ବାଲେଶ୍ୱର: କଲେଜ କ୍ୟାମ୍ପସରେ ନିଜ ଦେହରେ ନିଆଁ ଲଗାଇ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ପୁଲିସ ଅଭିଯୁକ୍ତ ଅଧ୍ୟାପକଙ୍କୁ ଅଟକ ରଖିଛି। ବାଲେଶ୍ଵର ଫକୀର ମୋହନ ମହାବିଦ୍ୟାଳରେ ଘଟିଥିବା ଏଭଳି ଅଭାବନୀୟ ଘଟଣାକୁ ନେଇ କ୍ୟାମ୍ପସରେ ଚାପା ଉତ୍ତେଜନା ଲାଗି ରହିଛି। ଅଧ୍ୟାପକ ଜଣକ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଛାତ୍ରୀ ଜଣକ ଅଭିଯୋଗ କରି ଶନିବାର ଏଭଳି ପଦକ୍ଷେପ ନେଇଥିଲେ। ଛାତ୍ରୀଙ୍କୁ ଯେଉଁ ଅଧ୍ୟାପକଙ୍କ ଦୁର୍ବ୍ୟବହାର କରିଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସେ ମହାବିଦ୍ୟାଳୟର ଗେଟ୍ ସମ୍ମୁଖରେ ଧାରଣା ଦେଇଥିଲେ। ଏହି ସମୟରେ ଛାତ୍ରୀ ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କ ଶରୀରର ପ୍ରାୟ ୯୦ ଭାଗ ପୋଡି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲେଶ୍ୱର ଓ ପରେ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଛାତ୍ରୀଙ୍କୁ ରକ୍ଷା କରିବାକୁ ଯାଇ ଅନ୍ୟ ଜଣେ ଛାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।
ଅଧ୍ୟାପକଙ୍କ ନାମରେ ଅଭିଯୋଗ ରହିଥିବାରୁ ସହଦେବଖୁଣ୍ଟା ପୁଲିସ ଅଭିଯୁକ୍ତଙ୍କୁ ଉଠାଇ ନେଇଛି। ଅନ୍ୟପଟେ ଘଟଣା ସମ୍ପର୍କରେ କଲେଜ ଅଧ୍ୟକ୍ଷ ପ୍ରତିକ୍ରିୟା ଦେଇ ଏହା ଦୁଃଖ ଏବଂ ପରିତାପର ବିଷୟ ବୋଲି କହିଛନ୍ତି।



