ସତ୍ୟକୁ ବଣ୍ଟାଯାଇ ପାରିବ ନାହିଁ: ରାଷ୍ଟ୍ରପତି

ପୁରୀ,  : ଈଶ୍ବରଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପଣ ହିଁ ଭକ୍ତି। ସତ୍ୟକୁ କେବେହେଲେ ବଣ୍ଟାଯାଇ ପାରିବ ନାହିଁ। ଭକ୍ତିଭାବରେ ଈଶ୍ବରଙ୍କ ପୂଜା ପରମ୍ପରା ସର୍ବାଧିକ ମହତ୍ବପୂର୍ଣ୍ଣ। ଅନେକ ମହାନ ବ୍ୟକ୍ତିତ୍ବ ଆମକୁ ନିଃସ୍ବାର୍ଥ ଉପାସନାର ମାର୍ଗ ଦେଖାଇଛନ୍ତି। ସେମାନଙ୍କ ମଧ୍ୟରେ ଶ୍ରୀଚୈତନ୍ୟ ମହାପ୍ରଭୁ ଅନ୍ୟତମ। ଏଥିପାଇଁ ମହାପ୍ରଭୁ ଶବ୍ଦ ଈଶ୍ବରଙ୍କ ନାମସହ ଯୋଡ଼ାଯାଇଛି। ମଣିଷ ବୃକ୍ଷଠାରୁ ଅଧିକ ସହନଶୀଳ ହେବା ଉଚିତ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରାମର୍ଶ ଦେଇଛନ୍ତି।
ଗୌଡ଼ୀୟ ମଠ ପ୍ରତିଷ୍ଠାତା ଶ୍ରୀମଦ୍‌ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଆବିର୍ଭାବ ମହୋତ୍ସବ ଅବସରରେ ଶରଧାବାଲିରେ ଆୟୋଜିତ ବିଶ୍ବ ବୈଷ୍ଣବ ସମ୍ମିଳନୀକୁ ଉଦ୍‌ଘାଟନ କରି ସେ କହିଲେ, ଈଶ୍ବରଙ୍କ ପ୍ରତି ନିରନ୍ତର ପ୍ରେମଭାବ ତଥା ସମାଜରେ ସମାନତା ଭାରତୀୟ ସଂସ୍କୃତି ଓ ଇତିହାସର ସ୍ବାତନ୍ତ୍ର୍ୟ। ସନ୍ଥ କବୀର, କୃଷ୍ଣଭକ୍ତ ସୁରଦାସ ଏବଂ ରାମଭକ୍ତ ସନ୍ଥ ତୁଳସୀଦାସଙ୍କ ଉଦାହରଣ ଦେଇ ସେ କହିଲେ ଈଶ୍ବରଙ୍କ ବ୍ୟତୀତ ଭକ୍ତଙ୍କୁ ଅନ୍ୟ କେଉଁଠାରେ ଶାନ୍ତି ମିଳେନାହିଁ। ଭକ୍ତିର ପରାକାଷ୍ଠାରେ ସନ୍ତୁଷ୍ଟ ହୋଇ ଈଶ୍ବର ସ୍ବୟଂ ଭକ୍ତ ପାଖକୁ ଚାଲି ଆସନ୍ତି। ଭକ୍ତିମାର୍ଗରେ ଧର୍ମ, ଜାତି ଏବଂ ଲିଙ୍ଗ ଭେଦ ନଥାଏ। ଆସାମରେ ଶଙ୍କରଦେବଙ୍କଠାରୁ ଆରମ୍ଭ କରି ଗୁଜୁରାଟରେ ନରସୀ ମେ‌େ‌ହଟ୍ଟା, ଉତ୍ତରରେ ଗୁରୁ ନାନକ, ଦକ୍ଷିଣରେ ନାରାୟଣ ଭଟ୍ଟଙ୍କ ପର୍ଯ୍ୟନ୍ତ ଭକ୍ତିଧାରାର ପ୍ରଚାର କରିଛନ୍ତି। ଇସ୍କନର ସଂସ୍ଥାପକ ସ୍ବାମୀ ଭକ୍ତି ବେଦାନ୍ତ ପ୍ରଭୁପାଦ ଆମେରିକା ସମେତ କେତେକ ପାଶ୍ଚାତ୍ୟ ଦେଶରେ ଭକ୍ତି ଆନ୍ଦୋଳନର ପ୍ରସାର କରିଥିବା ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ମତ ଦେଇଛନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ ବେଳେ ସମଗ୍ର ବିଶ୍ବ ଏବଂ ମାନବ ଜାତିକୁ କରୋନା ମହାମାରୀରୁ ଶୀଘ୍ର ମୁକ୍ତ କରିବା ପାଇଁ ସେ ପ୍ରାର୍ଥନା କରିଥିବା ପ୍ରକାଶ କରିଛନ୍ତି। ରାଷ୍ଟ୍ରପତିଙ୍କ ପତ୍ନୀ ସବିତା କୋବିନ୍ଦ ମଞ୍ଚାସୀନ ଥିଲେ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଲେ, ଶ୍ରୀଜଗନ୍ନାଥ ଚେତନାକୁ ବିଶ୍ବବ୍ୟାପୀ କରିବାରେ ଶ୍ରୀଳ ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତଙ୍କ ଉଦ୍ୟମ ପ୍ରଶଂସନୀୟ। ଦେଶ ବିଦେଶରେ ୬୫ ମଠ ପ୍ରତିଷ୍ଠା କରି ସେ ଭକ୍ତି ଆନ୍ଦୋଳନକୁ ଅଧିକ ଲୋକାଭିମୁଖୀ କରିଛନ୍ତି। ଚୈତନ୍ୟ ଗୌଡ଼ୀୟ ବିଶ୍ବବିଦ୍ୟାଳୟରେ କେବଳ ମାନବିକ ମୂଲ୍ୟବୋଧର ଶିକ୍ଷା ଦିଆଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଇଂରେଜମାନେ ଭାରତକୁ ମାଡ଼ି ଆସୁଥିବାବେଳେ ସ୍ବାମୀ ଭକ୍ତି ସିଦ୍ଧାନ୍ତ ପ୍ରେମଭକ୍ତିର ବାର୍ତ୍ତା ପ୍ରଚାର କରି ସମଗ୍ର ବିଶ୍ବକୁ ଦିଗ୍‌ଦର୍ଶନ ଦେଇଥିଲେ। ଶ୍ରୀଚୈତନ୍ୟଙ୍କ ବାଣୀରେ ରହିଥିବା ମାନବିକତା ଦେଶର ଆଧ୍ୟାତ୍ମିକ ଆନ୍ଦୋଳନକୁ ଅଧିକ ସମୃଦ୍ଧ କରିଛି। ଏହା ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ଜାଗୃତ କରିଥିବା ଶ୍ରୀ ପ୍ରଧାନ କହିଛନ୍ତି। ସ୍ବାମୀ ଭକ୍ତିସୁନ୍ଦର ସନ୍ୟାସୀ ମହାରାଜ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ବାମୀ ଭକ୍ତିବେଦାନ୍ତ କେଶବ ମହାରାଜ ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ। ସ୍ବାମୀ ଭକ୍ତିବିବେକ ମଧୁସୂଦନ ମହାରାଜ ଏବଂ ସ୍ବାମୀ ଭକ୍ତିସୁନ୍ଦର ବିଷ୍ଣୁ ମହାରାଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଏକ ସ୍ମରଣିକା ଅତିଥିଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା।
ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ପୂର୍ବାହ୍ନରେ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠକୁ ଯାଇ ଶ୍ରୀଲ ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେଠାରେ ଆୟୋଜିତ ଆଧ୍ୟାତ୍ମିକ ସମାବେଶରେ ଯୋଗଦେବା ସହ ଚାରାରୋପଣ କରିଥିଲେ।
ସତ୍ୟକୁ ବଣ୍ଟାଯାଇ ପାରିବ…

Comments are closed.