ସେବାରେ ତ୍ୟାଗ ନୁହେଁ; ଆତ୍ମସନ୍ତୋଷ ଥାଏ: ସ୍ବାମୀ ଶୁଦ୍ଧାନନ୍ଦଜୀ
କଟକ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଥିଲେ ଭବିଷ୍ୟଦ୍ରଷ୍ଟା। ଦେଶ ସ୍ବାଧୀନ ହେବ, ସମସ୍ତଙ୍କୁ ମୌଳିକ ଶିକ୍ଷାର ଅଧିକାର ମିଳିବ। ସମାଜର ସମସ୍ତଙ୍କ ପ୍ରତି ସମାନ ବିଚାରଧାରା ଓ ସମାନତା ରହିବ। ଏଥିପାଇଁ ସେ ସ୍ବାଧୀନତା ପୂର୍ବରୁ କାର୍ଯ୍ୟାରମ୍ଭ କରିଥିଲେ। ନିଜ କାର୍ଯ୍ୟ, ଚିନ୍ତାଧାରା ଓ ସାହିତ୍ୟରେ ଏହା ପ୍ରତିଫଳିତ କରିଥିଲେ। ଯେଉଁ ଶିକ୍ଷା ଅଧିକାର ଆଇନକୁ ଏବେ ସଂସଦ ସ୍ବୀକୃତି ଦେଲା, ଗୋପବନ୍ଧୁ ତାକୁ ଅନେକ ଦିନରୁ ଲେଖି ଦେଇଯାଇଥିଲେ। ସମ୍ବିଧାନ ପୂର୍ବରୁ ଗୋପବନ୍ଧୁ ଶିକ୍ଷା ଓ ସମାନତାର ନିଅଁ(ମୂଳଦୁଆ) ରଖିଥିଲେ ବୋଲି ସୁପ୍ରିମକୋର୍ଟର ପ୍ରାକ୍ତନ ପ୍ରଧାନ ନ୍ୟାୟମୂର୍ତ୍ତି ଜଷ୍ଟିସ୍ ଡ. ଦୀପକ ମିଶ୍ର ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୧ତମ ଶ୍ରାଦ୍ଧ ଦିବସରେ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି।
‘ସମାଜ’ ଓ ଲୋକସେବକ ମଣ୍ଡଳର ମିଳିତ ଆନୁକୂଲ୍ୟରେ ସହୀଦଭବନଠାରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ଉତ୍ସବକୁ ମୁଖ୍ୟ ଅତିଥି ଜଷ୍ଟିସ୍ ଡ. ଦୀପକ ମିଶ୍ର ଉଦ୍ଘାଟନ କରି କହିଲେ, କର୍ମଯୁଦ୍ଧ କରିଥିଲେ ଗୋପବନ୍ଧୁ। ସେ ଅଭାବ, ଅନାଟନ, ଦୁଃଖରେ ଥିବା ଲୋକଙ୍କ ଉନ୍ନତି ପାଇଁ ଚିନ୍ତା କରୁଥିଲେ। ଗୋପବନ୍ଧଙ୍କ ଚିନ୍ତା, ଚେତନା ଲୋକଙ୍କ ପାଇଁ ଥିଲା। ଗୋପବନ୍ଧୁଙ୍କ ଚରିତ୍ର ଥିଲା ଅଦ୍ଭୁତ। ସେ କନ୍ଦାନ୍ତି, ପୁଣି ହସାନ୍ତି। ତାଙ୍କ ଭଳି ହୃଦୟ ପାଇବା ଭାରି କଷ୍ଟ। ‘ନାହିଁ ଜାତି ଭେଦ, ନାହିଁ ଧର୍ମ ଭାବ’ ଗୋପବନ୍ଧୁଙ୍କ ରଚିତ କବିତାର ପଂକ୍ତି ଭାରତୀୟ ସମ୍ବିଧାନର ଧାରା ସହ ସଂଯୋଗ ସ୍ଥାପନ ହୋଇଛି। ଡ. ମିଶ୍ର ଭଗବତ୍ ଗୀତାର ବାଣୀକୁ ଉଦ୍ଧାର କରି କହିଲେ, ଗୀତାରେ ଅଛି- କର୍ମ କର ଅର୍ଜୁନ! ଫଳ ପାଇଁ ଆଶା ରଖନାହିଁ; ମାତ୍ର ଗୋପବନ୍ଧୁ କହିଲେ କର୍ମ ହେଉଛି ଜୀବନର ମାପଦଣ୍ଡ। ଜୀବନରେ ଲୋକଙ୍କ ପାଇଁ କିଛି ଭାବ ରଖିବା ଦରକାର; ନିଜ ପାଇଁ ନୁହେଁ। ଗୋପବନ୍ଧୁ
ସବୁବେଳେ କହୁଥିଲେ- ତାଙ୍କ ଜୀବନର ଲକ୍ଷ୍ୟ ସେବା। ଜୀବନରେ ଯେତେ ବାଧାବିଘ୍ନ ଆସିଲେ ବି ସେଥିରୁ ସେ କେବେ ବିଚ୍ୟୁତ ହେବେନାହିଁ। ବ୍ୟକ୍ତି ସ୍ତରରେ କିଛି କରିପାରିଲେ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ସାକାର ହେବ ଓ ଏଥିପାଇଁ ପ୍ରତ୍ୟେକ ଓଡ଼ିଆ ଆଗେଇ ଆସିବାକୁ ଜଷ୍ଟିସ୍ ଡ. ମିଶ୍ର ଆହ୍ବାନ ଦେଇଥିଲେ।

ସମ୍ମାନିତ ଅତିଥି ସୁପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ଶୁଦ୍ଧାନନ୍ଦଜୀ କହିଲେ, କୌଣସି ଲୋକ ଆଧ୍ୟାତ୍ମିକତା ଠାରୁ ଦୂରରେ ରହିପାରିବ ନାହିଁ। ଜୀବନଟା ଏକ ଯାତ୍ରା। ଗୋପବନ୍ଧୁ ବହୁ କଷ୍ଟ କରିଛନ୍ତି। ସଫଳ ହେବା ପାଇଁ ମଣିଷ ନିଜେ ବଦଳିବା ଦରକାର। ସତକୁ ମନେ ରଖିବାକୁ ପଡ଼େ ନାହିଁ। ସତ କହିବା କଷ୍ଟ ନୁହେଁ; ବରଂ ମିଛ କହିବା କଷ୍ଟ। ଗୋପବନ୍ଧୁଙ୍କ ଜୀବନକୁ ଦେଖିଲେ ଏହା ପ୍ରତିପାଦିତ ହୁଏ। ଆତ୍ମିକ ବଳ, ଆତ୍ମୋପଲବ୍ଧି ରହିଲେ ସଫଳତା ମିଳେ, ଯାହା ଗୋପବନ୍ଧୁଙ୍କ ଭିତରେ ଥିଲା ବୋଲି ସ୍ବାମୀଜୀ କହିଥିଲେ। ସେହିଭଳି କେହି ବଡ଼ କିମ୍ବା ସାନ ନୁହଁନ୍ତି, ବରଂ ଆମର କାର୍ଯ୍ୟ ବା ଚିନ୍ତାଧାରା କମ୍-ବେଶୀ ହୋଇପାରେ। ଆମର ଶିକ୍ଷା ବ୍ୟବସ୍ଥା ସୁଧାରିବାର ଆବଶ୍ୟକତା ରହିଛି ବୋଲି ସ୍ବାମୀଜୀ ମତବ୍ୟକ୍ତ କରିଥିଲେ। ସେହିପରି ଜୀବନ ୪ ପ୍ରକାରର। ସରଳ ଜୀବନ-ସରଳ ଭାବନା, ସରଳ ଜୀବନ- ଉଚ୍ଚ ଭାବନା, ଉଚ୍ଚ ଜୀବନ- ଉଚ୍ଚ ଭାବନା, ଉଚ୍ଚ ଜୀବନ- ନିମ୍ନ ଭାବନା। ଯିଏ ନିଜକୁ ଜାଣିଲା ସେ ଋଷି। ଗୋପବନ୍ଧୁ ଥିଲେ ବ୍ରହ୍ମର୍ଷି। ତାଙ୍କ ସରଳ ଜୀବନ ଓ ଉଚ୍ଚ ଚିନ୍ତା ଥିଲା। ସେ ବହୁ ଉଚ୍ଚକୋଟୀର ଜ୍ଞାନର ଅଧିକାରୀ ଥିଲେ। ଲାଲା ଲଜପତ୍ ରାୟଙ୍କ ସହ ଯୋଡ଼ି ହୋଇ ଜାତୀୟ ଭାବଧାରାରେ ସେ ସାମିଲ ହୋଇଥିଲେ ବୋଲି ସ୍ବାମୀଜୀ କହିଥିଲେ। ସେବାରେ ତ୍ୟାଗ ଓ ସମର୍ପଣ ଭାବ ଅପେକ୍ଷା ଏଥିରୁ ସର୍ବାଧିକ ଆତ୍ମସନ୍ତୋଷ ମିଳିଥାଏ। ତେଣୁ ସେବାଭାବକୁ ଯିଏ ଜାଣିଛି ସେ କଦାପି ଏହି କ୍ଷେତ୍ରରୁ ନିଜକୁ ଦୂରେଇ ରଖିପାରିବନାହିଁ। ଏଥିପାଇଁ ଯେତେ କଷ୍ଟ ଓ ସମସ୍ୟା ଆସୁ ପଛେ ସେହି ବ୍ୟକ୍ତି ନିକଟରେ ଏସବୁ ସାମୟିକ ପ୍ରତିବନ୍ଧକ ଏକ ଜଟିଳତା ଭଳି ମନେହେବନି। ଆତ୍ମସନ୍ତୋଷ ଓ ଆତ୍ମଉପଲବ୍ଧି ଲାଗି ବ୍ୟକ୍ତିଟି ସେହି ମହାନ ସେବା କାର୍ଯ୍ୟରେ ଆଗୁସାର ହେବ। ଏଭଳି ଜଣେ ଜ୍ଞାନ ଓ ତ୍ୟାଗତପସ୍ବୀ ତଥା ସେବା ମନୋଭାବର ମୂର୍ତ୍ତିମନ୍ତ ପ୍ରତୀକଟିଏ ଗୋପବନ୍ଧୁ ଥିଲେ ବୋଲି ସ୍ବାମୀଜୀ କହିଥିଲେ।
ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ତଥା ‘ସମାଜ ପରିଚାଳନା ମଣ୍ଡଳୀ’ ଅଧ୍ୟକ୍ଷ ଦୀପକ ମାଲବ୍ୟ ଅଧ୍ୟକ୍ଷତା କରି କହିଲେ, ଓଡ଼ିଶାବାସୀଙ୍କ ପାଇଁ ଗୋପବନ୍ଧୁଙ୍କ ସଂସ୍ଥା ‘ସମାଜ’ ୧୦୦ ବର୍ଷରେ ପଦାର୍ପଣ କରିଛି। ଭାଷା, ସାହିତ୍ୟ, ସଂସ୍କୃତି ଓ ସଭ୍ୟତାକୁ ସମ୍ମାନ ଦେଲେ ଦେଶର ଅଗ୍ରଗତି ସମ୍ଭବ ବୋଲି କହିଥିଲେ। ଏଥିପାଇଁ ‘ସମାଜ’ର ଉଦ୍ୟମ ସହ ଓଡ଼ିଶାବାସୀଙ୍କ ସହଯୋଗ ବି ଅନୁରୂପ ଜରୁରୀ ବୋଲି କହିଥିଲେ।
ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି କହିଥିଲେ ଆଜି ଯେଉଁ ଦୁଇ ଅତିଥି ମଞ୍ଚରେ ଅଛନ୍ତି ସେମାନେ ସ୍ବକୀୟ ପ୍ରତିଭାରେ ଚିର ଜାଜ୍ଜୁଲ୍ୟମାନ।
‘ସମାଜ’ର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ଆଜିର କାର୍ଯ୍ୟକ୍ରମ ଓ ‘ସମାଜ’ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ‘ସମାଜ’ ସମ୍ପାଦକ ବାମାପଦ ତ୍ରିପାଠୀ ମଞ୍ଚାସୀନ ଅତିଥିଗଣ, ଉପସ୍ଥିତ ବୁଦ୍ଧିଜୀବୀ, କୃତି ପ୍ରତିଯୋଗୀ, ରକ୍ତଦାତାଙ୍କୁ ବିଶେଷଭାବେ କୃତଜ୍ଞତା ଜଣାଇଥିଲେ। ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ତଥା ସମାଜ ରିଲିଫ କମିଟି ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ ଓ ଲୋକସେବକ ମଣ୍ଡଳର ସଭ୍ୟ ରାଜେନ୍ଦ୍ର କୁମାର ଜେନା ମଞ୍ଚାସୀନ ଥିଲେ। ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ‘ଗୋପବନ୍ଧୁ ଶ୍ରାଦ୍ଧସଂଖ୍ୟା’, ‘ଗୋପବନ୍ଧୁଙ୍କ ସତ୍ୟବାଦୀ’, ‘ସମାଜ ସାପ୍ତାହିକ’ ଏବଂ ସ୍ବାମୀ ଶୁଦ୍ଧାନନ୍ଦଜୀଙ୍କ ରଚିତ ପୁସ୍ତକ ମ୍ୟାନେଜିଂ ଥଟ୍ସ୍ ଉନ୍ମୋଚିତ ହୋଇଥିଲା। ବ୍ୟଙ୍ଗଶିଳ୍ପୀ ଅଶୋକ ଖୁଣ୍ଟିଆ ମଞ୍ଚରେ ଗୋପବନ୍ଧୁଙ୍କ ପ୍ରତିକୃତି କାନ୍ଭାସ୍ ଉପରେ ଆଙ୍କିଥିଲେ।
ରାଜ୍ୟସ୍ତରୀୟ ‘ଓଜସ୍ବିନୀ ଓଡ଼ିଶା’ ତର୍କ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅର୍ଥରାଶି ଚେକ୍, ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୨୦ ହଜାର ଟଙ୍କା, ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୧୫ ହଜାର ଟଙ୍କା, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା। ବରିଷ୍ଠ ବିଭାଗରେ ବୌଦ୍ଧ ପଞ୍ଚାୟତ କଲେଜର ଛାତ୍ର ସାରଦା ପ୍ରସନ୍ନ ବୋଷ ପ୍ରଥମ, କଟକ ରେଭେନ୍ସା ବିଶ୍ବବିଦ୍ୟାଳୟର ଛାତ୍ରୀ ପ୍ରେରଣା ଜେନା ଦ୍ବିତୀୟ, ଗଞ୍ଜାମ ଜିଲା ନୀଳକଣ୍ଠନଗର ସରସ୍ବତୀ ଶିଶୁବିଦ୍ୟାମନ୍ଦିର ଛାତ୍ର ସୌମ୍ୟରଞ୍ଜନ ମିଶ୍ର ତୃତୀୟ ଏବଂ କନିଷ୍ଠ ବିଭାଗରେ ରାଉରକେଲା ଚିନ୍ମୟ ଇଂରାଜୀ ମାଧ୍ୟମିକ ସ୍କୁଲର ଛାତ୍ରୀ ପ୍ରିଶା ପ୍ରିୟଦର୍ଶିନୀ ପ୍ରଥମ, ଖୋର୍ଦ୍ଧା ଜିଲା ଦାଶରଥୀ ବାଳିକା ହାଇସ୍କୁଲର ଛାତ୍ରୀ ଅନନ୍ୟା ରାୟ ଦ୍ବିତୀୟ, ଯାଜପୁର ଜିଲା ସ୍କୁଲର ଛାତ୍ର ରିତେଶ କୁମାର ମହାରଣା ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ଅବସରରେ କୃତି ପ୍ରତିଯୋଗୀ ପ୍ରିଶା ପ୍ରିୟଦର୍ଶିନୀ ୨ ହଜାର ଟଙ୍କା ଓ ଅନନ୍ୟା ରାୟ ୧ ହଜାର ଟଙ୍କା ନିଜ ପୁରସ୍କାର ରାଶିରୁ ସମାଜ ରିଲିଫ ପାଣ୍ଠିକୁ ମଞ୍ଚ ଉପରେ ଦାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଚିତ୍ରାନନ୍ଦ ପଣ୍ଡାଙ୍କ ସଂଯୋଜନାରେ କଣ୍ଠଶିଳ୍ପୀ ସୁଧାକର ମିଶ୍ର, ଅନ୍ତରା ଚକ୍ରବର୍ତ୍ତୀ, ପ୍ରଭୁପ୍ରସାଦ ନନ୍ଦଙ୍କ ଦ୍ବାରା ଭଜନ ପରିବେଷଣ କରାଯାଇଥିଲା। ସାଇ ସିମ୍ଫୋନୀ ଅନୁଷ୍ଠାନର କଣ୍ଠଶିଳ୍ପୀମାନେ ଆବାହନୀ ସଂଗୀତ ‘ବନ୍ଦେ ଉତ୍କଳଜନନୀ’ ଗାନ କରିଥିଲେ। ସଙ୍କେତ କମ୍ୟୁନିକେସନ୍ ଓ ‘ସମାଜ’ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଶ୍ରାଦ୍ଧୋତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଗୋପବନ୍ଧୁପ୍ରେମୀ ଯୋଗ ଦେଇଥିଲେ। ସକାଳେ କଟକର ଗଡ଼ଗଡିଆ ଘାଟରେ ଗୋପବନ୍ଧୁଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ, ‘ସମାଜ’ ମୁଖ୍ୟକାର୍ଯ୍ୟାଳୟରେ ସର୍ବଧର୍ମ ପ୍ରାର୍ଥନା ସଭା, ରକ୍ତଦାନ ଶିବିର, ଦରିଦ୍ର ନାରାୟଣ ସେବା କରାଯାଇଥିଲା।



