www.samajalive.in
Monday, December 8, 2025
14.1 C
Bhubaneswar

ଭବିଷ୍ୟତ ପାଇଁ ନିଜକୁ ପ୍ରାସଙ୍ଗିକ କରନ୍ତୁ ଯୁବସମାଜ – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଇଆଇଟି ଗୌହାଟୀର ସମାବର୍ତ୍ତନ ଉତ୍ସବରେ ଉଦ୍‌ବୋଧନ ଦେଇ କହିଛନ୍ତି, ଯୁବସମାଜ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ ରଖିବା ସହ ନିଜକୁ ପ୍ରାସଙ୍ଗିକ କରନ୍ତୁ। ‘ଜ୍ଞାନମ୍‌ ବିଜ୍ଞାନ ସହିତମ୍‌ ଯତ୍‌ ଜ୍ଞାତ୍ୱା ମୌକ୍ଷସ୍ୟ ଅଶୁଭାତ୍‌’ ଉକ୍ତି ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଜ୍ଞାନ ସମେତ ସମସ୍ତ ଜ୍ଞାନ ସମସ୍ୟା ସମାଧାନର ମାର୍ଗ ଅଟେ। ସଂପ୍ରତି ଆଇଆଇଟି ଭଳି ପ୍ରତିଷ୍ଠାନମାନ ଯେଭଳି ପ୍ରଗତି ପଥରେ ଆଗେଇ ଚାଲିଛନ୍ତି ସେ ନେଇ ପ୍ରଧାନମନ୍ତ୍ରୀ ବିଶେଷ ସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହା ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ। ଦେଶ ସେବା ପାଇଁ ନବସୃଜନର ଊର୍ଜ୍ଜା ଆମର ଶିକ୍ଷାନୁଷ୍ଠାନଗୁଡିକରେ ଯୁଗେ ଯୁଗେ ରହିଛି ଏବଂ ଏହା ହଜାର ହଜାର ବର୍ଷ ଧରି ଚଳିଆସିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯୁବବର୍ଗର ସ୍ୱପ୍ନ ଏବଂ ଆକାଂକ୍ଷା ଭାରତର ଭବିଷ୍ୟତକୁ ରୂପ ଦେବ। ଆଇଆଇଟି ଗୌହାଟୀ ଏହି ଦିଗରେ ଇତିମଧ୍ୟରେ କାର୍ୟ୍ୟ ଆରମ୍ଭ କରିଥିବା ଜାଣି ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି। କରୋନା ମହାମାରୀ ସମୟରେ ସମସ୍ତ ପ୍ରକାର ପ୍ରତିବନ୍ଧକ ସତ୍ତ୍ୱେ ଏହି ଆଇଆଇଟି ଦେଶକୁ ଆତ୍ମନିର୍ଭର କରିବା ପାଇଁ ବିଭିନ୍ନ ପ୍ରକାର ପ୍ରୟାସ ଆରମ୍ଭ କରିଛି ଏବଂ ପାଠପଢା, ଗବେଷଣା ଓ ଅନ୍ୟାନ୍ୟ କାର୍ୟ୍ୟ ଜାରି ରଖିଛି। ଏଥିପାଇଁ ଏହି ଅନୁଷ୍ଠାନକୁ ସେ ପ୍ରଶଂସା କରିଛନ୍ତି।

- Advertisement -

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଆ ଶିକ୍ଷାନୀତି ୨୦୨୦ ଏକବିଂଶ ଶତାବ୍ଦୀର ଆବଶ୍ୟକତା ପୂରଣ ପାଇଁ ପ୍ରସ୍ତୁତ ହୋଇଛି। ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଭାରତକୁ ବିଶ୍ୱରେ ଏକ ନେତୃତ୍ୱର ସ୍ଥାନ ଦେବା ପାଇଁ ଏହି ଶିକ୍ଷାନୀତିରେ ପ୍ରୟାସ କରାଯାଇଛି। ମୋଦୀ କହିଛନ୍ତି ଯେ ଜାତୀୟ ଶିକ୍ଷାନୀତି ୨୦୨୦କୁ ବହୁବିଷୟକ କରାଯାଇଛି। ଏଥିରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାର ପାଠ୍ୟକ୍ରମ ପଢିବା ପାଇଁ ସୁଯୋଗ ମିଳିବ। ନିଜର ଇଛା ଅନୁସାରେ ଯିଏ ଯେତେବେଳେ ଚାହିଁବ ସେ ବିଷୟ ପଢିପାରିବେ ଏବଂ ଭଲ ନ ଲାଗିଲେ ତାହାକୁ ମଧ୍ୟ ଅଧାରୁ ଛାଡିପାରିବେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଆ ଶିକ୍ଷାନୀତିରେ ଏକ ଜାତୀୟ ଗବେଷଣା ପ୍ରତିଷ୍ଠାନ ସ୍ଥାପନର ପ୍ରସ୍ତାବ ରହିଛି। ଗବେଷଣା ପାଇଁ ପାଣ୍ଠି ଯୋଗାଉଥିବା ସବୁ ସଂସ୍ଥାଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ପ୍ରତିଷ୍ଠା ନିମନ୍ତେ ଏହା ଗଠନ କରାଯିବ। ସେହିଭଳି ଏହି ପ୍ରସ୍ତାବିତ ପ୍ରତିଷ୍ଠାନ ବିଜ୍ଞାନ ହେଉ କିମ୍ବା କଳା ଯେକୌଣସି ବିଷୟରେ ଗବେଷଣା ପାଇଁ ପାଣ୍ଠି ଯୋଗାଇ ଦେବ। ନୂଆ ଶିକ୍ଷାନୀତିରେ ମଧ୍ୟ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡିକୁ ଭାରତରେ ନିଜର ଦରିଆପାରି କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଅନୁମତି ଦିଆଯାଇଛି। ଏହା ଫଳରେ ଭାରତୀୟ ଛାତ୍ରଛାତ୍ରୀମାନେ ବିଶ୍ୱସ୍ତରୀୟ ଶିକ୍ଷା ପରିବେଶ ସହିତ ପରିଚିତ ହେବାର ସୁଯୋଗ ପାଇବେ। ଭାରତକୁ ବିଶ୍ୱର ପ୍ରମୁଖ ଶିକ୍ଷା ଲକ୍ଷ୍ୟସ୍ଥଳରେ ପରିଣତ କରିବା ଜାତୀୟ ଶିକ୍ଷାନୀତିର ଉଦ୍ଦେଶ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମୋଦୀ କହିଛନ୍ତି ଯେ ଉତ୍ତର ପୂର୍ବାଞ୍ଚଳ ଭାରତର ପ୍ରାଚ୍ୟାଭିମୁଖୀ ନୀତିର କେନ୍ଦ୍ର ଏବଂ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରଙ୍କ ସହିତ ସଂପର୍କର ପେଣ୍ଠ। ଏସବୁ ରାଷ୍ଟ୍ରମାନଙ୍କ ସହ ଭାରତର ସଂପର୍କର ମୁଖ୍ୟ ଆଧାର ହେଲା ସଂସ୍କୃତି, ବାଣିଜ୍ୟ, ସଂଯୋଗ ଏବଂ ସାମର୍ଥ୍ୟ। ସେ କହିଛନ୍ତି ଏ କ୍ଷେତ୍ରରେ ଶିକ୍ଷା ମଧ୍ୟ ଆଉ ଏକ ମାଧ୍ୟମ ହେବାକୁ ଯାଉଛି ଏବଂ ଆଇଆଇଟି ଗୌହାଟୀ ଏହାର କେନ୍ଦ୍ର ହୋଇପାରିବ। ଏହା ମଧ୍ୟ ଉତ୍ତର ପୂର୍ବ ଭାରତକୁ ଏକ ନୂଆ ପରିଚୟ ଓ ନୂଆ ସୁଯୋଗ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉତ୍ତର ପୂର୍ବାଞ୍ଚଳରେ ନୂଆ ସୁବିଧା ସୁଯୋଗମାନ ସୃଷ୍ଟି କରାଯାଉଛି। ଏହି ଅଞ୍ଚଳରେ ରେଳବାଇ, ରାଜପଥ, ଆକାଶପଥ ଓ ଜଳପଥ ଆଦିର ବିକାଶ ପାଇଁ ସରକାର ଭିତ୍ତିଭୂମି ନିର୍ମାଣ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଇଆଇଟି ଗୌହାଟୀରେ ବିପର୍ୟ୍ୟୟ ପରିଚାଳନା ଓ ବିପଦ ହ୍ରାସ ଅଧ୍ୟୟନ କେନ୍ଦ୍ର ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏଭଳି କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ଉତ୍ତର ପୂର୍ବାଞ୍ଚଳରେ ବିପର୍ୟ୍ୟୟ ପରିଚାଳନାରେ ବିଶେଷ ଜ୍ଞାନକୌଶଳ ଯୋଗାଇବାରେ ସହାୟକ ହେବ ବୋଲି ସେ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories