ଶନିବାର ଆସୁଛନ୍ତି ପ୍ରଧାନମନ୍ତ୍ରୀ: ଆଇଆଇଏମ୍‌ର ନୂତନ ବିଲ୍ଡିଂର କରିବେ ଲୋକାର୍ପଣ

ସମ୍ବଲପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସମ୍ବଲପୁର ଗସ୍ତରେ ଆସୁଛନ୍ତି। ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ ପରିସର ଉଦ୍‌ଘାଟନ ସହ ୬୮ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ପ୍ରକଳ୍ପଗୁଡ଼ିକର ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଏହାପରେ ଶ୍ରୀ ମୋଦୀ ସମ୍ବଲପୁରର ରେମେଡରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମ୍ବଲପୁର ସହର ସାରା ପୁଲିସ ଛାଉଣୀ ହୋଇଛି। ପ୍ରକଳ୍ପ ଲୋକାର୍ପଣ ଓ ଭିତ୍ତି ସ୍ଥାପନ କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବେ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏବଂ କେନ୍ଦ୍ରର ଅନ୍ତରୀଣ ବଜେଟ୍‌ ଉପସ୍ଥାପନ ପରେ ପ୍ରଧାନମନ୍ତ୍ରୀ ସମ୍ବଲପୁର ଆସୁଥିବାରୁ ଏହି ଗସ୍ତର ଗୁରୁତ୍ବ ବୃଦ୍ଧି ପାଇଛି। ୨୦୨୧ ଜାନୁଆରୀ ୨ରେ କୋଭିଡ୍ ସମୟରେ ଆଭାସି ଜରିଆରେ ପ୍ରଧାନମନ୍ତ୍ରୀ ଆଇଆଇଏମ୍‌, ସମ୍ବଲପୁରର ଶିଳାନ୍ୟାସ କରିଥିଲେ। ନିର୍ଦ୍ଧାରିତ ସମୟସୀମା ତଥା ଶାସନକାଳ ମଧ୍ୟରେ ଏହାର ଲୋକାର୍ପଣ ଏକ ବଡ଼ ଉପଲବ୍ଧି ବୋଲି କୁହାଯାଉଛି। ଆଇଆଇଏମ୍‌, ରେମେଡ ହେଲିପ୍ୟାଡ୍ ଓ ମୁଖ୍ୟମଞ୍ଚ ଏସ୍‌ପିଜିକୁ ହସ୍ତାନ୍ତର କରିଦିଆଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ, ପୁଲିସ ଆଇଜି ହିମାଂଶୁ ଲାଲ, ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀକାନ୍ତ ପୃଷ୍ଟି, ଜିଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଆରକ୍ଷୀ ଅଧୀକ୍ଷକ ମୁକେଶ କୁମାର ଭାମୁ ପ୍ରମୁଖ ଆଇଆଇଏମ୍‌ ସମ୍ବଲପୁର ଓ ରେମେଡ ସଭାସ୍ଥଳକୁ ଯାଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ। ଶୁକ୍ରବାର ପୂର୍ବାହ୍ଣରେ ରେମେଡ ସଭାସ୍ଥଳରେ ଏକ ‘ବ୍ରିଫିଂ’ ହୋଇଯାଇଛି। ଶ୍ରୀ ଭାମୁଙ୍କ ସୂଚନା ଅନୁଯାୟୀ, ଦୁଇଜଣ ଆଇଜି, ଚାରିଜଣ ଏସ୍‌ପି, ଏଡିଜି, ଇଣ୍ଟେଲିଜେନ୍ସ, ୨୫୦ ଅଧିକାରୀ ତଥା ୭୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ପାର୍କିଂ ସ୍ଥାନ ଚିହ୍ନଟ ହୋଇଥିବାବେଳେ ପାଣି ବୋତଲ ପାଇଁ ଅନୁମତି ନାହିଁ। ସମସ୍ତଙ୍କୁ ତନ୍ନତନ୍ନ କରି ଯାଞ୍ଚ କଲା ପରେ ଭିତରକୁ ଛଡ଼ାଯିବ ବୋଲି ସେ କହିଛନ୍ତି। ବାୟୁସେନା ହେଲିକପ୍ଟର ପରୀକ୍ଷାମୂଳକ ଭାବେ ଅବତରଣ ଓ ଉଡ଼ାଣ ଭରିଥିଲା। ତିନିଦିନ ହେବ ଉଭୟ ହେଲିପ୍ୟାଡ୍‌ ଓ ସଭାସ୍ଥଳରେ ପୁଲିସ ମୁତୟନ ରହିଛନ୍ତି। ପ୍ରଧାନମନ୍ତ୍ରୀ ଯୋଗଦେବାକୁ ଥିବା କୌଣସି କାର୍ଯ୍ୟକ୍ରମ ସ୍ଥଳ, ବିମାନବନ୍ଦର ଓ ହେଲିପ୍ୟାଡ୍‌ ସ୍ଥଳଠାରେ ଡ୍ରୋନ୍‌ କ୍ୟାମେରା ବ୍ୟବହାର କରାଯିବ ନାହିଁ। ସେହିପରି କାର୍ଯ୍ୟକ୍ରମସ୍ଥଳଗୁଡ଼ିକରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ ପାଇଁ ଜେନେରେଟର ରଖିବା ଉପରେ ଗୁରୁତ୍ବ ଦିଆଯାଇଛି। ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହେବାପରେ ଏହା ତାଙ୍କର ଦ୍ବିତୀୟ ସମ୍ବଲପୁର ଗସ୍ତ। ୨୦୧୯ରେ ସମ୍ବଲପୁର ଗସ୍ତରେ ଆସି ଶ୍ରୀ ମୋଦୀ ରେମେଡ ଜଲାନ ପଡ଼ିଆରେ ଜନସଭାରେ ଉଦ୍‌ବୋଧନ ଦେଇଥିଲେ। ପୂର୍ବରୁ ୨୦୧୪ରେ ନିର୍ବାଚନ ପୂର୍ବରୁ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ସମ୍ବଲପୁରକୁ ଆସି ପିଏଚ୍‌ଡି ପଡ଼ିଆରେ ଜନସଭାକୁ ସମ୍ବୋଧିତ କରିଥିଲେ। ଏହାବ୍ୟତୀତ ୨୦୨୧ ଜାନୁଆରୀ ୨ ତାରିଖ ଆଭାସି ଜରିଆରେ ପ୍ରଧାନମନ୍ତ୍ରୀ ଆଇଆଇଏମ୍‌ ସମ୍ବଲପୁରର ସ୍ଥାୟୀ ପରିସରର ଶିଳାନ୍ୟାସ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଘନଘନ ବୈଠକ ହେଉଛି। ସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଝାରସୁଗୁଡ଼ାରୁ ବାୟୁସେନା ହେଲିକପ୍ଟରରେ ଆସି ପ୍ରଧାନମନ୍ତ୍ରୀ ଆଇଆଇଏମ୍‌-ସମ୍ବଲପୁରରେ ୧ଟା ୪୫ ମିନିଟ୍‌ରେ ପହଞ୍ଚି ସ୍ଥାୟୀ ପରିସରର ଉଦ୍‌ଘାଟନ କରିବେ। ପରିସର ବୁଲି ଦେଖିବା ପରେ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଆଇଆଇଏମ୍‌ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ। ସେଠାରୁ ପ୍ରାୟ ଅପରାହ୍ଣ ୩ଟାବେଳେ ହେଲିକପ୍ଟର ଯୋଗେ ଆସି ପ୍ରଧାନମନ୍ତ୍ରୀ ସମ୍ବଲପୁର ରେମେଡସ୍ଥିତ ହେଲିପ୍ୟାଡ୍‌ରେ ଓହ୍ଲାଇବେ। ସେଠାରେ ବିଜେପି ପକ୍ଷରୁ ଆୟୋଜିତ ‘ବିଶାଳ ଗ୍ୟାରେଣ୍ଟି ସମାବେଶ’ରେ ସମ୍ବୋଧନ କରିବେ। ପ୍ରଧାନମନ୍ତ୍ରୀ ସଭାସ୍ଥଳୀର ପଛପଟେ ଥିବା ରାସ୍ତାରେ ପ୍ରବେଶ କରି ସିଧାସଳଖ ମଞ୍ଚକୁ ଯିବେ। ତିନୋଟି ମଞ୍ଚ ପ୍ରସ୍ତୁତ କରାଯାଇଛି। କେନ୍ଦ୍ରରେ ଥିବା ମୁଖ୍ୟମଞ୍ଚରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମଞ୍ଚାସୀନ ହେବାକୁ ଥିବାବେଳେ ବାମ ପଟରେ ଥିବା ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଡାହାଣ ପଟ ମଞ୍ଚରେ ରାଜ୍ୟସ୍ତରୀୟ ବିଜେପି ନେତୃବୃନ୍ଦ ଉପସ୍ଥିତ ରହିବେ। ସଭାସ୍ଥଳୀରେ ପ୍ରାୟ ଦୁଇ ଲକ୍ଷ ଲୋକ ବସିବା ପାଇଁ ସୁବିଧା କରାଯାଇଛି। ସାଧାରଣ ସେବା ପରିସର ବାହାରେ ପ୍ରାୟ ୧୦ଟି ମେଟାଲ ଡିଟେକ୍ଟର ଫାଟକ କରାଯାଇ ସମସ୍ତ ପ୍ରବେଶକାରୀଙ୍କୁ ଯାଞ୍ଚ କରାଯିବା ବ୍ୟବସ୍ଥା କରାଯାଇଛି।
ଲୋକାର୍ପଣ ଓ ଶିଳାନ୍ୟାସ ହେବାକୁ ଥିବ‌ା ପ୍ରକଳ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଗସ୍ତରେ ଆସି ୬୮ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ପ୍ରକଳ୍ପଗୁଡ଼ିକ ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ। ସେହିପରି ପ୍ରଧାନମନ୍ତ୍ରୀ ପ୍ରାୟ ୨୮,୯୮୦ କୋଟି ଟଙ୍କାର ଏକାଧିକ ବିଦ୍ୟୁତ୍‌ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ଶିଳାନ୍ୟାସ କରିବେ। ସେ ଅନୁଗୋଳ ଜିଲାରେ ଏନ୍‌ଟିପିସି ତାଳଚେର ତାପଜ ବିଦ୍ୟୁତ୍‌ ପ୍ରକଳ୍ପ ଷ୍ଟେଜ୍-୩ର ଶିଳାନ୍ୟାସ କରିବେ। ଏହି ବିଦ୍ୟୁତ୍‌ ପ୍ରକଳ୍ପଗୁଡ଼ିକ ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟକୁ ଶସ୍ତାରେ ବିଜୁଳି ଯୋଗାଣ କରିବ। ପ୍ରଧାନମନ୍ତ୍ରୀ ୨୭,୦୦୦ କୋଟିରୁ ଅଧିକ ମୂଲ୍ୟର ନେଭେଲି ଲିଗ୍ନାଇଟ୍ କର୍ପୋରେସନ୍ (ଏନ୍‌ଏଲ୍‌ସି) ତଲାବିରା ତାପଜ ବିଦ୍ୟୁତ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହାସହ ପ୍ରଧାନମନ୍ତ୍ରୀ ମହାନଦୀ କୋଲ୍ ଫିଲ୍ଡସ ଲି.ର କୋଇଲା ଭିତ୍ତିଭୂମି ପ୍ରକଳ୍ପକୁ ଉଦ୍‌ଘାଟନ କରିବେ, ଯେଉଁଥିରେ ଅନୁଗୋଳ ଜିଲାର ତାଳଚେର କୋଲଫିଲ୍ଡରେ ପ୍ରଥମ ପର୍ଯ୍ୟାୟ ଭୁବନେଶ୍ବରୀ ଏଫ୍‌ଏମ୍‌ସି ପ୍ରକଳ୍ପ ଏବଂ ଲାଜକୁରା ରାପିଡ୍ ଲୋଡିଂ ସିଷ୍ଟମ (ଆରଏଲ୍‌ଏସ୍‌) ଅନ୍ତର୍ଭୁକ୍ତ। ପାଖାପାଖି ୨୧୪୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାରୁ ଶୁଷ୍କ ଇନ୍ଧନର ଗୁଣବତ୍ତା ଏବଂ ଯୋଗାଣକୁ ପ୍ରୋତ୍ସାହିତ କରିବ। ଝାରସୁଗୁଡ଼ା ଜିଲାରେ ୫୫୦କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଇବ୍ ଭ୍ୟାଲି ୱାଶେରୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ।  ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ପ୍ରାୟ ୨୧୪୬ କୋଟି ଟଙ୍କାର ରେଳ ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ଶିଳାନ୍ୟାସ କରିବେ। ଶୈଳଶ୍ରୀ ପ୍ୟାଲେସ ଦ୍ୱାରା ଅନୁପ୍ରାଣିତ ସମ୍ବଲପୁର ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ଶ୍ରୀ ମୋଦୀ ଶିଳାନ୍ୟାସ କରିବେ। ଏହାବ୍ୟତୀତ ସେ ଝାରସୁଗୁଡ଼ା ମୁଖ୍ୟ ଡାକଘର ଐତିହ୍ୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।

Comments are closed.