www.samajalive.in
Thursday, December 11, 2025
16.1 C
Bhubaneswar

ଗାନ୍ଧୀ ନୁହେଁ; ଏଣିକି ସୁଭାଷ ନୀତି: ପ୍ରଦୀପ ମାଝୀ

ନବରଙ୍ଗପୁର : ନବରଙ୍ଗପୁର ଜିଲାର କୋଷାଗୁମୁଡ଼ା ବ୍ଲକ ଅଞ୍ଚଳର ଜଣେ ନାବାଳିକାକୁ ଗଣବଳାତ୍କାର ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପୁଲିସ ବିଫଳତା ପ୍ରତିବାଦରେ ଗୁରୁବାର କଂଗ୍ରେସ ୧୨ଘଣ୍ଟିଆ ଜିଲା ବନ୍ଦ ପାଳନ କରିଥିଲା। ବନ୍ଦ ପାଳନ ବେଳେ ଗୋଟିଏ କାର୍‍କୁ ଆନ୍ଦୋଳନକାରୀ ଜାଳି ଦେଇଥିବା ଅଭିଯୋଗ ହୋଇଛି। ଏପରିକି ଏହି ଘଟଣା କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ଇସାରାରେ କରାଯାଇଥିବା ଓ ଏ ନେଇ ଏକ ଭିଡିଓ ଘୂରି ବୁଲୁଥିବା ନବରଙ୍ଗପୁର ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ ଏଭଳି ସ୍ପର୍ଶକାତର ଘଟଣାରେ ଆଜକୁ ୧୪ଦିନ ପରେ ମଧ୍ୟ ପୁଲିସ ହାତ ଖାଲି ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ସାର୍ବଜନୀନ ହୋଇପାରି ନ ଥିବାବେଳେ ଘଟଣା ରହସ୍ୟ ଉନ୍ମୋଚନ କରିବାରେ ପୁଲିସ ବିଫଳ ହୋଇଛି। ଆଜି ସକାଳ ୬ରୁ ଦଳୀୟ ନେତାକର୍ମୀ ମାନେ ପିକେଟିଂ କରିବା ସହ ଜାତୀୟ ରାଜପଥ ୨୬ରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଫଳରେ ଯାନବାହନ ଚଳାଚଳ ବନ୍ଦ ହୋଇଥିଲା। ଗଣବଳାତ୍କାର ହତ୍ୟାର ଘଟଣାର ୧୪ଦିନ ବିତିଯାଇଥିଲେ ହେଁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ ନ ଥିବାବେଳେ ଏଥିପାଇଁ କଂଗ୍ରେସ ପକ୍ଷରୁ ରାଜ୍ୟ ସରକାରଙ୍କୁ ତୀବ୍ର ନିନ୍ଦା କରାଯାଇଥିଲା। ଏପରିକି ଶବ ବ୍ୟବଛେଦ ରିପୋର୍ଟକୁ ମଧ୍ୟ ଗୁପ୍ତ ରଖାଯାଇଛି। ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି, ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ଉପସଭାପତି ଦିଲ୍ଲୀପ ବେହେରା, ଅଖିଳ ଭତରା, ସମ୍ପାଦକ ପ୍ରଦୀପ ସାହୁ, କୁନା ପାଢ଼ି, ଅବଦୁଲ ଫିରୋଜ, ପ୍ରଫୁଲ୍ଲ ପଣ୍ଡା, କାଳୀଚରଣ ପାତ୍ର, ନଗର ସଭାପତି ଉତ୍ତମ ତ୍ରିପାଠୀ, ପ୍ରଣତି ତ୍ରିପାଠୀ, ଦୀପକ ସୁନା, ଚନ୍ଦ୍ର ମଲ୍ଲିକ, ବାସୁଦେବ ପଟ୍ଟନାୟକ, ବାମଦେବ ନାୟକ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ସହର ପ୍ରବେଶ ଦ୍ୱାର ମାଝିଗୁଡା ଛକ ଓ ଚାଉଁରିଆଗୁଡା ଛକରେ ମଧ୍ୟ ଦଳୀୟ ନେତା ଓ କର୍ମୀମାନ ରାସ୍ତା ଅବରୋଧ କରିବାରୁ ଶତାଧିକ ଯାନବାହାନ ଅଟକି ରହିଥିଲା। ପୂର୍ବାହ୍ଣ ୧୧ଟାବେଳେ ଅତିରିକ୍ତ ଏସପି ଶାନ୍ତନୁ ମହାନ୍ତି ଓ ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ ପୁଲିସ ଫୋର୍ସ ସହ ପହଞ୍ଚିବା ସହ ଆନ୍ଦୋଳନକାରୀଙ୍କୁ ଜବରଦସ୍ତ ରାସ୍ତାରୁ ହଟାଇ ଯାନବାହନ ଛାଡ଼ିଥିଲେ। ଏହି ଖବର ପାଇ ପ୍ରଦୀପ ମାଝି ଓ ମୁନା ତ୍ରିପାଠୀ ଘଟଣାସ୍ଥଳକୁ ଯାଇଥିଲେ। ଏହାପରେ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ଉତ୍ତେଜିତ ହୋଇ ପ୍ରଦୀପ ଦଳୀୟ ନେତାଙ୍କୁ ଫୋନ କରି ପେଟ୍ରୋଲ ଓ ଡିଜେଲ ରଖ ଓ ନିର୍ଦେଶ ଦିଆଗଲେ ଜାଳିବାକୁ କୁଆଡ଼େ କହିଥିଲେ। ଏହାପରେ ପରିସ୍ଥିତି ଅଧିକ ଜଟିଳ ଆକାର ଧାରଣ କରିଥିଲା। ଆନ୍ଦୋଳନକାରୀ ଆମ୍ବେଦକର ଛକ ନିକଟରେ ଗୋଟିଏ କାର୍‍କୁ ନିଅାଁ ଲଗାଇ ଦେଇଥିଲେ। ଖବର ପାଇ ଦମକଳ ବାହିନୀ ପହଞ୍ଚିବା ସହ ନିଅାଁକୁ ଲିଭାଇଥିଲେ ହେଁ ଗାଡିଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା। ପରେ ପରିସ୍ଥିତି କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ ରହିଥିଲା। ପୁଲିସ ପଛଘୁଞ୍ଚା ଦେବା ପରେ ପୁଣି ରାସ୍ତା ଅବରୋଧ କରାଯାଇଥିଲା। ତେବେ ସନ୍ଧ୍ୟା ପରେ ପରିସ୍ଥିତି ସ୍ୱାଭାବିକ ହେବା ସହ ଯାନବାହନ ଚଳାଚଳ କରିଥିଲା।
ଅନ୍ୟପକ୍ଷରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ମା’ଭଉଣୀଙ୍କ ବଳାତ୍କାର ବଢ଼ିବାରେ ଲାଗିଛି। ବିଜେଡି ସରକାର କୌଣସି ପଦକ୍ଷେପ ନେଉନାହିଁ। କଂଗ୍ରେସ ଗାନ୍ଧିନୀତି ନେଇ କାମ କରିବାରୁ ବିଜେଡି ସରକାର ଶୁଣୁନାହିଁ;ଏଣିକି ସୁଭାଷ ବୋଷଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ନ୍ୟାୟ ପାଇଁ ହିଂସା କରାଯିବ ବୋଲି ଚେତାବନୀ ଦେଇ କହିଛନ୍ତି। କୁନ୍ଦୁଲି ଗଣବଳାତ୍କାର, ଯାଜପୁରର ବଳାତ୍କାର ପରେ ଗଣବଳାତ୍କାର ଘଟିଛି। ଏହାଛଡ଼ା ଦୈନିକ ହତ୍ୟା ଓ ବଳାତ୍କାର ହେଉଛି। ଆଗାମୀଦିନରେ ରାଜ୍ୟରେ ତୀବ୍ର ଆନ୍ଦୋଳନ କରାଯିବା ସହ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରାଯିବ ବୋଲି କହିଥିଲେ। ସମଗ୍ର ଜିଲାର ବନ୍ଦ ପାଳନ ଯୋଗୁଁ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବାବେଳେ ଲୋକଙ୍କର ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ଦୂରଦୂରାନ୍ତରୁ ଯାତାୟାତ କରୁଥିବା ଲୋକମାନେ ନାହିଁ ନ ଥିବା ଅସୁବିଧା ଭୋଗିଥିଲେ। ଅନ୍ୟପକ୍ଷରେ ଏନେଇ ଅତିରିିକ୍ତ ଏସପି ଶାନ୍ତନୁ ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ କଂଗ୍ରେସର ଆନ୍ଦୋଳନକାରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହେବ। ଗାଡ଼ି ପୋଡ଼ି ବିଷୟରେ ପ୍ରତିକ୍ରିୟା ନେବାରୁ ଗାଡ଼ିଟି ଅବ୍ୟବହୃତ ଗାଡ଼ି ଥଲା, ସେ ଗାଡ଼ିଟିକୁ ଜାଳି ଦିଆଯାଇଛି, ସେ ନେଇ କୌଣସି ଅଭିଯୋଗ ପୁଲିସର ହସ୍ତଗତ ହୋଇନାହିଁ ବୋଲି ପ୍ରକାଶ କରିଛନ୍ତି। ନାବାଳିକା ବଳାତ୍କାର ଓ ହତ୍ୟା ପ୍ରସଙ୍ଗରେ ପ୍ରତିକ୍ରିୟା ନେବାରୁ ସମ୍ପୃକ୍ତ ନାବାଳିକାର ଗାଁ ଲୋକେ ତଦନ୍ତରେ ସହଯୋଗ କରୁ ନ ଥିବାରୁ ତଦନ୍ତ ପ୍ରକ୍ରିୟା ଆଗେଇପାରୁନାହିଁ, ଅଭିଯୁକ୍ତକୁ ଧରିବାରେ ବିଳମ୍ବ ହେଉଛି ବୋଲି ପ୍ରକାଶ କରିବା ସହ ବଳାତ୍କାର ନେଇ ପ୍ରାଥମିକ ତଦନ୍ତରେ ସନ୍ଦେହ ଥିବା ପ୍ରକାଶ କରିଛନ୍ତି। ଏ ନେଇ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ପ୍ରତିକ୍ରିୟା ପାଇଁ ତାଙ୍କ ଫୋନ ଯୋଗେ ବାରମ୍ବାର ଚେଷ୍ଟା ସତ୍ତ୍ବେ ସମ୍ଭବ ହୋଇପାରିନାହିଁ। ଏ ନେଇ ଜିଲାପାଳ ଡଃ ଅଜିତକୁମାର ମିଶ୍ରଙ୍କ ପ୍ରତିକ୍ରିୟା ଲୋଡ଼ିବାରୁ ଗଣତାନ୍ତ୍ରିକ ରାଷ୍ଟ୍ରରେ ଅହିଂସା ମାର୍ଗରେ ନ ଯାଇ ହିଂସା ମାର୍ଗ ଆପଣାଇବା କିମ୍ବା ହିଂସା ପଥରେ ଆନ୍ଦୋଳନ କରିବା ଅନୁଚିତ୍‍ ବୋଲି ପ୍ରକାଶ କରିଛନ୍ତି।

 

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories