ଦୁଇ ରାଜ୍ୟ କଳିରୁ ବିଭ୍ରାଟ : ଚାପରେ ହୀରାକୁଦ
ଭୁବନେଶ୍ୱର : ମୌସୁମୀ ଋତୁରେ ମହାନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ଏକମାତ୍ର ଭରସା ହଉଛି ହୀରାକୁଦ ଜଳଭଣ୍ଡାର। କିନ୍ତୁ ହୀରାକୁଦ ଉପରେ ବର୍ଷକୁ ବର୍ଷ ଚାପ ବଢ଼ିଚାଲିଛି। କେବଳ ବନ୍ୟା ନିୟନ୍ତ୍ରଣ ନୁହେଁ ଏହା ସାଙ୍ଗକୁ ଜଳସେଚନ ବିିଦ୍ୟୁତ୍ ଉତ୍ପାଦନ ପାଇଁ ବି ହୀରାକୁଦ ଉପରେ ନିର୍ଭର କରିବାକୁ ପଡ଼ୁଛି। ହେଲେ ଡ୍ୟାମର ଠିକଣା ଭାବେ ସୁପରିଚଳନା ହେଉ ନଥିବା ନେଇ ବିଭିନ୍ନ ମହଲରୁ ଅଭିଯୋଗ ଉଠିଲାଣି। ବିଶେଷ କରି ମୌସୁମୀ ବର୍ଷା କାଳରେ ବଡ଼ ଧରଣର ବଢ଼ି ଆସିଲେ ଡ୍ୟାମରେ ଜଳ ପରିଚାଳନା ପାଇଁ ଉପର ମୁଣ୍ଡରେ ଛତିଶଗଡ଼ ଓ ତଳମୁଣ୍ଡରେ ଥିବା ଓଡ଼ିଶା ଉଭୟ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲେ ହେଁ ଗତ କିଛି ବର୍ଷ ହେଲା ଛତିଶଗଡ଼ର ମନମୁଖୀ କାର୍ଯ୍ୟ ଯୋଗୁଁ ଓଡ଼ିଶାକୁ କ୍ଷତିଗ୍ରସ୍ତ ହେବାକୁ ପଡ଼ୁଛି। ଉଭୟ ରାଜ୍ୟ ଭିତରେ ସମନ୍ୱୟ ଅଭାବ ଏଥରର ବଡ଼ ବଢ଼ିର ଅନ୍ୟତମ ପ୍ରମୁଖ କାରଣ ବୋଲି କୁହାଯାଉଛି। ବିଶେଷ କରି ଦୁଇ ରାଜ୍ୟର କଳି ଭିତରେ ସାଧାରଣ ଜନତା ହଟହଟା ହେଉଛନ୍ତି ଏବଂ ସେମାନଙ୍କ ଜୀବନ ଜୀବିକା ଉଜୁଡ଼ି ଯାଉଛି। ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ବା ଜଳ ପରିଚାଳନା ପାଇଁ ହୀରାକୁଦ ଡ୍ୟାମକୁ ଛାଡ଼ିଦେଲେ ଅନ୍ୟ କିଛି ବିକଳ୍ପ ନାହିଁ। ପୂର୍ବରୁ ଛତିଶଗଡ଼ ଉପରମୁଣ୍ଡରେ ଏକାଧିକ ଡ଼୍ୟାମ ତିଆରି କରି ଅଣମୌସୁମୀ ଋତୁରେ ଓଡ଼ିଶାର ଜୀବନରେଖା ମହାନଦୀ ପାଇଁ ବିପଦ ସୃଷ୍ଟି କରିଥିବାବେଳେ ଏବେ ବଡ଼ ବର୍ଷା ଆସିଲେ ମୌସୁମୀ ଋତୁରେ ବି ମନଇଚ୍ଛା ପାଣି ଛାଡ଼ିବା ଫଳରେ ମହାନଦୀ ଅବବାହିକାରେ ବିଭୀଷିକା ସୃଷ୍ଟି ହେଉଛି। ତେଣୁ ହୀରାକୁଦ ଭଳି ନହେଲେ ମଧ୍ୟ ଭବିଷ୍ୟତରେ ମହାନଦୀ ତଳମୁଣ୍ଡରେ ଏକାଧିକ ଜଳଭଣ୍ଡାର ନିର୍ମାଣ ପାଇଁ ପୂର୍ବରୁ ଥିବା ପ୍ରସ୍ତାବ କାର୍ଯ୍ୟକାରୀ ନକଲେ ରାଜ୍ୟରେ ବନ୍ୟା ଦାଉରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ସମ୍ଭବ ନୁହେଁ।
ଗୋଟିଏ ଳଘୁଚାପ ଯିବା ପରେ ଦ୍ୱିତୀୟଟି ଭୟଙ୍କର ହେବ ଏବଂ ପ୍ରବଳ ବର୍ଷିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡ଼ି) ପ୍ରାକ ଆକଳନ କରିଥିଲା। ଏଥିପାଇଁ ବିଭିନ୍ନ ପର୍ଯ୍ୟାୟରେ ରେଡ଼ ୱାର୍ନିଂ ଜାରି ହେଲା। ଏହା ପୂର୍ବରୁ କିଛି ଦିନ ଧରି ବର୍ଷା ଉଭାନ ହୋଇଯାଇଥିଲା। ରାଜ୍ୟର ଅଧିକାଂଶ ଅଞ୍ଚଳରେ ଚାଷ କାର୍ଯ୍ୟ ପାଇଁ ଜଳାଭାବ ଦେଖାଦେଇଥିଲା। ହେଲେ ବର୍ଷା ହଠାତ ଓଜାଡ଼ିବ ଏବଂ ବଡ଼ ବନ୍ୟା
ଆସି ଏଭଳି ପରିସ୍ଥିତି ସୃଷ୍ଟି କରିବ ସେ କଥା ପ୍ରଶାସନର ଧାରଣା ଭିତରେ ନଥିଲା। ସେଥିପାଇଁ ପ୍ରସ୍ତୁତିରେ କିଛି ଢ଼ିଲା ରହିଲା ବୋଲି ଚର୍ଚ୍ଚା ହେଉଛି। ଅଗଷ୍ଟ ୧୩ରୁ ରାଜ୍ୟବ୍ୟାପୀ ଭୀଷଣ ବର୍ଷା ସହ ମହାନଦୀ ଅବବାହିକା ଏବଂ ଏହାର ଉପରମୁଣ୍ଡରେ ଛତିଶଗଡ଼ରେ ବି ପ୍ରବଳ ବର୍ଷିଲା। ଛତିଶଗଡ଼ର ସବୁ ଜଳଭଣ୍ଡାର ଭର୍ତ୍ତି ହୋଇଯିବା ପରେ ହୀରାକୁଦ ଗେଟ ଖୋଲିବାକୁ ଓଡ଼ିଶା ଉପରେ ଚାପ ପକାଇଲା। ହେଲେ ତଳମୁଣ୍ଡରେ ସ୍ଥିତି ନିୟନ୍ତ୍ରଣରେ ଥିବାରୁ ଛତିଶଗଡ଼ କଥାରେ ବା ଚାପରେ ହୀରାକୁଦ ଗେଟ ଖୋଲିବାକୁ ରାଜ୍ୟ ସରକାର ମନା କରିଦେଲେ। ଅବଶ୍ୟ ଛତିଶଗଡ଼ରୁ ହୀରାକୁଦକୁ କେତେ ପରିମାଣରେ ପାଣି ଆସିବ ସେ ବିଷୟରେ ଓଡ଼ିଶାକୁ କୌଣସି ସୂଚନା ଦିଆଗଲା ନାର୍ହି। ତେବେ ମହାନଦୀ ତଳ ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ସାଙ୍ଗକୁ ଛତିଶଗଡ଼ରୁ ଉଦବୃତ୍ତ ଜଳ ମହାନଦୀକୁ ମାଡ଼ିଆସିବା ଦ୍ୱାରା ହୀରାକୁଦର ନିରାପତ୍ତାକୁ ଦୃଷ୍ଟିରେ ରଖି ଏଠାରେ ଫାଟକ ଖୋଲିବା ଛଡ଼ା ଅନ୍ୟ କିଛି ବିକଳ୍ପ ନଥିଲା। ଉପରମୁଣ୍ଡରେ ପ୍ରବଳ ଜଳପ୍ରବାହ ନିୟନ୍ତ୍ରର ବାହାରକୁ ଯିବା ପୂର୍ବରୁ ଡ଼୍ୟାମର ସୁରକ୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ହୀରାକୁଦରେ ପ୍ରଥମେ ୨୬ ଓ ପରେ ଏକାଦିକ୍ରମେ ୪୦ ଫାଟକ ଖୋଲିବାକୁ ପଡ଼ିଲା। ଉଭୟ ରାଜ୍ୟ ଭିତରେ ଜଳ ପରିଚାଳନା ନେଇ କୌଣସି ଆଲୋଚନା ନହେବା ଦ୍ୱାରା ଜଳସମ୍ପଦ ବିଭାଗ କେତେ ପାଣି ଆସିବ ତାହା ଆକଳନ କରିପାରିଲା ନାହିଁ। ତେଣୁ ଶେଷ ମୁହୂର୍ତ୍ତରେ ୨୪ଘଣ୍ଟା ଭିତରେ ଅଧିକ ଗେଟ ଖୋଲିବାକୁ ପଡ଼ିଲା।
ପ୍ରଥମ ଛେକରେ ୬ଲକ୍ଷ କ୍ୟୁସେକ ପାଣି ମୁଣ୍ଡଳି ଦେଇ ଅତିକ୍ରମ କରିବ ବୋଲି କୁହାଯାଇଥିଲେ ହେଁ ପଛକୁ ପଛ ଏହା ବଢ଼ିଚାଲିଲା । ଦୁଇ ଦିନର ବ୍ୟବଧାନରେ ମୁଣ୍ଡଳି ଦେଇ ଜଳ ନିଷ୍କାସନ ୯ଲକ୍ଷ କ୍ୟୁସେକରୁ ଆରମ୍ଭ ହୋଇ ପରେ ୧୨ଲକ୍ଷ କ୍ୟୁସେକ ଅତିକ୍ରମ କଲା। ହଠାତ ଏତେ ପରିମାଣରେ ଜଳ ହୀରାକୁଦରେ ପ୍ରବେଶ କରିବା ଏବଂ ଏହାକୁ ମୁଣ୍ଡଳି ଦେଇ ନିଷ୍କାସିତ କରିବାକୁ ପଡ଼ିବ ଏଥିପାଇ ପୂର୍ବ ପ୍ରସ୍ତୁତି ନଥିଲା।
ବିଡ଼ମ୍ବନାର ବିଷୟ ହେଉଛି ବର୍ଷ ବର୍ଷ ଧରି ଦୁଇ ରାଜ୍ୟ ଭିତରେ ଜଳଭଣ୍ଡାର ସ୍ଥିତି, ଜଳପରିଚାଳନା ବିଷୟରେ ତଥ୍ୟ ଆଦାନପ୍ରଦାନ ହୋଇପାରୁନି। ରୁଲ କର୍ଭର ଉଲ୍ଲଘଂନ କରାଯାଉଛି। ହୀରାକୁଦ ଗେଟ ଖୋଲିବାକୁ ଛିତଶଗଡ଼ ଅନୁରୋଧ କରିବାବେଳେ କେତେ ଜଳ ଛାଡ଼ିବ ସେ ବିଷୟରେ ବି ସୂଚନା ଦିଆଯାଉନାହିଁ। ଅଭିଯୋଗ ହେଉଛି ଆଇଏମଡ଼ି ଆକଳନକୁ ଗୁରୁତ୍ୱ ଦେଇ ଜଳସମ୍ପଦ ବିଭାଗ ଏବଂ ଡ୍ୟାମ କର୍ତ୍ତୃପକ୍ଷ ଜଳପରିଚାଳନା କରିଥିଲେ କମ ସମୟ ଭିତରେ ୪୦ ଗେଟ ଖୋଲିବାକୁ ପଡ଼ି ନଥାନ୍ତା କିମ୍ବା ବିପଦ ସେତେ ଗମ୍ଭୀର ହୋଇ ନଥାନ୍ତା। ମହାନଦୀ ଅବବାହିକାରେ ଥିବା ନଦୀ ଗୁଡ଼ିକରୁ ଜଳସ୍ତର ଖସୁଥିଲେ ମଧ୍ୟ ବିପଦ ସମ୍ପୂର୍ଣ୍ଣ ଟଳିନାହିଁ। କାରଣ ଏବେ ବି ମୁଣ୍ଡଳି ଦେଇ ୯ ଲକ୍ଷ କ୍ୟୁସେକ ଉପରେ ଜଳ ନିଷ୍କାସିତ ହେଉଛି। ଏହାଛଡ଼ା ଆଗାମୀ ୨୪ ଘଣ୍ଟାରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଅବପାତ ପ୍ରଭାବରେ ପ୍ରବଳ ବର୍ଷାର ଆକଳନ କରାଯାଇଛି। ଛତିଶଗଡ଼ରେ ଅଧିକ ବର୍ଷାର ସମ୍ଭାବନା ଥିବାରୁ ସେଥିପାଇଁ ସତର୍କ ରହିବାକୁ ପଡ଼ିବ।
Comments are closed.