ଗଣତନ୍ତ୍ରର ସୁନ୍ଦର ଦୃଶ୍ୟ: ପରସ୍ପରଙ୍କୁ ଆଲିଙ୍ଗନ କଲେ ବବି-ଧର୍ମେନ୍ଦ୍ର

ସମ୍ବଲପୁର: ସମ୍ବଲପୁର ଲୋକସଭା ଓ ବିଧାନସଭା ଆସନ ଚଳିତ ନିର୍ବାଚନରେ ହଟ୍‌ ସିଟ୍‌ ରୂପେ ପରିଗଣିତ ହେଉଥିବାବେଳେ ଜାତୀୟସ୍ତରରେ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ରାଜ୍ୟରେ ୨ ପ୍ରମୁଖ ଦଳ ବିଜେପି ଓ ବିଜେଡିର ହେଭିୱେଟ ନେତାମାନଙ୍କ ମଧ୍ୟରେ ଏଠାରେ ଲଢ଼େଇ ହେଉଥିବାବେଳେ ଉଭୟ ଦଳ ପାଇଁ ଏବେ ସମ୍ବଲପୁର ଲୋକସଭା ଓ ବିଧାନସଭା ଆସନ ଜିତିବା ସମ୍ମାନର ବିଷୟ ପାଲଟିଛି। ଏଣୁ ଏବେ ନେତାମାନେ ଜନତାଙ୍କ ପ୍ରିୟଭାଜନ ହେବା ପାଇଁ କୌଣସି ସୁଯୋଗ ହାତଛଡା କରିବାକୁ ଚାହୁଁନାହାନ୍ତି। କିନ୍ତୁ ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ରରେ ନେତାମାନେ ପରସ୍ପରର ବିରୋଥୀ ହେଲେ ମଧ୍ୟ ପରସ୍ପରକୁ ସମ୍ମାନ ଦେଇଥାନ୍ତି ଏବଂ ଏହାର ଉଦାହରଣ ସମ୍ବଲପୁରଠାରେ ଦେଖିବାକୁ ମିଳିଛି।

ବିଶ୍ୱ ପ୍ରସିଦ୍ଧ ଦେବ ବିବାହ ଉତ୍ସବ ଶୀତଳଷଷ୍ଠୀ ଯାତ୍ରା ପାଇଁ ଶୁକ୍ରବାର ପବିତ୍ର ଅକ୍ଷୟ ତୃତୀୟା ତିଥି ଅବସରରେ ଶୀତଳଷଷ୍ଠୀ ଯାତ୍ରା କମିଟିଗୁଡିକର ଥାଳ ଉଠା ନୀତି ସମ୍ପନ୍ନ ସହିତ ମାସାଧିକକାଳ ପ୍ରାକ ପ୍ରସ୍ତୁତି ପର୍ବର ଶୁଭାରମ୍ଭ ହୋଇଯାଇଛି। ଏହି କ୍ରମରେ ସର୍ବପୁରାତନ ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ପୂଜାର୍ଚ୍ଚନା ପରେ ଅପରାହ୍ନ ୪ଟାରେ ଥାଳ ଉଠା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ଶିବ ଓ ପାର୍ବତୀଙ୍କ ଆଶୀର୍ବାଦ ପ୍ରାପ୍ତ ଓ ଜନତାଙ୍କ ପ୍ରିୟଭାଜନ ହେବା ପାଇଁ ବିଜେପିର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡିର ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ବିଜେପିର ସମ୍ବଲପୁର ବିଧାନସଭା ଆସନ ପ୍ରାର୍ଥୀ ଜୟନାରାୟଣ ମିଶ୍ର ଓ ବିଜେଡିର ଇଂ ରୋହିତ ପୂଜାରୀ ପହଞ୍ଚିଥିଲେ। ବାଲୁଙ୍କେଶ୍ୱର ମନ୍ଦିରକୁ ପ୍ରବେଶ କରିବା ସମୟରେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଣବ ପ୍ରକାଶ ଦାସ ସାମ୍ନାସାମ୍ନି ହୋଇଥିବାବେଳେ ଉଭୟେ ପରସ୍ପରକୁ ଅଭିନନ୍ଦନ ଜଣାଇବା ସହିତ ଆଲିଙ୍ଗନ କରିଥିଲେ। ଗଣତନ୍ତ୍ରରେ ଏହି ମନମୋହକ ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିବା ସହିତ ଏହାକୁ ଉଚ୍ଚ ପ୍ରଶଂସା କରିଥିଲେ। ଧର୍ମେନ୍ଦ୍ର ଓ ପ୍ରଣବ ପରସ୍ପରକୁ ଆଲିଙ୍ଗନ କରି କଥାବାର୍ତ୍ତା ହେଉଥିବା ବେଳେ ପଛରେ ଜୟନାରାୟଣ ମିଶ୍ର ଓ ରୋହିତ ପୂଜାରୀ ମଧ୍ୟ ଏକ ସଙ୍ଗରେ ବସି ଖୁସିଗପ କରୁଥିବାର ଦେଖାଯାଇଥିଲା।

ନନ୍ଦପଡ଼ାଠାରେ କାର୍ଯ୍ୟକ୍ରମ ଶେଷ ହେବା ପରେ ଝାଡୁଆପଡ଼ାଠାରେ ଥାଳ ଉଠା କାର୍ଯ୍ୟକ୍ରମକୁ ତୁରନ୍ତ ସମସ୍ତ ନେତାମାନେ ଯାଇଥିଲେ। ସେଠାରେ ନେତାମାନେ ପହଞ୍ଚିବା ସମୟରେ ପୂଜା ଚାଲୁଥିବା ବେଳେ ସମସ୍ତ ନେତା ପୂଜାସ୍ଥଳରେ ବସିଥିଲେ। ଥାଳ ଉଠା କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ସମସ୍ତ ନେତା ଏକା ସାଥିରେ ପବିତ୍ର ଥାଳକୁ ଧରି ଶିବ ଓ ପାର୍ବତୀଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହା ପରେ ନେତାମାନେ ଆଗପଛ ହୋଇ ସହରର ଅନ୍ୟ ଶୀତଳଷଷ୍ଠୀ କମିଟିର ଥାଳ ଉଠା କାର୍ଯ୍ୟକ୍ରମକୁ ମଧ୍ୟ ଯାଇଥିଲେ।

ହଟ୍‌ ସିଟ୍‌ର ହେଭିୱେଟ ନେତାମାନେ ନିର୍ବାଚନ ଜିତିବା ପାଇଁ ସବୁ ପ୍ରକାର କଳବଳ କୌଶଳ ଲଗାଇବା ସହିତ ନିତିଦିନ ବାକଯୁଦ୍ଧ କରୁଥିବାବେଳେ ପବିତ୍ର ଥାଳ ଉଠା କାର୍ଯ୍ୟକ୍ରମରେ ସମସ୍ତେ ଏକାଠି ହୋଇ ଖୁସଗପ କରିବା ଘଟଣାକୁ ଜନତା ଉତ୍ସାହର ସହିତ ଗ୍ରହଣ କରିଛନ୍ତି। ଏହାର ଗଣତନ୍ତ୍ରର ସୁନ୍ଦରତା ଅଟେ ବୋଲି ମତ ଦେଉଛନ୍ତି।

Comments are closed.