ବୁଦ୍ଧଦେବ ପୂଜା ପାଉଛନ୍ତି। ବଡ଼ଦାଣ୍ଡ ମଝିରେ ଥିବା ଏହି ମଠ ପ୍ରାୟ ପାଞ୍ଚଶହ ବର୍ଷର ପୁରୁଣା ବୋଲି ଗବେଷକ କହିଛନ୍ତି। ମହାପ୍ରଭୁ ସେଠାରେ ଦଶଟି ଅବତାରରେ ପୂଜା ପାଉଛନ୍ତି। ସବୁ ଠାକୁରଙ୍କ ପାଇଁ ସ୍ବତନ୍ତ୍ର ମନ୍ଦିର ସେଠାରେ ରହିଛି। ଠାକୁରଙ୍କ ସେବାପୂଜା ପାଇଁ ବଡ଼ ଛତା ମଠ ପକ୍ଷରୁ ବିକାଶ ଦାସ ନାମକ ଜଣେ ସାଧୁଙ୍କୁ ନିୟୋଜିତ କରାଯାଇଛି। ମଠ ଭିତରେ ଗୋଟିଏ ଯଜ୍ଞ ମଣ୍ଡପ ଏବଂ ପ୍ରାଚୀନ କୂଅ ରହିଛି। ପରମ୍ପରା ଅନୁଯାୟୀ ପ୍ରତିବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରାରେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଏହି କୂଅରୁ ପାଣି ନେଇ ଶ୍ରୀଜୀଉଙ୍କୁ ସ୍ନାନ କରାଯାଏ। ଶ୍ରୀଗୁଣ୍ଡିଚାଠାରୁ ବାହୁଡ଼ା ପର୍ଯ୍ୟନ୍ତ ନବଦିନ ବ୍ୟାପି ସାଧୁସନ୍ଥ ସେଠାରେ ଅବସ୍ଥାନ କରନ୍ତି। ନବମୀ ସନ୍ଧ୍ୟା ଦର୍ଶନ ଦିନ ସେଠାରୁ ନିଶାଣ ଶୋଭାଯାତ୍ରା ବାହାରି ଶ୍ରୀଗୁଣ୍ଡିଚା ମନ୍ଦିର ଭିତରକୁ ଯିବା ସହ ସଙ୍କୀର୍ତ୍ତନ ପରିବେଷଣ କରଯାଏ। ଠାକୁରଙ୍କୁ ପ୍ରତ୍ୟେକ ଦିନ ସକାଳେ ବାଳ ଧୂପ, ମଧ୍ୟାହ୍ନରେ ଶଙ୍କୁଡ଼ି ଭୋଗ, ରାତିରେ ବାଳ ଧୂପ କରାଯାଉଛି। ମଠ ଭିତରେ ବହୁତ ଖାଲି ଜାଗା ରହିଛି। ସେଠାରେ ଭଙ୍ଗା ଆଜବେଷ୍ଟସ୍‌, ପ୍ଲାଷ୍ଟିକ ଏବଂ ଆବର୍ଜନା ଗଦା ହୋଇ ରହିଛି। ସେଠାରେ ଏକ ଧ୍ୟାନ କେନ୍ଦ୍ର ତଥା ସମ୍ମିଳନୀ କକ୍ଷ ନିର୍ମାଣ ପାଇଁ ଦୀର୍ଘଦିନ ଧରି ଦାବି ହୋଇ ଆସୁଛି।

https://samajalive.in/odisha-news-cuttack-highcourt/509338.html

- Advertisement -

ଦଶାବତାର ମଠ ସମ୍ମୁଖରେ ୫ଟି ବଡ଼ ଦୋକାନ ଏବଂ ୪ଟି ଛୋଟ ଦୋକାନ ରହିଛି। ଏହାଛଡ଼ା ଜଣେ ବ୍ୟକ୍ତି ମଠ ଅଗଣାର କିଛି ଅଂଶ ଜବରଦଖଲ କରିଛନ୍ତି। ଦୋକାନୀମାନେ ମାସକୁ ଯେତିକି ଟଙ୍କା ଘରଭଡ଼ା ଦେଉଛନ୍ତି ତାହା ଯଥେଷ୍ଟ କମ୍। କିଛି ବ୍ୟକ୍ତି ମଠରୁ ଶସ୍ତାରେ ଦୋକାନ ଭଡ଼ା ନେଇ ଅଧିକ ଭଡ଼ାରେ ଅନ୍ୟକୁ ଭଡ଼ା ଦେଇଛନ୍ତି। ଠାକୁରଙ୍କ ଦୈନଦିନ ସେବାପୂଜା ଏବଂ ଭୋଗ ପାଇଁ ଅର୍ଥାଭାବ ଦେଖା ଦେଇଛି। ଭକ୍ତଙ୍କ ସ୍ୱଳ୍ପ ଦର୍ଶନ ପ୍ରଣାମି ଏବଂ ଝଡ଼ା ଫୁଙ୍କାରୁ ପ୍ରତ୍ୟେକ ଦିନ ଯାହା ମିଳେ ସେଥିରେ ଠାକୁରଙ୍କ ସେବାପୂଜା ହେଉଛି।

ଠାକୁରଙ୍କ ମନ୍ଦିର କାନ୍ଥରେ ଗଛ ଉଠିଲାଣି। ମନ୍ଦିର ନିର୍ମାଣଠାରୁ ଏପର୍ଯ୍ୟନ୍ତ ପୁନରୁଦ୍ଧାର କରାଯାଇ ନାହିଁ। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ଏହି ପ୍ରାଚୀନ ମଠର ବିକାଶ, ସୌନ୍ଦର୍ଯ୍ୟକରଣ ଏବଂ ପୁନରୁଦ୍ଧାର ଦିଗରେ ରାଜ୍ୟ ସରକାର ଅବହେଳା କରି ଆସୁଛନ୍ତି। ମଠର ମୂଲ୍ୟବାନ ଭୂସମ୍ପତ୍ତି ଆତ୍ମସାତ ପାଇଁ କିଛି ବ୍ୟକ୍ତି ଉଦ୍ୟମ ଆରମ୍ଭ କରିଛନ୍ତି। ପୁରୀ ସହରକୁ ବିଶ୍ବସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏଥିପାଇଁ ଅବଢ଼ା ଯୋଜନାରେ ପ୍ରାୟ ତିନି ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଛି। କିନ୍ତୁ ପୁରୀ ସହରର କେନ୍ଦ୍ରସ୍ଥଳ ଶରଧାବାଲିରେ ଅବସ୍ଥିତ ଦଶାବତାର ମଠର ବିକାଶ ପାଇଁ ସେଥିରେ ପ୍ରସ୍ତାବ ରଖାଯାଇ ନାହିଁ। ପ୍ରତିବର୍ଷ ଜୟଦେବ ସଙ୍କୀର୍ତ୍ତନ ଶୋଭାଯାତ୍ରାକୁ ସେଠାରେ ସ୍ବାଗତ କରାଯାଇ ଆସୁଛି। ମୁଖ୍ୟ ଶାସନ ସଚିବଙ୍କ ସମେତ ସଂସ୍କୃତି ସଚିବ, ନିର୍ଦେଶକ, ପୁରୀ ଜିଲାପାଳ, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଏବଂ ପୌରସଂସ୍ଥା ଅଧିକାରୀ ସେଠାକୁ ଯାଇଥାନ୍ତି। କିନ୍ତୁ ଏହି ପ୍ରାଚୀନ ଐତିହ୍ୟର ସୁରକ୍ଷା, ବିକାଶ ଏବଂ ସୁପରିଚାଳନା ପ୍ରତି ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।

ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ଭାସ୍କର ମିଶ୍ର କହିଛନ୍ତି ଗୀତଗୋବିନ୍ଦ ରଚୟିତା ଶ୍ରୀଜୟଦେବ ସେଠାରେ ଏକ କୁଡ଼ିଆ ଘର କରି ରହୁଥିଲେ। ଦଶାବତାର ମଠ ମହନ୍ତ ମୃତ୍ୟୁ ପୂର୍ବରୁ ଏହି ମଠକୁ ବଡ଼ଛତା ମଠ ମହନ୍ତଙ୍କ ନାମରେ ଉଇଲ୍‌ କରି ଦେଇଥିଲେ। ଏହାପରେ ଏହି ମଠ ରାମାନନ୍ଦୀ ସମ୍ପ୍ରଦାୟ ଅଧୀନକୁ ଚାଲିଯାଇଛି। ରାଜ୍ୟ ସରକାର ଯଥାଶୀଘ୍ର ଦଶାବତାର ମଠର ବିକାଶ ଏବଂ ପୁନରୁଦ୍ଧାର କରିବା ସହ ଏହାର ସୁପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories