ଭୁବନେଶ୍ଵର: ପ୍ରଥମ ଥର ପାଇଁ ବିଜେପି ରାଜ୍ୟରେ ନିଜ ଦମରେ ଏକାକୀ ସରକାର ଗଢ଼ିଛି। ବିଜୁ ଜନତା ଦଳ ବିରୋଧରେ ଲଗାତାର ସଂଗ୍ରାମ କରି ଏହି ଗୈରୀକ ଦଳ ସଫଳତା ହାସଲ କରିଛି। ବିଜେଡିର ଶାସନ ଢାଞ୍ଚାକୁ ତୀବ୍ର ସମାଲୋଚନା କରିଆସୁଥିବା ବିଜେପି ଆଜିକାଲି କିନ୍ତୁ ସେହି ସମାନ ଫଣ୍ଡା ଆପଣାଉଥିବା ଚର୍ଚ୍ଚା ହେଉଛି। ବିଜେଡି ସରକାର ସମୟରେ ଗଦାଗଦା ଅଫିସରଙ୍କୁ ଅବସର ପରେ ବି ପୁନଃନିଯୁକ୍ତି ଦିଆଯାଉଥିଲା। ପୁଳାପୁଳା ବାବୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବରେ ସରକାରୀ ତହବିଲରୁ ମୋଟା ଅଙ୍କ ଦରମା ନେଉଥିଲେ। ଏବେ ମୋହନ ମାଝୀଙ୍କ ସରକାର ଆସିବା ପରେ ସେଭଳି ଢାଞ୍ଚାରେ କିଛି ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। କେଉଁ ବିଭାଗରେ କେତେ ଅଫିସରଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି, ସେନେଇ ଗୃହ ବିଭାଗ ତରଫରୁ ଏକ ରିପୋର୍ଟ ତଲବ କରାଯାଇଥିଲା। ମୋହନ ସରକାର ନିର୍ବାଚିତ ହେବା ପରେ ଏହା କରାଯାଇଥିଲା। ସେତେବେଳେ ଏହି ବ୍ୟବସ୍ଥାକୁ ବନ୍ଦ କରି ଦିଆଯିବ ବୋଲି ବିଜେପି ନେତା ବୟାନବାଜୀ କରିଥିଲେ। ଏବେ କିନ୍ତୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦୁଇଜଣ ଅବସରପ୍ରାପ୍ତ ଅଧିକାରୀଙ୍କୁ ବସାଯାଇଛି। ରାଜ୍ୟ ନିର୍ବାଚନ ଆୟୁକ୍ତ ଭାବରେ ଅବସରପ୍ରାପ୍ତ ଆଇଏଏସ ମଧୂସୁଦନ ପାଢ଼ୀଙ୍କୁ ନୂତନ ନିଯୁକ୍ତି ମିଳିଛି। ସେହିପରି ରିଟାୟାର୍ଡ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା କରାଯାଇ କ୍ୟାବିନେଟ୍ ପାହ୍ୟା ଦିଆଯାଇଛି। ଅବଶ୍ୟ ପ୍ରକାଶ ଅବସର ପରେ ବିଜେପିରେ ସାମିଲ ହୋଇସାରିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ସେ ବିଜେପି ଟିକେଟରେ କଟକ ଲୋକସଭା ଆସନରୁ ନିର୍ବାଚନ ଲଢ଼ିସାରିଛନ୍ତି। ଏବେ ତାଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେବା ପରେ ତାଙ୍କ ପରାମର୍ଶ କେବଳ ଗୃହ ବିଭାଗ ଭିତରେ ସୀମିତ ରହିବ ନା ଆଉ କିଛି ହେବ ସେ ନେଇ କୌଣସି ସ୍ପଷ୍ଟତା ଆସିନାହିଁ। ଆଲୋଚନା ହେଉଥିବା ଖବର ଅନୁସାରେ ଆଉ ଜଣେ ବାବୁ ମୁଖ୍ୟ ସୂଚନା କମିଶନ ପଦବୀ ପାଇଁ ଆବେଦନ କରିଛନ୍ତି। ଚାକିରିରୁ ଆଗତୁରା ଭିଆରଏସ ନେଇ ସେ ଏହି ପଦବୀ ପାଇଁ ଲାଳାୟିତ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି। ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ୩ ଜଣ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତି ପାଇଥିଲେ। ଅସିତ ତ୍ରିପାଠୀ, ଆର ବାଲାକ୍ରିଷ୍ଣନ୍ ଏବଂ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ନିଯୁକ୍ତି ଦିଆଯାଇଥିଲା। ଅବଶ୍ୟ ନୂଆ ସରକାର ଆସିବା ପରେ ସେମାନେ ସମସ୍ତେ ଇସ୍ତଫା ଦେଇସାରିଛନ୍ତି। ଏବେ ବିଜେପି କ୍ଷମତାକୁ ଆସିବା ପରେ ସେହି ସମାନ ଢାଞ୍ଚା ଆପଣାଉଥିବା ଚର୍ଚ୍ଚା ହେଉଛି।
Popular Categories



