କଠୁଆ ଗଣବଳାତ୍କାର ଓ ହତ୍ୟା ଘଟଣାକୁ ରାଷ୍ଟ୍ରପତିଙ୍କ ନିନ୍ଦା

0

କାକ୍ରିୟାଲ(ଜାମ୍ମୁ-କାଶ୍ମୀର) : ଜାମ୍ମୁ-କାଶ୍ମୀରର କଠୁଆ ଜିଲାରେ ୮ବର୍ଷର ନାବାଳିକାକୁ ଗଣବଳାତ୍କାର ଓ ହତ୍ୟା କରାଯିବା ଘଟଣାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିନ୍ଦା କରିଛନ୍ତି। ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଘୃଣ୍ୟ। ରାଷ୍ଟ୍ରପତି କହିଛନ୍ତି ଯେ ଦେଶର କୌଣସି ମହିଳା ଓ ବାଳିକାଙ୍କ ପ୍ରତି ଏପରି ହିଂସା ଯେପରି ନଘଟିବ ସେ ଦିଗରେ ଆମେ ସମସ୍ତେ ଯତ୍ନବାନ ହେବା ଦରକାର। ଏହା ଆମ ସମସ୍ତଙ୍କର ଏକ ସାମାଜିକ ଦାୟିତ୍ୱ। ଏ ଦିଗରେ ଆମେ ସମସ୍ତେ ଯତ୍ନବାନ ହେବା ଉଚିତ୍‍। ବୁଧବାର ଶ୍ରୀ ମାତା ବୈଷ୍ଣୋଦେବୀ ବିଶ୍ୱବିଦ୍ୟାଳୟର ୬ଷ୍ଠ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ଏହା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ଆମେ ଆମର କନ୍ୟା ସନ୍ତାନଙ୍କ ସୁରକ୍ଷା ଦିଗରେ ନିଜର ଦାୟିତ୍ୱ ନିର୍ବାହ କରିବା ଦରକାର। ସେ କହିଛନ୍ତି ଯେ ସ୍ୱାଧୀନତାର ୭୦ବର୍ଷ ପରେ ଏପରି ଘଟଣା ଘଟିବା ଦେଶ ପାଇଁ ଏକ ଲଜ୍ଜାକର ବିଷୟ। ଆମେ କି ପ୍ରକାର ସମାଜର ବିକାଶ କରୁଛେ ତାହା ଆମେ ଚିନ୍ତା କରିବା ଦରକାର। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବଳାତ୍କାର ଓ ମହିଳା ବିରୋଧୀ ହିଂସାରୁ ଦେଶକୁ ରକ୍ଷା କରିବାକୁ ହେଲେ ଆମ ସମସ୍ତଙ୍କୁ ଏକଜୁଟ୍‍ ହେବାକୁ ପଡିବ। ଏଥିପାଇଁ ଆମେ ଆମ ପିଲାମାନଙ୍କୁ ସାମାଜିକ ଓ ନୈତିକ ଶିକ୍ଷା ଦେବା ଦରକାର। ବୁଧବାର ଠାରୁ ରାଷ୍ଟ୍ରପତି ଦୁଇଦିନିଆ ଜାମ୍ମୁ ଗସ୍ତରେ ଯାଇଥିବାବେଳେ ଟେକ୍ନିକାଲ ଏୟାରପୋର୍ଟରେ ତାଙ୍କୁ ରାଜ୍ୟପାଳ ଏନଏନ ଭୋରା, ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି, ବାଚସ୍ପତି କବିନ୍ଦ୍ର ଗୁପ୍ତା, ଉପମୁଖ୍ୟମନ୍ତ୍ରୀ ନିର୍ମଳ ସିଂହ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ।

Leave A Reply