ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ଗସ୍ତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜାଲୌନରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର ଉଦଘାଟନ କରିଛନ୍ତି ।  ଆଜି ସକାଳେ ଏକ ସ୍ୱତନ୍ତ୍ର ବିମାନରେ ମୋଦୀ କାନପୁର ଏୟାର ପୋର୍ଟରେ ପହଞ୍ଚିବା ପରେ ସେଠାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ସ୍ୱାଗତ କରିଥିଲେ । ଏହାପରେ ସେ ସଡ଼କ ପଥରେ ଜାଲୌନ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ କାଇଥେରୀଠାରେ ଏକ୍ସପ୍ରେସ୍‍ ୱେକୁ ଉଦ୍‌ଘାଟନ କରିଛନ୍ତି । ୨୦୨୦ ମସିହା ଫେବୃୟାରୀ ୨୯ ତାରିଖରେ ପ୍ରଧାନମନ୍ତ୍ରୀ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‍ ୱେ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଯାହା ଆଜି ଉଦ୍‌ଘାଟନ ହୋଇଛି ।

୨୯୬ କିଲୋମିଟର ଦୈର୍ଘ୍ୟର ୪ ଲେନ୍‍ ବିଶିଷ୍ଟ ଏହି ଏକ୍ସପ୍ରେସ୍‍ ୱେ ନିର୍ମାଣ ପାଇଁ ୧୪ ହଜାର ୮୫୦ କୋଟି ଟଙ୍କା ବ୍ୟୟ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହାକୁ ୬ ଲେନ୍‍ ବିଶିଷ୍ଟ କରାଯିବ। ଏହି ଏକ୍ସପ୍ରେସ୍‍ ୱେ ୭ଟି ଜିଲ୍ଲାକୁ ସଂଯୋଗ କରୁଛି । ଏହି ଏକ୍ସପ୍ରେସ୍‍ ୱେରେ ୪ଟି ରେଳ ବ୍ରିଜ୍‍, ୧୮ଟି ବଡ଼ ସେତୁ ଏବଂ ୨୮୬ଟି ଛୋଟ ପୋଲ ରହିଛି । ପ୍ରତ୍ୟେକ ୫୦୦ ମିଟର ବ୍ୟବଧାନରେ ଏଥିରେ ବର୍ଷାଜଳ ଅମଳ ବ୍ୟବସ୍ଥା ରହିଛି । ୨୮ ମାସର ରେକର୍ଡ ସମୟ ମଧ୍ୟରେ ଓ ନିର୍ଦ୍ଧାରିତ ସମୟର ୮ ମାସ ପୂର୍ବରୁ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିଛି । ଏହି ଏକ୍ସପ୍ରେସ୍‍ ୱେ ସେଠାରେ ସ୍ଥାନୀୟ ଲୋକମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ସହିତ ଆର୍ଥିକ ବିକାଶ ଦିଗରେ ସହାୟକ ହେବ ।

 

Comments are closed.