କେନ୍ଦୁଝରଗଡ଼ : ଜିଲାର ସଙ୍ଗଠିତ ଓ ଅଣସଙ୍ଗଠିତକ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ସ୍ୱାର୍ଥକୁ ଅଣଦେଖା ପ୍ରତିବାଦରେ ଭାରତୀୟ ମଜଦୁର ସଂଘ ଆସନ୍ତା ୧୩ ତାରିଖ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବ ବୋଲି ସଂଘର ରାଜ୍ୟ ସଭାପତି ପୃଥ୍ୱୀରାଜ ପଣ୍ଡା କହିଛନ୍ତି । ସହିଦସଦନ ଠାରେ ଶୁକ୍ରବାର ସଂଘର ଜିଲା ସଭାପତି ନିହାର ରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପଣ୍ଡା ଏହା କହିବା ସହ ସଂଘ ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା ଓ ନ୍ୟାୟ ହାସଲ ପାଇଁ ସାମାଜିକ ସୁରକ୍ଷା ଯୋଗାଇ ଦେବା ଏବଂ ମହିଳା ସଶକ୍ତିକରଣ ପାଇଁ ତା’ର ଲଢ଼େଇ ସର୍ବଦା ଜାରି ରଖିଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଘର କ୍ଷେତ୍ରୀୟ ସଙ୍ଗଠନ ସମ୍ପାଦକ ଗିରୀଶ ଚନ୍ଦ୍ର ମହାନ୍ତ ଯୋଗଦେଇ ଆସନ୍ତା ୨୨ ତାରିଖ ଅଙ୍ଗନବାଡିକର୍ମୀ ଓ ୨୬ ତାରିଖ ଆଶାକର୍ମୀଙ୍କୁ ନେଇ ବିଧାନସଭା ଘେରାଉ କରାଯିବ ବୋଲି କହିଥିଲେ। ଏଥିସହ ବିଭିନ୍ନକ୍ଷେତ୍ରରେ କାର୍ଯ୍ୟରତ ୨ଲକ୍ଷରୁ ଅଧିକ ଶ୍ରମିକଙ୍କୁ ନେଇ ରାଜ୍ୟ ସରକାରଙ୍କ ଶ୍ରମିକମାରଣ ନୀତି ବିରୋଧରେ ଭୁବନେଶ୍ୱର ଠାରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଥିବା ଶ୍ରୀ ମହାନ୍ତ କହିଥିଲେ । ଏତଦ୍ବ୍ୟତୀତ ଡିସେମ୍ବର ୩୦ ଓ ୩୧ତାରିଖ ଦୁଇଦିନ ଧରି କେନ୍ଦୁଝର ଠାରେ ସଂଘର ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ସଂଘ ରାଜ୍ୟ ଉପସଭାପତି ଏ.ଶ୍ରୀନିବାସ ରାଓ, ସମ୍ପାଦିକା ସୁମିତ୍ରା ମହାପାତ୍ର, କୋଷାଧ୍ୟକ୍ଷ ଲକ୍ଷ୍ମଣ ଦାସ ପ୍ରମୁଖ କହିଛନ୍ତି । ପ୍ରାରମ୍ଭରେ ସଂଘର ରାଜ୍ୟ ସମ୍ପାଦକ ତଥା କେନ୍ଦୁଝର ଜିଲା ପ୍ରଭାରୀ ଡାକ୍ତର ମହାନ୍ତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ବାବୁଲାଲ ମହାନ୍ତ, ସହସମ୍ପାଦକ ଚନ୍ଦନ ବଇପାଇ, ଉପସଭାନେତ୍ରୀ ବିଣାପାଣୀ ବେହେରା, ମିଡିଆ ପ୍ରମୁଖ ଅର୍ଜୁନ ବେହେରା, ତୀର୍ଥବାସୀ ମହାନ୍ତ, ମମତାରାଣୀ ବେହେରା, ସୁଷମାରାଣୀ ମହାପାତ୍ର, ରାଜ୍ୟ ଆଶାକର୍ମୀ ସମ୍ପାଦିକା ଧରିତ୍ରୀ ବାରିକ, ଜିଲା ସମ୍ପାଦିକା ବିଶାଖା ମହାନ୍ତ, ଦୀପିକା ମହାରଣା, ଗାୟତ୍ରୀ ଜେନା, ବିଶ୍ୱଭୁଷଣ ବେହେରା, ସ୍ମୃତିରଞ୍ଜନ ସେଠୀ, ଦିପ୍ତୀମୟୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



