www.samajalive.in
Friday, December 5, 2025
20.1 C
Bhubaneswar

୨୦୨୫ରୁ ସିବିଏସ୍‌ଇ ଢାଞ୍ଚାରେ +୨ ପରୀକ୍ଷା

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଶିକ୍ଷାବର୍ଷ ୨୦୨୪-୨୫ରେ +୨ ବୋର୍ଡ ପରୀକ୍ଷାରେ ବ୍ୟାପକ ପରିବର୍ତ୍ତନ କରିବାକୁ ଯାଉଛି। ଦ୍ବାଦଶ ଶ୍ରେଣୀ ବିଜ୍ଞାନ, କଳା ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ନୂଆ କରି ଇଣ୍ଟରନାଲ ଆସେସମେଣ୍ଟ ପଦ୍ଧତି ଆପଣାଇବାକୁ ଯୋଜନା ପ୍ରସ୍ତୁତ କରିଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅବା କନିଷ୍ଠ ମହାବିଦ୍ୟାଳୟରେ ୨୦ ନମ୍ବର ବିଶିଷ୍ଟ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା କରାଯିବ। ଅବଶିଷ୍ଟ ୮୦ ନମ୍ବର ପରୀକ୍ଷା ସିଏଚଏସଇ ପକ୍ଷରୁ ହେବ। ଉଭୟ ପରୀକ୍ଷା ନମ୍ବରକୁ ଏକତ୍ର କରି ଛାତ୍ରଛାତ୍ରୀଙ୍କୁ ପରିଷଦ ପକ୍ଷରୁ ପୂର୍ଣ୍ଣ ନମ୍ବର ମିଳିବ ବୋଲି ସିଏଚଏସଇ ପକ୍ଷରୁ ସୂଚନା ମିଳିଛି। ସିବିଏସଇ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଇଣ୍ଟରନାଲ ଆସେସମେଣ୍ଟ ଏବଂ ବୋର୍ଡ ପକ୍ଷରୁ ବାର୍ଷିକ ପରୀକ୍ଷା ଦେଉଛନ୍ତି। ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ବାରା କରାଯାଉଛି। ଏହି ପରୀକ୍ଷା ନମ୍ବର ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରୁ ମିଳିଥାଏ। ପରେ ବୋର୍ଡ ପକ୍ଷରୁ ଥିଓରୀ ପରୀକ୍ଷା କରାଯାଇଥାଏ। ଇଣ୍ଟରନାଲ ଆସେସମେଣ୍ଟ ଏବଂ ବୋର୍ଡ ପରୀକ୍ଷା ମୂଲ୍ୟାୟନ ମାର୍କକୁ ଏକତ୍ର କରି ସିବିଏସଇ ଛାତ୍ରଛାତ୍ରୀଙ୍କୁ ପୂର୍ଣ୍ଣ ମାର୍କ ଦେଇଥାଏ। ୨୦୨୫ ପରୀକ୍ଷାରେ ସିଏଚଏସଇ ସିବିଏସଇର ଏହି ଢାଞ୍ଚାକୁ ଆପଣାଇବାକୁ ଯାଉଛି। ଯୁକ୍ତଦୁଇ ବିଜ୍ଞାନ ଦ୍ବିତୀୟ ବର୍ଷ ବିନା ପ୍ରାକ୍ଟିକାଲ ବିଷୟ ସାହିତ୍ୟ, ଇଂରାଜୀ ଏବଂ ଗଣିତ ଉପରେ ୨୦ ନମ୍ବର ଇଣ୍ଟରନାଲ ଆସେସମେଣ୍ଟ ଏବଂ ୮୦ ନମ୍ବର ବୋର୍ଡ ପରୀକ୍ଷା କରାଯିବ। ସେହିପରି କଳା ବିଭାଗ ଦ୍ବିତୀୟ ବର୍ଷର ବିନା ପ୍ରାକ୍ଟିକାଲ ବିଷୟ ସାହିତ୍ୟ, ଇଂରାଜୀ, ରାଜନୀତି ବିଜ୍ଞାନ, ଇତିହାସ, ହିନ୍ଦୀ, ସଂସ୍କୃତ, ଗଣିତ, ଅର୍ଥନୀତି, ଲଜିକ, ସମାଜ ବିଜ୍ଞାନ ଆଦି ବିଷୟ ଉପରେ ୨୦ ନମ୍ବର ଇଣ୍ଟରନାଲ ଆସେସମେଣ୍ଟ ଏବଂ ୮୦ ନମ୍ବର ବୋର୍ଡ ପରୀକ୍ଷା କରାଯିବ। ଇଣ୍ଟରନାଲ ପରୀକ୍ଷା ବିଦ୍ୟାଳୟ ଏବଂ କନିଷ୍ଠ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବ। ବିଦ୍ୟାଳୟ ଓ କନିଷ୍ଠ ମହାବିଦ୍ୟାଳୟ ଶିକ୍ଷକମାନେ ପ୍ରଶ୍ନପତ୍ର ତିଆରି କରିବେ। ୨୦ ନମ୍ବର ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ପାଇଁ ୪୫ମିନିଟ ସମୟ ଅବଧି ରହିଛି। ଏହି ପରୀକ୍ଷାରେ ୫ ନମ୍ବର ପ୍ରଶ୍ନ ଗୋଟିଏ ଏବଂ ୨ ନମ୍ବର ୫ ପ୍ରଶ୍ନରୁ ଛାତ୍ରଛାତ୍ରୀ ୩ଟି ପ୍ରଶ୍ନର ଉତ୍ତର ରଖିବେ। ସେହିପରି ୩ମାର୍କର ୫ଟି ପ୍ରଶ୍ନ ଆସିବାକୁ ଥିବାବେଳେ ଏଥିରୁ ଛାତ୍ରଛାତ୍ରୀ ୩ଟି ପ୍ରଶ୍ନର ଉତ୍ତର ରଖିବେ। ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀଙ୍କ ବିନା ପ୍ରାକ୍ଟିକାଲ ଅର୍ଥନୀତି, ଇତିହାସ ଏବଂ ରାଜନୀତି ବିଜ୍ଞାନ ବିଷୟ ଅଧ୍ୟୟନ କରୁଛନ୍ତି। ଏହି ବିଷୟରେ ଛାତ୍ରଛାତ୍ରୀ ୧୦୦ ନମ୍ବର ପରୀକ୍ଷା ଦେଉଥିଲେ। ନୂତନ ପଦ୍ଧତି ଅନୁସାରେ ଏଣିକି ୨୦ ନମ୍ବର ଇଣ୍ଟରନାଲ ଆସେସମେଣ୍ଟ ଏବଂ ୮୦ ନମ୍ବର ବୋର୍ଡ ପରୀକ୍ଷା କରାଯିବ। ଅନ୍ୟ ଯେଉଁ ବିଷୟଗୁଡିକରେ ପ୍ରାକ୍ଟିକାଲ ରହିଛି ସେଗୁଡିକରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। କେନ୍ଦ୍ରୀୟ ଢାଞ୍ଚା ଅନୁସାରେ ୨୦ ନମ୍ବର ଇଣ୍ଟରନାଲ ଏବଂ ୮୦ ନମ୍ବର ବୋର୍ଡ ପରୀକ୍ଷା କରାଯିବା ଦ୍ବାରା ଛାତ୍ରଛାତ୍ରୀ ଚାପମୁକ୍ତ ହେବା ସମ୍ଭାବନା ରହିଛି। ପୁନଶ୍ଚ ଠିକ୍‌ ଭାବେ ମୂଲ୍ୟାୟନକୁ ଗୁରୁତ୍ବ ଦିଆଯାଇ ପାରିବ। ଇଣ୍ଟରନାଲ ନମ୍ବର ଶିକ୍ଷକମାନେ ଦେଉଥିବାରୁ ଛାତ୍ରଛାତ୍ରୀ ପରୀକ୍ଷା ଫଳ ଭଲ କରିବା ସମ୍ଭାବନା ରହିଛି। ଏନେଇ ସିଏଚଏସଇ ଉପସଚିବ ଯଶୋବନ୍ତ ସାମଲ କହିଛନ୍ତି, ସିବିଏସଇ ପରୀକ୍ଷା ଢାଞ୍ଚାକୁ ସିଏଚଏସଇ ଆପଣାଇଛି। ବିଜ୍ଞାନ, କଳା ଏବଂ ଧନ୍ଦାମୂଳକ ଶିକ୍ଷାର ଯେଉଁ ବିଷୟରେ ପ୍ରାକ୍ଟିକାଲ ନାହିଁ ସେହି ବିଷୟ ଉପରେ ୨୦ ନମ୍ବର ଇଣ୍ଟରନାଲ ଆସେସମେଣ୍ଟ ଓ ୮୦ ନମ୍ବର ବୋର୍ଡ ପରୀକ୍ଷା କରାଯିବ। ପାଠ୍ୟକ୍ରମରେ କୌଣସି ପରିବର୍ତ୍ତନ କିମ୍ବା ହ୍ରାସ କରାଯାଇ ନାହିଁ। ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରୀ ଏବଂ ଠିକ୍‌ ମୂଲ୍ୟାୟନକୁ ଗୁରୁତ୍ବ ଦିଆଯାଉ ଥିବାରୁ ପରିଷଦ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଇଣ୍ଟରନାଲ ପରୀକ୍ଷାରେ କେଉଁ ୟୁନିଟରୁ କେତେ ନମ୍ବର ପ୍ରଶ୍ନ ଆସିବ ତାହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ କନିଷ୍ଠ ମହାବିଦ୍ୟାଳୟଗୁଡ଼ିକୁ ଅବଗତି କରାଯାଇଛି। ଏଥିସହିତ ପରିଷଦ ପକ୍ଷରୁ ସବଜେକ୍ଟିଭ ପ୍ରଶ୍ନ ଅପେକ୍ଷା ମଲ୍ଟିପୁଲ ଚଏସ୍‌ ପ୍ରଶ୍ନ ଓ ଅବଜେକ୍ଟିଭ ପ୍ରଶ୍ନ ଅଧିକ ଆଣିବା ପାଇଁ ପରିଷଦ ପକ୍ଷରୁ ଗୁରୁତ୍ବ ଦିଆଯାଉଥିବା ଶ୍ରୀ ସାମଲ କହିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories