କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ : ପ୍ରବାସୀ ଶ୍ରମିକଙ୍କୁ ରେସନ ଦେବା ବ୍ୟବସ୍ଥା କର

ନୂଆଦିଲ୍ଲୀ : ​‌ପ୍ରବାସୀ ଶ୍ରମିକଙ୍କ ପରିବାରକୁ ସେମାନଙ୍କର ପ୍ରାପ୍ୟ ରେସନ ସାମଗ୍ରୀ କର୍ମସ୍ଥଳ ନିକଟରେ ଉପଲବ୍ଧ କରାଇବା ଲାଗି ଆବଶ୍ୟକ ନୀତି ନିର୍ଦ୍ଧାରଣ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ପ୍ରବାସୀ ଶ୍ରମିକଙ୍କ ମଙ୍ଗଳ ସମ୍ପର୍କରେ ହୋଇଥିବା କେତେକ ଆବେଦନର ବିଚାର କରି ସୁପ୍ରିମକୋର୍ଟ ଗୁରୁବାର ଏହି ନିର୍ଦେଶ ଦେଇଛନ୍ତି। ବିଚାରପତି ଏମଆର ଶାହାଙ୍କ ନେତୃତ୍ବ ପୀଠ କହିଛନ୍ତି ଯେ ଦେଶର କୌଣସି ନାଗରିକ କ୍ଷୁଧାରେ ପ୍ରାଣ ହରାଇବେ ନାହିଁ। ଆମ ଦେଶର ମଙ୍ଗଳକାରୀ ସମାଜରେ କୃଷକ ଓ ପ୍ରବାସୀ ଶ୍ରମିକମାନେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଦେଶ ଗଠନରେ ପ୍ରବାସୀ ଶ୍ରମିକମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ତେଣୁ ସେମାନଙ୍କୁ ଉପେକ୍ଷା କରାଯାଇ ପାରିବ ନାହିଁ। ପ୍ରବାସୀ ଶ୍ରମିକମାନେ ସେମାନଙ୍କ ନିଜ ବାସସ୍ଥାନଠାରୁ ଦୂରରେ ରହୁଥିବାରୁ ସେମାନେ ନିଜର ରେସନ ସାମଗ୍ରୀ ସଂଗ୍ରହ କରିପାରି ନଥାନ୍ତି। ଏପରି କ୍ଷେତ୍ରରେ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ କର୍ମସ୍ଥଳ ନିକଟରେ ରେସନ ସାମଗ୍ରୀ ପହଞ୍ଚାଇବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକ ପଦକ୍ଷେପ ନେବା ଦରକାର। ଏପରିକି ବିଚାରପତି ଶାହା କହିଛନ୍ତି ଯେ ଯଦି ଜଣେ ତୃଷାର୍ତ୍ତ ପାଣି ବା କୂଅ ପାଖରେ ପହଞ୍ଚିପାରୁ ନାହିଁ ତେବେ ପାଣି ବା କୂଅ ତୃଷାର୍ତ୍ତ ନିକଟରେ ପହଞ୍ଚିବା ଦରକାର। ଗରିବ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ସରକାର ଖାଦ୍ୟ ସୁରକ୍ଷା ଯୋଜନା କରିବା ଦରକାର। ପ୍ରବାସୀ ଶ୍ରମିକ ଓ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପାଇଁ ସରକାର ଏକ ସ୍ବତନ୍ତ୍ର ପୋର୍ଟାଲ ଖୋଲିବା ଦରକାର। ଏହାଦ୍ବାରା କଲ୍ୟାଣକାରୀ ଯୋଜନାଗୁଡିକର ଲାଭ ସେମାନଙ୍କ ନିକଟରେ ପହଞ୍ଚାଯାଇପାରିବ। ୨୦୨୧ ଜୁନ୍‌ରେ କୋଭିଡ୍-୧୯ ଜନିତ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମ୍ପର୍କରେ ବିଚାର କରିବା ବେଳେ ଅନୁରୂପ ନିର୍ଦେଶ ଦେଇଥିଲେ। ମାତ୍ର ବର୍ତ୍ତମାନ ସୁଦ୍ଧା ଅସଂଗଠିତ ଓ ପ୍ରବାସୀ ଶ୍ରମିକଙ୍କ ସମ୍ପର୍କରେ ସରକାର ଡାଟାବେସ୍ ତିଆରି ପାରିନାହାନ୍ତି। ଦେଶର ୧୦କୋଟି ଲୋକ ରେସନ କାର୍ଡ ପାଇଥିଲେ ମଧ୍ୟ ସେମାନେ ନିଜର ରେସନ ସାମଗ୍ରୀ ପାଇ ପାରୁ ନାହାନ୍ତି। ସାମାଜିକ କର୍ମୀ ଅଞ୍ଜଳି ଭରଦ୍ବାଜ, ହର୍ଷ ମାନ୍ଦର ଓ ଜଗଦୀପ ଛୋକରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମାଧାନ ନେଇ ପିଟିସନ ଦାୟର କରାଯାଇଥିଲା। ଆଜିର ଶୁଣାଣି ସମୟରେ କେନ୍ଦ୍ର ସରକାର ନିଜ ସତ୍ୟପାଠରେ କହିଥିଲେ ଯେ କରୋନା ମହାମାରୀ​‌ ଯୋଗୁଁ ୨୦୨୧ ଜନଗଣନା ବିଳମ୍ବିତ ହୋଇଛି। ତେଣୁ ଖାଦ୍ୟ ସୁରକ୍ଷା ଯୋଜନାକୁ ସମ୍ପ୍ରସାରଣ କରାଯାଇପାରି ନାହିଁ। ଆବେଦନକାରୀମାନେ କହିଥିଲେ ଯେ ଇ-ଶ୍ରମ ପୋର୍ଟାଲରେ ୨୭.୯୫ କୋଟି ଶ୍ରମିକ ପଞ୍ଜିକୃତ ହୋଇଛନ୍ତି। ଏହି ପଞ୍ଜିକୃତ ଶ୍ରମିକଙ୍କ ମଧ୍ୟରୁ କେତେ ଜଣ ରେସନ କାର୍ଡ ପାଇଛନ୍ତି ତାହା ଯାଞ୍ଚ କରାଯିବା ଦରକାର। ଏପରି ଜାଣିବା ପରେ ଅଦାଲତ ରେସନ କାର୍ଡ ପାଇ ନଥିବା ଶ୍ରମିକଙ୍କ ନିକଟରେ ତୁରନ୍ତ ରେସନ ପହଞ୍ଚାଇବାର ବ୍ୟବସ୍ଥା କରିବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

kalyan agarbati

Comments are closed.