Patra electronics

ଏହି ଆଳୁ ଖାଇଲେ ମିଳିବ ଚମତ୍କାର ଫାଇଦା; ଡାକ୍ତର ବି ଖାଇବାକୁ ଦେବେ ପରାମର୍ଶ, ଜାଣନ୍ତୁ କଣ ରହିଛି ଏହି ଆଳୁରେ

ସମାଜ ଡିଜିଟାଲ ଡେସ୍କ: ସାଧାରଣତଃ ଡାକ୍ତରମାନେ ଆଳୁ ଖାଇବାକୁ ମନା କରିଥାନ୍ତି । ଫଳରେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହୁଥିବା ଲୋକମାନେ ଆଳୁ ଖାଇବାଠୁ ଦୂରେଇ ରୁହନ୍ତି । କିନ୍ତୁ ଏବେ ବଜାରରେ ଏମିତି ଏକ ଆଳୁ ଆସିବାକୁ ଯାଉଛି ଯାହାକୁ ଖାଇବାକୁ ଡାକ୍ତର ମଧ୍ୟ ପରାମର୍ଶ ଦେବେ । ଏହି ଆଳୁକୁ ସିମଲା ସ୍ଥିତ କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନ ଆବିଷ୍କାର କରିଛି । ନିକଟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁସାଠାରେ ଶୁଭାରମ୍ଭ କରାଯାଇଥିବା ୧୦୯ଟି ପ୍ରଜାତିର ଆଳୁ ମଧ୍ୟରୁ ଏହି ଆଳୁ ଅନ୍ୟତମ । ଉତ୍ତରପ୍ରଦେଶର ମୋଦୀପୁରମ୍‌ ସ୍ଥିତ କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ର ଦ୍ୱାରା ଆବିଷ୍କୃତ ହୋଇଥିବା ଏହି ନୂଆ ପ୍ରଜାତିର ଆଳୁ ନାମ ହେଉଛି କୁଫ୍ରି ଜାମୁନିୟା । ଏହି ପ୍ରଜାତିର ଆଳକୁ ଖୋଜିବା ପାଇଁ ପ୍ରାୟ ୯ବର୍ଷ ସମୟ ଲାଗିଥିଲା । ୨୦୧୫ମସିହାରୁ ଏହା ଆରମ୍ଭ ହୋଇଥିଲା । ନୂଆ କିସମର ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଏହି ଆଳୁ ଦେଖାଇବା ସମୟରେ ବିଶେଷତ୍ୱ ସମ୍ପର୍କରେ କୁହାଯାଇଥିଲା । ପ୍ରଧାନମନ୍ତ୍ରୀ ମଧ୍ୟ ଏହାକୁ ପ୍ରଶଂସା କରିଥିଲେ ।
କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନର ପ୍ରମୁଖ ବୈଜ୍ଞାନିକ ଡକ୍ଟର ଏସ୍‌.କେ ଲୁଥ୍ରା କହିଛନ୍ତି ଯେ କୁଫ୍ରି ଜାମୁନିୟା ଆଳୁ ଏକ ଏପରି ପ୍ରଜାତିର ଆଳୁ ଯାହା ଆଣ୍ଟି-ଅକ୍ସିଡାଣ୍ଟ ଥିବା ଆନ୍ଥୋସାଇନିନ୍‌ ରେ ଭରପୂର । ଏହାର ୧୦୦ ଗ୍ରାମରେ ଅଧିକ ଆଣ୍ଟି-ଅକ୍ସିଡାଣ୍ଟ ଯଥା ଭିଟାମିନ ସି (୫୨ମି.ଗ୍ରା), ଆନ୍ଥୋସାଇନିନ୍‌ (୩୨ମି.ଗ୍ରା), କ୍ୟାରୋଟିନୋଇଡ୍‌ (୧୬୩ ମି.ଗ୍ରା) ରହିଥାଏ । ବିଶେଷଜ୍ଞଙ୍କ ମତରେ ଏହି କାରଣରୁ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ୯୦ରୁ ୧୦୦ଦିନରେ ପ୍ରସ୍ତୁତ ହେଉଥିବା ଏହି କିସମର ଆଳୁ ଦେଖିବାକୁ ବାଇଗଣି ରଙ୍ଗର ହୋଇଥିବା ବେଳେ ଏହାର ଆକାର ଅଣ୍ଡାକୃତି । ଏହାର ଅମଳ ହେକ୍ଟର ପିଛା ୩୨-୩୫ଟନ୍‌ ଏବଂ ସାଧାରଣ ଆଳୁ ଠାରୁ ଅଧିକ ଦିନ ପର୍ଯ୍ୟନ୍ତ ଗଚ୍ଛିତ ହୋଇ ରଖାଯାଇପାରିବ । ସାଧାରଣ ଆଳୁ ତୁଳନାରେ ଏହାର ସ୍ୱାଦ ମଧ୍ୟ ବହୁତ ଭଲ ହୋଇଥାଏ ।
କୁଫ୍ରି ଜାମୁନିୟା ଆଳୁ ବିଶେଷ କରି ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ଗୁଜରାଟ, ଓଡ଼ିଶା, ଆସାମ, ପଶ୍ଚିମବଙ୍ଗ ଏବଂ ବିହାର ରାଜ୍ୟରେ ଚାଷ ହୋଇପାରିବ । ଡାକ୍ତର ଏସ୍‌.କେ ଲୁଥ୍ରାଙ୍କ ସହ ଅନ୍ୟ ବରିଷ୍ଠ ଡାକ୍ତରମାନେ ଏହି ପ୍ରଜାତିର ଆଳ ବିକାଶରେ ନିୟୋଜିତ ହୋଇଛନ୍ତି ।

 

Comments are closed.