ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ବଢ଼ିଲା ପିଏମ ସ୍ବନିଧି ଯୋଜନା
ନୂଆଦିଲ୍ଲୀ : ପିଏମ-ସ୍ବନିଧି ଯୋଜନାର ଅବଧି ୨୦୨୪ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ ସମିତି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହି ଯୋଜନାରେ ଉଠାଦୋକାନୀ ଏବଂ ସେମାନଙ୍କ ପରିବାରକୁ ବିନା କୌଣସି ବନ୍ଧକରେ ଋଣ ଯୋଗାଇ ଦେବା, ଡିଜିଟାଲ ନେଣଦେଣକୁ ବଢ଼ାଇବା ଏବଂ ସେମାନଙ୍କର ସାମାଜିକ-ଆର୍ଥିକ ବିକାଶ ପ୍ରତି ଦିଆଯାଇଛି ।
ପିଏମ ସ୍ବନିଧି ଯୋଜନାରେ ଉଠାଦୋକାନୀମାନଙ୍କୁ ବିନା କୌଣସି ବନ୍ଧକରେ ଶସ୍ତା ଋଣ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ଯୋଜନା ପାଇଁ ୫ ହଜାର କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯାଇଥିଲା । ଏହି ଯୋଜନା ସମ୍ପ୍ରସାରଣ ଲାଗି କ୍ୟାବିନେଟ ମଞ୍ଜୁରି ମିଳିବା ପରେ ଋଣ ପାଇଁ ମୋଟ ଅର୍ଥରାଶି ପରିମାଣକୁ ୮ ହଜାର ୧୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଯାହାଫଳରେ ଅଧିକ ସଂଖ୍ୟାରେ ଉଠାଦୋକାନୀଙ୍କୁ କାର୍ଯ୍ୟଶୀଳ ପୁଞ୍ଜି ଉପଲବ୍ଧ ହୋଇପାରିବ। ଏହି ଆର୍ଥିକ ପ୍ରୋତ୍ସାହନ ଜରିଆରେ ସେମାନେ ନିଜର ବ୍ୟବସାୟ ବଢ଼ାଇବା ସହିତ ଆତ୍ମନିର୍ଭରଶୀଳ ହୋଇପାରିବେ ।
ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ କରିବା ଲାଗି ଉଠାଦୋକାନୀମାନଙ୍କ ପାଇଁ କ୍ୟାଶ ବ୍ୟାକ୍ ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ଏଥିପାଇଁ ବଜେଟ୍ ପରିମାଣ ବୃଦ୍ଧି କରାଯାଇଛି । କ୍ୟାବିନେଟଙ୍କ ମଞ୍ଜୁରି ଫଳରେ ଦେଶର ସହରାଞ୍ଚଳରେ ଥିବା ପ୍ରାୟ ୧ କୋଟି ୨୦ ଲକ୍ଷ ଲୋକ ଲାଭ ପାଇପାରିବେ ବୋଲି ଆଶା କରାଯାଉଛି।
ପିଏମ-ସ୍ବନିଧି ଯୋଜନାରେ ଅଧୀନରେ ବର୍ତ୍ତମାନ ସୁଦ୍ଧା ଅନେକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ମିଳିପାରିଛି । ଗତ ୨୫ ତାରିଖ ସୁଦ୍ଧା ଏହି ଯୋଜନାରେ ୩୧ ଲକ୍ଷ ୯ ହଜାର ଋଣ ଆବେଦନକୁ ମଞ୍ଜୁରି ମିଳିଛି । ଏହା ବ୍ୟତୀତ ୨ ହଜାର ୯୩୧ କୋଟି ଟଙ୍କାର ୨୯ ଲକ୍ଷ ୬୦ ହଜାର ଋଣ ବିତରଣ କରାଯାଇଛି । ଦ୍ବିତୀୟ ଋଣ ଦୃଷ୍ଟିରୁ ଦେଖିଲେ ଏବେ ସୁଦ୍ଧା ୨ ଲକ୍ଷ ୩୦ ହଜାର ଋଣ ମଞ୍ଜୁର ହୋଇଛି। ୧.୯ ଲକ୍ଷ ଋଣ ପାଇଁ ୩୮୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଉଠାଦୋକାନୀ ହିତାଧିକାରୀମାନେ ୧୩.୫ କୋଟି ଟଙ୍କାରୁ ଅଧିକ ଡିଜିଟାଲ ନେଣଦେଣ କରିଛନ୍ତି। ଏଥିପାଇଁ ସେମାନଙ୍କୁ ୧୦ କୋଟି ଟଙ୍କାର କ୍ୟାଶବ୍ୟାକ ମିଳିଛି । ସବସିଡି ସୁଧ ଆକାରରେ ୫୧ କୋଟି ଟଙ୍କା ପରିଶୋଧ କରାଯାଇଛି ।
ଜୁନ୍ ୨୦୨୦ରେ ଏହି ଯୋଜନା ଆରମ୍ଭ ହୋଇଥିଲା। ସେତେବେଳେ କ୍ଷୁଦ୍ର ବ୍ୟବସାୟୀମାନେ ମହାମାରୀ ଏବଂ ତତ୍ସମ୍ବନ୍ଧୀୟ ପରିସ୍ଥିତି କାରଣରୁ ଆର୍ଥିକ ଚାପରେ ରହିଥିଲେ । ସେମାନଙ୍କ ସ୍ଥିତିରେ ସୁଧାର ଆଣିବା ଉଦ୍ଦେଶ୍ୟ ନେଇ ଏହି ଯୋଜନାର ପ୍ରସ୍ତାବିତ ସଂସ୍କାର ଆବଶ୍ୟକ ଥିଲା । ଏବେ ପିଏମ-ସ୍ବନିଧି ଋଣ ଯୋଜନାର ଅବଧି ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି ପାଇବା ଫଳରେ ଉଠାଦୋକାନୀମାନଙ୍କୁ ଔପଚାରିକ ଋଣ ଉପଲବ୍ଧ ହୋଇପାରିବ। ଉଠାଦୋକାନୀମାନେ ଋଣ ଅର୍ଥ ସହିତ ବ୍ୟବସାୟ ବଢ଼ାଇବା ଲାଗି ଯୋଜନା ପ୍ରସ୍ତୁତ କରିପାରିବେ। ଡିଜିଟାଲ କାରବାର ବୃଦ୍ଧି ପାଇବ। ଋଣ ପ୍ରଦାନକାରୀ ସଂସ୍ଥାନରେ ଫସି ରହିଥିବା ଋଣ ହ୍ରାସ ପାଇବ। ଉଠାକୋଦାନୀ ଏବଂ ସେମାନଙ୍କ ପରିବାର ଲୋକଙ୍କ ସାମାଜିକ-ଆର୍ଥିକ ବିକାଶ ହୋଇପାରିବ ।
Comments are closed.