ଭୁବନେଶ୍ୱର: ରାଜ୍ୟରେ ପ୍ଲାଜମା ଥେରାପି ବନ୍ଦ କରିବା ନେଇ ନିଷ୍ପତ୍ତି ଗ୍ରହଣ ନେଇଛନ୍ତି ସରକାର। ଭାରତ ସରକାରଙ୍କ ପରାମର୍ଶ ଅନୁଯାୟୀ ପ୍ଲାଜମା ଥେରାପି କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଏବେ ଫଳପ୍ରଦ ହେଉନାହିଁ। ତେଣୁ ରାଜ୍ୟରେ ଏଣିକି ପ୍ଲାଜମା ସଂଗ୍ରହ କରାଯିବା ଆବଶ୍ୟକ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ମହାମାରୀ ମୁକିବାଲାରେ ସ୍ୱାସ୍ଥ୍ୟ ଅଧିକାରୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରମୁଖ ଭୂମିକା ରହିଛି। ଏହି ଯୁଦ୍ଧରେ ସେମାନଙ୍କ ଉଦ୍ୟମ ଯୋଗୁଁ ବହୁ ଅମୂଲ୍ୟ ଜୀବନ ବଞ୍ଚାଯାଇ ପାରୁଛି।
ଇତିମଧ୍ୟରେ ୯୫ପ୍ରତିଶତରୁ ଊର୍ଦ୍ଧ୍ବ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯାଇ ସାରିଲାଣି। ହେଲେ ସେମାନଙ୍କ ପରିବାର ପ୍ରତି ଏବେ ବି ବିପଦ ରହୁଛି; ତେଣୁ ସେମାନଙ୍କ ପରିବାର ଲୋକଙ୍କୁ ଟିକାକରଣ ସୁବିଧା ଯୋଗାଇ ଦେବାଲାଗି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲାପାଳ, ମହାନଗର ଆୟୁକ୍ତ ଓ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି ଯେ ସ୍ୱାସ୍ଥ୍ୟକର୍ମୀଙ୍କ ପରିବାର ମଧ୍ୟ କରୋନା ବିପଦ ପରିସ୍ଥିତି ଦେଇ ଗତି କରୁଛନ୍ତି। ତେଣୁ ସେମାନଙ୍କୁ ଟିକାକରଣରେ ଗୁରୁତ୍ୱ ଦେବା ଆବଶ୍ୟକ।



