ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର – ୭୭୭୮ ବିଦ୍ୟାଳୟରେ ନାହିଁ ଆବଶ୍ୟକ ଶ୍ରେଣୀଗୃହ

ଭୁବନେଶ୍ବର: ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ଶ୍ରେଣୀଗୃୃହ ନାହିଁ। ସରକାରଙ୍କ ତଥ୍ୟ କହୁଛି, ରାଜ୍ୟରେ ମୋଟ ୪୮ ହଜାର ୩୫୬ଟି ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ଥିବାବେଳେ ସେଥିମଧ୍ୟରୁ ୭ ହଜାର ୭୭୮ବିଦ୍ୟାଳୟରେ ଶ୍ରେଣୀଗୃହର ଅଭାବ ରହିଛି। ଶ୍ରେଣୀଗୃହ ନ ଥିବା ବିଦ୍ୟାଳୟରେ ଛାତ୍ରଛାତ୍ରୀ ସୁରକ୍ଷିତ ଭାବେ ବସିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେଉଁ ବିଦ୍ୟାଳୟରେ ଗୋଟିଏ କୋଠରୀରେ ଦୁଇଟି ଶ୍ରେଣୀର ଛାତ୍ରଛାତ୍ରୀ ବସୁଛନ୍ତି ତ ଆଉ କେଉଁ ବିଦ୍ୟାଳୟରେ ଗୋଟିଏ କୋଠରୀରେ ତିନୋଟି ଶ୍ରେଣୀର ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି। ଜଣେ ଶିକ୍ଷକ ଶ୍ରେଣୀଗୃହର ଏପଟ ମୁଣ୍ଡରେ ବସିଲେ ଆଉ ଜଣେ ଶିକ୍ଷକ ସେପଟ ମୁଣ୍ଡରେ ବସି ଶିକ୍ଷାଦାନ କରୁଛନ୍ତି।

ପରବର୍ତ୍ତୀ ସମ୍ବାଦ ପଢିବା ପାଇଁ ଏହି ଲିଙ୍କ କ୍ଲିକ କରନ୍ତୁ https://samajalive.in/tajmahal-flood-water/482891.html

ଶିକ୍ଷା ବ୍ୟବସ୍ଥାର ବିକାଶ ନିମନ୍ତେ ଅନେକ ପଦକ୍ଷେପ ନିଆଯିବା ସତ୍ତ୍ବେ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ଶ୍ରେଣୀଗୃହ ନିର୍ମାଣ ହୋଇ ନ ପାରିବା ବିଡମ୍ବନାର ବିଷୟ। ଶ୍ରେଣୀଗୃହ ନ ଥିବାରୁ ଛାତ୍ରଛାତ୍ରୀ ବାରଣ୍ଡା କିମ୍ବା ଗଛମୂଳରେ ବସି ପଢୁଛନ୍ତି। ଅନେକ ସମୟରେ ଏଭଳି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି। ହେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହାକୁ ନେଇ ଭିନ୍ନମତ ପ୍ରକାଶ କରୁଛି। ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଅନେକ ସଂସ୍କାର ଅଣାଯାଇଛି। ପୂର୍ବେ ବିଦ୍ୟାଳୟ ଚାଳଘର ଥିଲା। ଏବେ ରାଜ୍ୟରେ ଗୋଟିଏ ହେଲେ ଚାଳଘର ବିଦ୍ୟାଳୟ ନାହିଁ। ସବୁ ବିଦ୍ୟାଳୟ ପକ୍କାଘର ହୋଇଛି ବୋଲି ବିଭାଗ କହୁଛି।

ସେହିପରି ସୁରକ୍ଷା ପାଇଁ ୪୩ ହଜାର ୬୫୩ ବିଦ୍ୟାଳୟରେ ପାଚେରୀ ନିର୍ମାଣ ହୋଇଛି। ଅବଶିଷ୍ଟ ୪ ହଜାର ୭୦୩ ବିଦ୍ୟାଳୟରେ ପାଚେରୀ ନାହିଁ। ବିଦ୍ୟାଳୟ ଭିତରକୁ ଅସାମାଜିକଙ୍କ ଅବାଧ ପ୍ରବେଶ ଏବଂ ଗାଈଗୋରୁଙ୍କ ଚାରଣ ଭୂଇଁ ପାଲଟିଛି। ପାଚେରୀ ନ ଥିବାରୁ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାର କହିଥିଲେ, ସମସ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଖେଳିବା ଲାଗି ଖେଳ ପଡ଼ିଆ ରହିବ। ହସ୍ତଗତ ତଥ୍ୟରୁ ଜଣାପଡିଛି ଯେ, ୩ ହଜାର ୪୮୩ ବିଦ୍ୟାଳୟରେ ଖେଳ ପଡିଆ ନାହିଁ, ଅର୍ଥାତ ଶ୍ରେଣୀଗୃହରେ ଛାତ୍ରଛାତ୍ରୀ ପଢିବା ବ୍ୟତୀତ୍‌ ଖେଳିବାର ସୁଯୋଗ ପାଆନ୍ତି ନାହିଁ।

ଗ୍ରୀଷ୍ମଋତୁରେ ଛାତ୍ରଛାତ୍ରୀ ଗରମରେ ବସି ପଢିବେ ନାହିଁ। ପ୍ରତି ବିଦ୍ୟାଳୟକୁ ବିଦ୍ୟୁତ୍‌ ସଂଯୋଗ ଦିଆଯିବ। ଆଲୋକ ଜଳିବ ଏବଂ ପଙ୍ଖା ବି ଲାଗିବ। ଆରମଦାୟକ ଶ୍ରେଣୀଗୃହରେ ବିଦ୍ୟାର୍ଥୀ ଅଧ୍ୟୟନ କରିବା ଲାଗି ବ୍ୟବସ୍ଥା ହେବ। ଘରୋଇ ବିଦ୍ୟାଳୟ ଭଳି ସରକାରୀ ବିଦ୍ୟାଳୟରେ ବିଦ୍ୟୁତ୍‌ ସୁବିଧା ମିଳିବ। ଏତେସବୁ ଲକ୍ଷ୍ୟ ଭିତରେ ଏପର୍ଯ୍ୟନ୍ତ ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟକୁ ବିଦ୍ୟୁତ କି ସୌରଶକ୍ତି ସଂଯୋଗ ହୋଇ ପାରିଲା ନାହିଁ। ରାଜ୍ୟରେ ୫ ହଜାର ୧୮୨ ବିଦ୍ୟାଳୟକୁ ବିଦ୍ୟୁତ କିମ୍ବା ସୌରଶକ୍ତି ସଂଯୋଗ ନାହିଁ। କରୋନା ସମୟରେ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ହାର ବୃଦ୍ଧି ପାଇଥିଲା। ଏବେ କିନ୍ତୁ କମୁଛି। କେଉଁ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ୮ରୁ ୧୦ ପିଲା ଅଛନ୍ତି ତ ଆଉ କେଉଁ ବିଦ୍ୟାଳୟର ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୫। ପୂର୍ବେ ଗୋଟିଏ ଶ୍ରେଣୀରେ ୪୦ରୁ ୫୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ। ନୋଡାଲ ବିଦ୍ୟାଳୟରେ ୬୦ରୁ ୭୦ ପିଲା ରହୁଥିଲେ। ହେଲେ ପୂର୍ବଭଳି ଆଉ ସରକାରୀ ବିଦ୍ୟାଳୟ ଶ୍ରେଣୀଗୃହରେ ପିଲାଙ୍କ ଗହଳି ଦେଖିବାକୁ ମିଳୁନାହିଁ। ଗ୍ରାମାଞ୍ଚଳରୁ ସହରାଞ୍ଚଳ ସବୁଠି ଘରୋଇ ବିଦ୍ୟାଳୟ ଖୋଲିଛି। ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରିବା ପରିବର୍ତ୍ତେ ଘରୋଇ ଶିକ୍ଷାନୁଷ୍ଠାନ ମୁହଁା ହେଉଛନ୍ତି। ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବା ଶିକ୍ଷାର ଦୁର୍ବଳ ଭିତ୍ତିଭୂମିକୁ ସୂଚାଉଛି।

ଘରୋଇ ଶିକ୍ଷାନୁଷ୍ଠାନ ପାଇଁ ସରକାର ମାଗଣାରେ ଜମି ଓ ଅନୁମତି ଦେଉଛନ୍ତି। ଶିକ୍ଷାଧିକାର ଆଇନ ଅନୁଯାୟୀ ଘରୋଇ ବିଦ୍ୟାଳୟ ଗୁଡିକ ୨୫%ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷା ଦେବେ; କିନ୍ତୁ ପ୍ରଥମରୁ କିଛି ବର୍ଷ ସରକାରଙ୍କ ଆଇନକୁ ପାଳନ କରୁଥିବା ବେଳେ ପରବର୍ତ୍ତୀ ସମୟରେ ଅଭିଭାବକଙ୍କ ପାଖରୁ ଫି. ଆଦାୟ କରିବାକୁ ପଛାନ୍ତି ନାହିଁ।

ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଭିତ୍ତିଭୂମି ସଜାଡିବାକୁ ଗୁରୁତ୍ବ ଦିଆଯାଉଛି। ହାଇସ୍କୁଲଗୁଡ଼ିକୁ ଯେଉଁଭଳି ୫-ଟି ଅଧୀନରେ ରୂପାନ୍ତରଣ କରାଯାଇଛି, ସେହିଭଳି ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟକୁ ରୂପାନ୍ତରଣ କରିବା କଷ୍ଟଦାୟକ। ପ୍ରାଥମିକ ବିଦ୍ୟାଳୟ ଭିତ୍ତିଭୂମି ସଜାଡ଼ିବା ପାଇଁ ପଞ୍ଚାୟତିରାଜ ବିଭାଗକୁ ଦାୟିତ୍ବ ଦିଆଯାଇଛି। ୨୦୨୨ରେ ପଞ୍ଚାୟତିରାଜ ବିଭାଗ ୧୨ଶହ ବିଦ୍ୟାଳୟ ମରାମତି କରିଥିବା ବେଳେ ୫-ଟି ଅଧୀନରେ ରୂପାନ୍ତରିତ ହାଇସ୍କୁଲ ପରିସରରେ ଥିବା ୫ ହଜାର ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ରୂପାନ୍ତରିତ ହୋଇଛି।ଏନେଇ ପ୍ରାଥମିକ ଶିକ୍ଷା ନିର୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର କହିଛନ୍ତି, ଶିକ୍ଷା ବ୍ୟବସ୍ଥାରେ ଅନେକ ଉନ୍ନତି ଆସିଛି। ସରକାରୀ ବିଦ୍ୟାଳୟ ପ୍ରତି ଗାଁରେ ସ୍ଥାପିତ ହୋଇଛି। ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ପାଖକୁ ଯାଉଛି। ପାହାଡ଼ିଆ ଅଞ୍ଚଳରେ ଅନେକ ବିଦ୍ୟାଳୟ ରହିଛି। ସେଠାରେ ଭିତ୍ତିଭୂମି ଦୁର୍ବଳ ଥାଇପାରେ; କିନ୍ତୁ ସରକାର ପଞ୍ଚାୟତିରାଜ ବିଭାଗକୁ ଭିତ୍ତିଭୂମି ସଜାଡ଼ିବା ଦାୟିତ୍ବ ଦେଇଛନ୍ତି। ପଞ୍ଚାୟତିରାଜ ବିଭାଗ କିଛି ବିଦ୍ୟାଳୟରେ ଶ୍ରେଣୀଗୃହ ନିର୍ମାଣ ପରି ଅନ୍ୟାନ୍ୟ ଭିତ୍ତିଭୂମି କାମ କରିଛି। ଆଶା କରାଯାଉଛି, ଆଗାମୀ ୩ରୁ୪ ବର୍ଷ ଭିତରେ ରାଜ୍ୟର ସମସ୍ତ ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ ହୋଇଯିବ।

Comments are closed.