ଆଠଗଡ ତରଡିଙ୍ଗ ଗ୍ରାମରେ ରାଜନୈତିକ ହିଂସାକାଣ୍ଡ ; ୨ ଗୁରୁତର

ଆଠଗଡ: ନିର୍ବାଚନ ପ୍ରଚାର ଶେଷ ହେବା ପରେ ମତଦାନ ଆରମ୍ଭର ୩୬ ଘଣ୍ଟା ପୂର୍ବରୁ ଆଠଗଡରେ ଶାସକ ବିଜେଡି ଓ ବିଜେପି ମଧ୍ୟରେ ବିଭିନ୍ନ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଗୁରୁବାର ରାତି ପ୍ରାୟ ୯ଟା ବେଳେ ଆଠଗଡ ଥାନା ଅନ୍ତର୍ଗତ ତରଡିଙ୍ଗ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ରାଜନୈତିକ ସଂଘର୍ଷ ଘଟି ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଗୁରୁବାର ରାତି ୯ ଟାରେ ତରଡିଙ୍ଗ ଗ୍ରାମର ଜଗନ୍ନାଥ ମନ୍ଦିର ଛକ ନିକଟରେ ଏହି ରାଜନୈତିକ ସଂଘର୍ଷ ହୋଇଥିଲା। ବିଜେପି ଦଳର କିଛି ସମର୍ଥକ ରାତିଅଧିଆ ଭିତିରି ପ୍ରଚାର କରୁଥିବା ବେଳେ ବିଜେଡି ସମର୍ଥକ ପରିବାର ଏହାର ବିରୋଧ କରିବାରୁ ବିଜେପି ସମର୍ଥକମାନେ ବିଭିନ୍ନ ମାରଣାସ୍ତ୍ର ସହ ସଂଘ ବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ବିଜେଡି ସମର୍ଥକ ପ୍ରକାଶ ମଲ୍ଲିକ , ପିତା ପ୍ରସନ୍ନ ମଲ୍ଲିକ ଓ ଆଦିତ୍ୟ ମଲ୍ଲିକ, ପିତା ବଳଭଦ୍ର ମଲ୍ଲିକ ଗୁରୁତର ଆହତ ହୋଇଛନ୍ତି।
ପ୍ରକାଶଙ୍କ ମୁଣ୍ଡକୁ ଛୁରୀରେ ଆକ୍ରମଣ କରିବା ସହ ଆଦିତ୍ୟକୁ ବୋତଲ ଓ ପଥର ମାରିବା ଦ୍ବାରା ଦୁଇଜଣ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ପରିବାର ସଦସ୍ୟ ତୁରନ୍ତ ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ ଆଦିତ୍ୟଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ କଟକକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ପୁଲିସ ତରଡିଙ୍ଗ ଗ୍ରାମର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏ ପର୍ୟ୍ୟନ୍ତ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଆଇଆଇସି ଅନିରୁଦ୍ଧ ମୁଦୁଲି କହିଛନ୍ତି ।

Comments are closed.