ଅପବିତ୍ର ହେଲେ ମଧ୍ୟ ଏହା ଶୁଦ୍ଧ ଅଟେ
ହିନ୍ଦୁଧର୍ମରେ କିଛି ଅପବିତ୍ର ଦ୍ରବ୍ୟକୁ ମଧ୍ୟ ପବିତ୍ର ବୋଲି କୁହାଯାଇଛି। ଏପରି କିଛି ଦ୍ରବ୍ୟ ଅଛି ଯାହା ଅଇଁଠା ହେବା ଦ୍ୱାରା ଅପବିତ୍ର ହେବା ସତ୍ତେ୍ୱ ମଧ୍ୟ ତାକୁ ଶୁଦ୍ଧ ବୋଲି କୁହାଯାଏ। ଯେପରିକି ଗାଈ କ୍ଷୀର, ମହୁ, ରେଶମ ପୋଷାକ ଇତ୍ୟାଦି। ଏହି ସମସ୍ତ ଦ୍ରବ୍ୟ ପୂଜା କାର୍ଯ୍ୟରେ ବ୍ୟବହାର କରାଯାଇଥାଏ। ଏହାକୁ ଆମେ ପବିତ୍ର ବୋଲି ମାନିଥାଉ। ଏହି ଦ୍ରବ୍ୟ ନ ଥିଲେ ଆମ ପୂଜା ସଫଳ ହୋଇ ନଥାଏ। ଆସନ୍ତୁ ଜାଣିବା କେଉଁ ଦ୍ରବ୍ୟ ଅପବିତ୍ର ହେବା ସତ୍ତେ୍ୱ ମଧ୍ୟ ଶୁଦ୍ଧ ମାନିଥାଉ।
କ୍ଷୀର: ଗାଈ କ୍ଷୀର ପ୍ରାୟ ସମସ୍ତ ପୂଜାରେ ଆମେ ବ୍ୟବହାର କରିଥାଉ। ଗାଈ କ୍ଷୀରକୁ ପ୍ରଥମେ ବାଛୁରୀ ପାନ କରି ଅଇଁଠା କରିଥାଏ। ତାପରେ ଆମେ ଗାଈ ଠାରୁ କ୍ଷୀର ପାଇଥାଉ। ଏହା ପରେ ମଧ୍ୟ କ୍ଷୀର ଅପବିତ୍ର ହୋଇ ନଥାଏ। ଏହି କ୍ଷୀରକୁ ଆମେ ଅମୃତ ସହ ତୁଳନା କରି ପୂଜା କାର୍ଯ୍ୟରେ ବ୍ୟବହାର କରିଥାଉ।
ମହୁ: ମହୁମାଛି ଫୁଲରୁ ରସ ସଂଗ୍ରହ କରି ମହୁ ତିଆରି କରିଥାଏ। ଏହି ମହୁକୁ ମହୁମାଛି ନିଜ ମୁଖରେ ପ୍ରସ୍ତୁତ କରି ଫେଣାରେ ରଖିଥାଏ। ଏହି ଅଇଁଠା ମହୁକୁ ଆମେ ଫେଣାରୁ ଆଣି ବ୍ୟବହାର କରିଥାଉ। ଏହାକୁ ପୂଜା ସମୟରେ ବ୍ୟବହାର ମଧ୍ୟ କରିଥାଉ। ସମସ୍ତ ମାଙ୍ଗଳିକ କାର୍ଯ୍ୟରେ ମହୁର ଅନେକ ବ୍ୟବହାର ମଧ୍ୟ କରାଯାଇଥାଏ। ପଞ୍ଚାମୃତ ପ୍ରସ୍ତୁତ ସମୟରେ ଏହା ବ୍ୟବହାର କରାଯାଇଥାଏ।
ରେଶମ ପୋଷାକ: ଯେକୌଣସି ପୂଜା ସମୟରେ ଆମେ ରେଶମ ପୋଷାକ ପିନ୍ଧିଥାଉ। ଏହି ରେଶମ ପୋଷାକ ରେଶମରୁ ତିଆରି ହୋଇଥାଏ। ରେଶମକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ତାକୁ ଗରମ ପାଣିରେ ପକାଯାଇଥାଏ। ଗରମ ପାଣିରେ ପକାଇବା ପରେ ରେଶମ ପୋକ ସେଥିରେ ମରିଯାଏ। ତାପରେ ରେଶମ ପ୍ରସ୍ତୁତ ହୋଇ ସେଥିରେ ପୋଷାକ ତିଆରି ହୋଇଥାଏ। ରେଶମ ପୋଷାକ ମୃତ ରେଶମ କୀଟରୁ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏହା ଶୁଦ୍ଧ ହୋଇଥାଏ। ଏବଂ ଏହା ସମସ୍ତ ମାଙ୍ଗଳିକ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ।
ବୃକ୍ଷ: ଅନେକ ବୃକ୍ଷ ଆମେ ପୂଜା ସମୟରେ ବ୍ୟବହାର କରିଥାଉ। ସେଥିମଧ୍ୟରୁ ଅଶ୍ୱତ୍ଥ ବୃକ୍ଷ, ବର ବୃକ୍ଷ ଇତ୍ୟାଦିକୁ ଆମେ ପୂଜା କରୁ। ଏହି ବୃକ୍ଷ ମାନଙ୍କରେ କାଉ ଅନେକ ପକ୍ଷୀ ବସି ମଳ ତ୍ୟାଗ କରିଥାନ୍ତି। ପକ୍ଷୀ ମଳ ଦ୍ୱାରା ମଧ୍ୟ ଏହି ବୃକ୍ଷ ଉତ୍ପନ୍ନ ହୋଇଥାଏ। ତଥାପି ଆମେ ଏହି ବୃକ୍ଷକୁ ପୂଜା କରିଥାଉ।