ସାରା ଭାରତ ହେବ ପ୍ଲାଷ୍ଟିକ୍ମୁକ୍ତ : ମେଘୱାଲ
ପ୍ରତ୍ୟେକ ସାର୍ବଜନୀନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ,ରକ୍ତଦାନ ଓ ସ୍ୱାସ୍ଥ୍ୟସେବା ଶିବିରର ବ୍ୟାପକ ଆୟୋଜନ
ମୋଦୀଙ୍କ ଜନ୍ମସପ୍ତାହକୁ ସେବା ସପ୍ତାହ ପାଳିବ ବିଜେପି
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମସପ୍ତାହକୁ ବିଜେପି ପକ୍ଷରୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରରେ ପଡୁଥିବାରୁ ବିଜେପି ପକ୍ଷରୁ ସେପ୍ଟେମ୍ବର ୧୪-୨୦ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହପାଳନ କରାଯିବ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମେଘୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଜୀ ‘ସିଙ୍ଗଲ ୟୁଜ ପ୍ଲ୍ାଷ୍ଟିକ’ ପରିକଳ୍ପନା ତଥା ପ୍ଲାଷ୍ଟିକ ମୁକ୍ତ ଭାରତର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ ସାକାର କରିବା ପାଇଁ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାମାନେ ସଂକଳ୍ପ ନେବେ। ଏହି ପରିପ୍ରେକ୍ଷୀରେ ବିଜେପି କାର୍ଯ୍ୟକର୍ତ୍ତାମାନେ ନିଜ ଅଞ୍ଚଳର ସ୍କୁଲ ଓ କଲେଜଗୁଡିକରେ ଛାତ୍ରଛାତ୍ରୀମାନଙ୍କୁ ପ୍ଲାଷ୍ଟିକ ବର୍ଜନ କରିବା ଓ ଜଳ ସଂରକ୍ଷଣ ପାଇଁ ସଚେତନ କରାଇବେ। ସାଧାରଣ ଲୋକଙ୍କ ଭିତରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ନେଇ ଜନଜାଗରଣ ସୃଷ୍ଟି କରାଯିବ। ଏହି ସେବା ସପ୍ତାହ ମଧ୍ୟରେ ଦଳର ସାଂସଦ,ବିଧାୟକ, ଜିଲାଧ୍ୟକ୍ଷ, ଜନ ପ୍ରତିନିଧି ଏବଂ ରାଜ୍ୟ ପଦାଧିକାରୀମାନେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି ସପ୍ତାହରେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଚକ୍ଷୁ ପରୀକ୍ଷା, ଅସ୍ତ୍ରୋପଚାର ଶିବିର ଏବଂ ଔଷଧ ବଣ୍ଟନ କାର୍ଯ୍ୟକ୍ରମମାନ ଆୟୋଜିତ ହେବ। ଏଥିସହ ହସ୍ପିଟାଲ, ଅନାଥାଶ୍ରମ ଏବଂ ବୃଦ୍ଧାଶ୍ରମଗୁଡିକରେ ଫଳ ବିତରଣ କରାଯିବ। ଦିବ୍ୟାଙ୍ଗ ମାନଙ୍କୁ ଶିକ୍ଷା ଏବଂ ପାଳନ ପୋଷଣ ପାଇଁ ବିଭିନ୍ନ ସାମାଜିକ ସଙ୍ଗଠନଗୁଡିକ ସହିତ ସହଭାଗିତାରେ ସେବା କାର୍ଯ୍ୟ କରାଯିବ।
ସେହିପରି ମୋଦୀଜୀଙ୍କ ଜନ୍ମଦିନ ଅବସରରେ ପ୍ରତ୍ୟେକ ସାର୍ବଜନୀନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ କରାଯିବ। ରାଜ୍ୟର ବିଭିନ୍ନ ସ୍ଥାନରେ ମେଡିକାଲ କ୍ୟାମ୍ପ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଜୀଙ୍କ ଜୀବନଧାରା ଏବଂ ଉପଲବ୍ଧ ସମ୍ପର୍କିତ ପୁସ୍ତକକୁ ସମସ୍ତ ସହର ଏବଂ ଜିଲାରେ ପ୍ରଦର୍ଶିତ କରାଯିବା ସହ ବରିଷ୍ଠ ନେତାମାନେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ଭେଟି ବ୍ୟକ୍ତିଗତ ଭାବେ ଏହି ପୁସ୍ତକକୁ ପ୍ରଦାନ କରିବେ ବୋଲି ଶ୍ରୀ ମେଘୱାଲ କହିଛନ୍ତି। ସେବା ସମିତିର ରାଜ୍ୟ ସଂଯୋଜକ ଭାବେ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ଏବଂ ସହ ସଂଯୋଜକ ଭାବେ ମହେଶ ମହାନ୍ତିଙ୍କୁ ଦାୟିତ୍ୱ ଦିଆଗଲା ବୋଲି ଶ୍ରୀ ମେଘୱାଲ ସୂଚନା ଦେଇଛନ୍ତି। ସମ୍ମିଳନୀରେ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ, ସଂପାଦକ ଡ.ଯତୀନ ମହାନ୍ତି, ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.