ଅଚ୍ୟୁତ ସାମନ୍ତଙ୍କୁ ପ୍ରାଣନାଥ ସମ୍ମାନ

ପି.ଏନ୍‌. କଲେଜର ୬୩ତମ ସାମ୍ବତ୍ସରିକ ଉତ୍ସବ

ଖୋର୍ଦ୍ଧା : ଗୁରୁବାର ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ (ପି.ଏନ୍‌. କଲେଜ୍‌) ପରିସରରେ ମହାବିଦ୍ୟାଳୟର ୬୩ତମ ସାମ୍ବତ୍ସରିକ ଉତ୍ସବ ଓ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ସମ୍ମାନିତ ଅତିଥିଭାବେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ କଲେଜ ଅଧ୍ୟକ୍ଷା ଡ. ରଞ୍ଜିତା ସେଠୀ ସ୍ୱାଗତ ଭାଷଣ ଦେଇଥିବାବେଳେ ଖୋର୍ଦ୍ଧା ବିଧାୟକ ତଥା କଲେଜ ପରିଚାଳନା ସମିତି ସଭାପତି ଜ୍ୟୋତିରୀନ୍ଦ୍ରନାଥ ମିତ୍ର ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ସଂସ୍କୃତି, ଆଦର୍ଶକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ମେଜର ଶ୍ରୀ ମହାନ୍ତି ଛାତ୍ରଛାତ୍ରୀଙ୍କୁ କର୍ତ୍ତବ୍ୟ ବିଷୟରେ ସୂଚିତ କରାଇ ପୂର୍ବ ପୁରୁଷଙ୍କ ଦେଶ ସ୍ୱାଧୀନତା ପାଇଁ ବଳିଦାନ ଓ ତ୍ୟାଗ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହି ଉତ୍ସବରେ କିଟ୍‌ ତଥା କିସ୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ପ୍ରାଣନାଥ ସମ୍ମାନ, ସାହିତ୍ୟିକା ଡ. ଅର୍ଚ୍ଚନା ନାୟକଙ୍କୁ ମଞ୍ଜରୀ ଦେବୀ ସାହିତ୍ୟ ସମ୍ମାନ, ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କୁ ପ୍ରାଣନାଥ ସଙ୍ଗୀତ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଡ. ସାମନ୍ତଙ୍କ ତରଫରୁ ପ୍ରାଧ୍ୟାପକ ଶୁଭେନ୍ଦୁ ମହାନ୍ତି ଓ ମନ୍ମଥ ମିଶ୍ରଙ୍କ ତରଫରୁ ତାଙ୍କ ସହଧର୍ମିଣୀ ସମ୍ମାନ ଗ୍ରହଣ କରିଥିଲେ। ଏତଦ୍‌ ବ୍ୟତୀତ ଡକ୍ଟରେଟ କରିଥିବା ତିନିଜଣ ଅଧ୍ୟାପକ ପ୍ରିୟବ୍ରତ ମହାନ୍ତି, ସୌମେନ୍ଦ୍ର ମିଶ୍ର ଓ ବାମଦେବ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା। କଲେଜର ପ୍ରାକ୍ତନ ଅଧ୍ୟକ୍ଷ ମନୋରଞ୍ଜନ ସେନାପତିଙ୍କୁ ଓ କଲେଜରେ ୨୫ ବର୍ଷ ବୃତ୍ତିକାଳ ଶେଷ କରିଥିବା ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରାତନ ଛାତ୍ର ସଂସଦ ପକ୍ଷରୁ ୭ଜଣ କୃତୀ ପୁରାତନ ଛାତ୍ର ଯଥାକ୍ରମେ ସାମ୍ବାଦିକ ରାଧାମାଧବ ମିଶ୍ର, ଚିକିତ୍ସା କ୍ଷେତ୍ରରେ ଡ. ସୂର୍ଯ୍ୟକାନ୍ତ ପଟ୍ଟଯୋଷୀ, ପ୍ରଶାସନିକ କ୍ଷେତ୍ରରେ ରାଧାକାନ୍ତ ପାଣି, ନାଟ୍ୟକାର ସନ୍ତୋଷ ମହାନ୍ତି, ସମାଜସେବୀ ନରେନ୍ଦ୍ର ପୃଷ୍ଟି, ବିଚିତ୍ର କୁମାର ବଡଜେନା, ଶିକ୍ଷାବିତ ବୈକୁଣ୍ଠନାଥ ରାଜଗୁରୁଙ୍କୁ ସମ୍ମାନିତ କରାଯାଇଥିଲା। କଲେଜ ମୁଖପତ୍ର ‘ପ୍ରତୀକ’ ଓ ଗବେଷଣା ଭିତ୍ତିକ ମାଗାଜିନ ‘ମଞ୍ଜରୀ’କୁ ମୁଖ୍ୟ ଅତିଥି ଲୋକାର୍ପିତ କରିଥିଲେ। ପ୍ରାଧ୍ୟାପକ ଶୁଭେନ୍ଦୁ ମହାନ୍ତି, ଡ. ସୁଚିତ୍ରା ତ୍ରିପାଠୀ ଏହାକୁ ସଂଯୋଜନା କରିଥିବାବେଳେ କଲେଜରେ ଶ୍ରେଷ୍ଠ ସ୍ନାତକ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

kalyan agarbati

Comments are closed.