ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ କାମତାଠାରୁ ଅଞ୍ଚଳଗୁମା ପ୍ରାୟ ୪ କିମି ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି। ଯଦ୍ୱାରା ଏହି ରାସ୍ତା ଦେଇ ଯିବା ଆସିବାରେ ବାଧା ଉପୁଜୁଥିବା ନେଇ କାମତା ଗ୍ରାମବାସୀ ନବରଙ୍ଗପୁର ସାଂସଦ ଏବଂ ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ ଯୁଦ୍ଧକାଳୀନ ଭିତିରେ ରାସ୍ତା କାର୍ୟ୍ୟ କରିବାପାଇଁ ଉଭୟେ ପ୍ରତିଶୃତି ଦେଇଥିବା ଜଣାପଡିଛି ।
ତେନ୍ତୁଳୀଖୁଣ୍ଟି ବ୍ଲକ କାମତାଠାରୁ ବାଣୁଆଗୁଡା ୨କିମି ଏବଂ ବାଣୁଆଗୁଡାଠାରୁ ଅଞ୍ଚଳଗୁମା ୨ କିମି ମୋଟ ୪ କିମି ରାସ୍ତା ଉପରେ ପ୍ରାୟତଃ ପାଞ୍ଚ ଗୋଟି ପଂଚାୟତ ତଥା ଅମଲାଭଟା, କଟାଗାଁ, କଙ୍ଗରା, କାମତା ଏବଂ ପାତ୍ରପୁର ପଂଚାୟତର ଲୋକେ ତେନ୍ତୁଳୀଖୁଣ୍ଟି ବ୍ଲକକୁ ଯିବାପାଇଁ ଏହିରାସ୍ତା ବ୍ୟବହାର କରିଥାନ୍ତି । ଏହି ରାସ୍ତା ଦେଇ ଦୈନିକ ଶହ ଶହ ଛୋଟ ବଡ଼ ଗାଡି, ଆମ୍ବୁଲାନ୍ସ, ସ୍କୁଲ ଛାତ୍ର ଛାତ୍ରୀ, ରାସନ କାର୍ଡ ଧାରି ଏବଂ ଜନସାଧାରଣ ବ୍ୟବହାର କରିଥାନ୍ତି କିନ୍ତୁ ଏହିରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି। କେତେକ ଜାଗାରେ ରାସ୍ତା ଉପରେ ପିଚୁ ଉଠି ଯାଇ ଖାଲ ଖମା ହୋଇଥିବା ବେଳେ କେତେକ ଜାଗାରେ ବଡ଼ ବଡ଼ ପଥର ମାନ ବାହାରି ବାହାରକୁ ଦେଖା ଯାଉଛି। ଫଳରେ ଏହି ରାସ୍ତାରେ ଛୋଟବଡ଼ ଦୁର୍ଘଟଣାମାନ ଘଟୁଥିବା ଦେଖା ଦେଉଛି। ଏନେଇ ୫ ଗୋଟି ପଂଚାୟତର ଲୋକେ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରିବାପାଇଁ ବହୁବାର ପ୍ରଶାସନ ଏବଂ ସ୍ଥାନୀୟ ନେତାଙ୍କୁ ଜଣାଇଥିଲେ ହେଁ କିଛି ହୋଇପାରିନାହଁ । ବିଗତ ୨ ଦିନ ତଳେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଏବଂ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ତେନ୍ତୁଳୀଖୁଣ୍ଟି ବ୍ଲକର ଇନ୍ଦିରା ଆବାସ ଯୋଜନା ଗୃହର କାର୍ୟ୍ୟାଦେଶ ଏବଂ ବିଧବା ଭତ୍ତା ବଣ୍ଟନ କାର୍ୟ୍ୟକ୍ରମରେ ଆସିଥିବା ବେଳେ ରାସ୍ତା ମରାମତି କାର୍ୟ୍ୟ ଶୀଘ୍ର କରିବା ପାଇଁ ଗ୍ରାମବାସୀ ଅଭିଯୋଗ କରିବା ପରେ ସାଂସଦ ଏବଂ ବିଧାୟକ ଉଭୟ ଯୁଦ୍ଧକାଳୀନ ଭିତିରେ ରାସ୍ତାକାର୍ୟ୍ୟ କରିବାପାଇଁ ପ୍ରତିଶୃତି ଦେଇଥିବା ଜଣାପଡିଛି। ଏହି ରାସ୍ତା ମରାମତି ହେଲେ ୫ଟି ପଂଚାୟତର ଜନସାଧାରଣ ଉପକୃତ ହେବେ।



